ନୟାଗଡ଼, ତା- ୦୭. ୧୦. ୨୬ରିଖ-ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ- ନୟାଗଡ଼ ଜିଲ୍ଲା ସଦର ମହକୁମା ସ୍ଥିତ ଗୋଲେଇ ଛକଠାରେ ସେବା ସଂକଳ୍ପ ଅଭିଯାନ-୨୦୨୬ ଅବସରରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ,ନୟାଗଡ଼ ତରଫରୁ ସଡ଼କ ସୁରକ୍ଷା ସଚେତନତା ଓ ମାଗଣା ହେଲମେଟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ମାନନୀୟା ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୁବାଷ ଚନ୍ଦ୍ର ପଣ୍ଡା, ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ବିଭୁ

ରଞ୍ଜନ ନାୟକ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପ୍ରଦୀପ୍ତ କୁମାର ସେନାପତି ଉପସ୍ଥିତ ରହି ଜନସାଧାରଣଙ୍କୁ ସଡ଼କ ସୁରକ୍ଷା ନେଇ ସଚେତନ କରିଥିଲେ। ଦୁଇଚକିଆ ଯାନ ଚାଳନା ସମୟରେ ହେଲମେଟ ପିନ୍ଧିବା, ଅତ୍ୟଧିକ ବେଗରେ ଯାନ ନ ଚଲାଇବା, ମଦ୍ୟପାନ କରି ଗାଡ଼ି ନ ଚଲାଇବା ଏବଂ ଗାଡ଼ି ଚଲାଇବା ସମୟରେ ମୋବାଇଲ୍ ଫୋନ୍ ବ୍ୟବହାର ନ କରିବା ଆଦି ଟ୍ରାଫିକ୍ ନିୟମ ପାଳନ ଉପରେ ଅଧିକାରୀମାନେ ଗୁରୁତ୍ୱାରୋପ କରିଥିଲେ।
ଏହି ଅବସରରେ କୁଇଜ ମାଧ୍ୟମରେ ସଠିକ ଉତ୍ତର ଦେଇଥିବା ଯୋଗ୍ୟ ଚାଳକମାନଙ୍କୁ ମାଗଣା ହେଲମେଟ ବଣ୍ଟନ କରାଯାଇଥିଲା। ସଡ଼କ ଦୁର୍ଘଟଣା ରୋକିବା ସହ ଅମୂଲ୍ୟ ଜୀବନର ସୁରକ୍ଷା ପାଇଁ ପ୍ରତ୍ୟେକ ନାଗରିକ ଟ୍ରାଫିକ୍ ନିୟମକୁ ଦାୟିତ୍ୱର ସହ ପାଳନ କରିବାକୁ ଏହି ଅବସରରେ ଆହ୍ୱାନ କରାଯାଇଥିଲା।










