Home / ମୁଖ୍ୟ ଖବର / ପୁରୀ ଜିଲ୍ଲା ସର୍ବୋଦୟ ମଣ୍ଡଳ ଓ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ପୁରୀ ପକ୍ଷରୁ ମହାତ୍ମା ସ୍ମାରକୀ ବକ୍ତୃତା; ୫୫୦ ଛାତ୍ରଛାତ୍ରୀଙ୍କ ଗାନ୍ଧୀ କୁଇଜ୍, ୩୦ କୃତୀ ପ୍ରତିଯୋଗୀ ପୁରସ୍କୃତ

ପୁରୀ ଜିଲ୍ଲା ସର୍ବୋଦୟ ମଣ୍ଡଳ ଓ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ପୁରୀ ପକ୍ଷରୁ ମହାତ୍ମା ସ୍ମାରକୀ ବକ୍ତୃତା; ୫୫୦ ଛାତ୍ରଛାତ୍ରୀଙ୍କ ଗାନ୍ଧୀ କୁଇଜ୍, ୩୦ କୃତୀ ପ୍ରତିଯୋଗୀ ପୁରସ୍କୃତ

ପୁରୀ (୨/୧୦) : ଯେଉଁ ସ୍ୱାଧୀନତା ପାଇଁ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଲକ୍ଷ ଲକ୍ଷ ଲୋକ ଜେଲ୍ ଗଲେ, ନିର୍ଯାତନା ସହିଲେ ଏବଂ ଅନେକେ ନିଜ ଜୀବନକୁ ବଳିଦାନ ଦେଲେ, ସେହି ସ୍ୱାଧୀନତାର ସ୍ୱପ୍ନ କେବଳ ଇଂରେଜ ଶାସନର ଅବସାନ ନୁହେଁ; ବରଂ ଥିଲା ଏକ ଶୋଷଣମୁକ୍ତ, ଭୟମୁକ୍ତ, ସମାନତାଭିତ୍ତିକ ଓ ମାନବିକ ଭାରତ ଗଠନ। ଗାନ୍ଧୀଜୀ ଏମିତି ଏକ ଭାରତର ସ୍ୱପ୍ନ ଦେଖିଥିଲେ, ଯେଉଁଠି ସମାଜର ଶେଷ ମଣିଷଟିର ଆଖିର ଲୁହ ପୋଛାଯିବ, କୃଷକ ଓ ଶ୍ରମିକ ସମ୍ମାନର ସହ ବଞ୍ଚିବେ, ନାରୀ ନିର୍ଭୟରେ ଚାଲିବେ ଏବଂ ଧର୍ମ ଓ ଜାତି ନାମରେ ମଣିଷ ମଣିଷ ମଧ୍ୟରେ ପାଚେରି ରହିବ ନାହିଁ। ସ୍ୱାଧୀନତାର ଦଶନ୍ଧି ପରେ ମଧ୍ୟ ଯଦି ଭୋକ, ବେକାରି, ଅସମାନତା, ଭେଦଭାବ ଓ ଭୟ ଆମ ସମାଜର ବାସ୍ତବତା ହୋଇ ରହିଛି, ତେବେ ଆମକୁ ନିଜକୁ ପଚାରିବାକୁ ହେବ—ଆମେ କେବଳ ଶାସକ ବଦଳାଇଛୁ ନା ସ୍ୱାଧୀନତାର ପ୍ରକୃତ ଅର୍ଥକୁ ମଧ୍ୟ ହାସଲ କରିପାରିଛୁ? ଗାନ୍ଧୀଙ୍କୁ ସ୍ମରଣ କରିବାର ଅର୍ଥ କେବଳ ତାଙ୍କ ଛବିରେ ଫୁଲ ଦେବା ନୁହେଁ; ତାଙ୍କ ଅସମ୍ପୂର୍ଣ୍ଣ ସ୍ୱପ୍ନକୁ ସାକାର କରିବା ପାଇଁ ସତ୍ୟ ଓ ଅହିଂସାର ପଥରେ ଅନ୍ୟାୟ ବିରୋଧରେ ଠିଆ ହେବା। ସ୍ୱାଧୀନତା କେବଳ ଶାସନରୁ ମୁକ୍ତି ନୁହେଁ; ଏହା ଭୋକରୁ ମୁକ୍ତି, ଭୟରୁ ମୁକ୍ତି, ଅନ୍ୟାୟରୁ ମୁକ୍ତି ଏବଂ ମଣିଷର ମର୍ଯ୍ୟାଦା ସହ ବଞ୍ଚିବାର ଅଧିକାର। ଏହି ସ୍ୱାଧୀନତାର ସ୍ୱପ୍ନ ହିଁ ଗାନ୍ଧୀଙ୍କ ପ୍ରକୃତ ଭାରତ ବୋଲି ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ୧୫୭ତମ ଜୟନ୍ତୀ ଅବସରରେ “ଗାନ୍ଧୀଙ୍କ ସ୍ୱପ୍ନର ଭାରତ ଓ ଆଜି” ଶୀର୍ଷକ ମହାତ୍ମା ସ୍ମାରକୀ ବକ୍ତୃତା ପ୍ରଦାନ କରି ବିଶିଷ୍ଟ ଗାନ୍ଧୀବାଦୀ ଲେଖକ ଗୌରାଙ୍ଗ ଚରଣ ପରିଡ଼ା କହିଥିଲେ।

ପୁରୀ ଜିଲ୍ଲା ସର୍ବୋଦୟ ମଣ୍ଡଳ ଓ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ପୁରୀ ଶାଖା ପକ୍ଷରୁ ପୁରୀ ଚନ୍ଦ୍ରଶେଖର ପାଠାଗାରଠାରେ ବିଶିଷ୍ଟ ସାହିତ୍ୟିକ ଶିବସୁନ୍ଦର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସାମାଜିକ କର୍ମୀ ସ୍ୱାଧୀନ କୁମାର ପଣ୍ଡା, ସମାଜସେବୀ ରାଜେଶ କୁମାର ମିଶ୍ର, ଚକ୍ରଧର ମହାପାତ୍ର, ‘ଶିଶୁ ସମାଚାର’ର ସମ୍ପାଦକ ସୁକାନ୍ତ ପଣ୍ଡା, ସମାଜସେବୀ ଅମରେନ୍ଦ୍ର ପାଇକରାୟ, ଓ ଯୁବ ସାଂସ୍କୃତିକ କର୍ମୀ ଚନ୍ଦନ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମହାତ୍ମା ଗାନ୍ଧୀଙ୍କ ସ୍ୱାଧୀନତା ଆନ୍ଦୋଳନରେ ଅବଦାନ, ତାଙ୍କ ଆଦର୍ଶ ତଥା ସାମ୍ପ୍ରତିକ ସମୟରେ ଗାନ୍ଧୀ ବିଚାରର ପ୍ରାସଙ୍ଗିକତା ଉପରେ ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଓଡ଼ିଶା ଶାଖାର ସହଯୋଗରେ ଆୟୋଜିତ ଜିଲ୍ଲାସ୍ତରୀୟ ଗାନ୍ଧୀ କୁଇଜ୍ ପ୍ରତିଯୋଗିତାର ୩୦ ଜଣ କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ପୁରୀ ସହରର ୧୦ଟି ଉଚ୍ଚ ବିଦ୍ୟାଳୟରୁ ମୋଟ ୫୫୦ ଜଣ ଛାତ୍ରଛାତ୍ରୀ ଏହି କୁଇଜ୍ ପ୍ରତିଯୋଗିତାରେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।

ପୁରୀ ଜିଲ୍ଲା ସର୍ବୋଦୟ ମଣ୍ଡଳ ଓ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ପୁରୀ ଶାଖାର ଆବାହକ ମାନସ ପଟ୍ଟନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କିଶୋର ଚନ୍ଦ୍ର ଦାସ, ହରିଶଙ୍କର ମିଶ୍ର, ସରସ୍ୱତୀ ପାତ୍ର, ବିଦୁଲତା ଆଚାର୍ଯ୍ୟ, ଜଗନ୍ନାଥ ଦେଓ, ତାପସୁ ବାବୁ, ବିଶ୍ୱନାଥ ମିଶ୍ର, ନୃସିଂହନାଥ ନାୟକ, ସନ୍ଧ୍ୟାରାଣୀ ମିଶ୍ର, ଶିଶିରକାନ୍ତ ଶତପଥୀ, ମନୋରଞ୍ଜନ ରଣସିଂହ, ସନ୍ତୋଷ ସେନାପତି, ପ୍ରକାଶ ଚନ୍ଦ୍ର ନାୟକ, ଅମ୍ରିତ ସାମନ୍ତରାୟ, ନିହାରିକା ତ୍ରିପାଠୀଙ୍କ ସମେତ ବହୁ ବ୍ୟକ୍ତିବିଶେଷ ଉପସ୍ଥିତ ରହି ଗାନ୍ଧୀଜୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ପ୍ରାରମ୍ଭରେ ଅତିଥିମାନେ ଗାନ୍ଧୀଜୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଗଛରେ ଜଳଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଶେଷରେ ମହିଳା ଅଧିକାର କର୍ମୀ ସୁମିତା ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply