କାକଟପୁର ତା 15/01, କାକଟପୁର ବ୍ଲକ ଅଧିନସ୍ଥ ପ୍ରାଚୀ ଶ୍ରୀକ୍ଷେତ୍ର ଆନନ୍ଦବଜାର ଜଗନ୍ନାଥ ମନ୍ଦିର ପରିସରରେ, ପୁରୀର ଶ୍ରୀଗୁଣ୍ଡିଚା ଓ ବାହୁଡା଼ ଯାତ୍ରାରେ ରଥରେ ବ୍ରେକ ଓ ପୁଲି ନିୟନ୍ତ୍ରଣ କାର୍ଯ୍ୟ ତୁଲାଉଥିବା ତିରିଶି ଜଣ ରଥ ସେବକଙ୍କୁ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଦିତ କରାଯାଇଛି l ଆୟୋଜିତ ଉତ୍ସବରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁଙ୍କ ପୌରୋହିତ୍ୟରେ ମୁଖ୍ୟ ଅତିଥି ଭାବେ ରେଳ ବିଭାଗର ସେବା ନିବୃତ ମୁଖ୍ୟ ଚିକିତ୍ସାଧିକାରୀ ଡ଼ଃ ଗୋପାଳ ଚନ୍ଦ୍ର ଦାଶ, ମୁଖ୍ୟ ବକ୍ତା ଭାବେ କାକଟପୁର ପ୍ରେସ କ୍ଲବର ସଭାପତି କମଳ ଲୋଚନ ଦୀକ୍ଷିତ, ସମ୍ମାନୀୟ ଅତିଥି ଭାବେ ରଥ ବ୍ରେକ ଓ ପୁଲି ନିୟନ୍ତ୍ରଣର ମୁଖ୍ୟ ପରିଚାଳକ ବିଚିତ୍ରାନନ୍ଦ ନାୟକ ଯୋଗଦେଇ ଦୀର୍ଘ 30 ବର୍ଷ ଧରି ରଥ ଯାତ୍ରା ସମୟରେ ରଥକୁ କିପରି ଭାବେ ନିୟନ୍ତ୍ରଣ କରିବାକୁ, ଅକ୍ଲାନ୍ତ ପରିଶ୍ରମ ଓ ଜଗନ୍ନାଥଙ୍କ ପ୍ରତି ସମର୍ପିତ ଭାବ ରଖି କିଭଳି ନିଃଶୁଳ୍କ ସେବା କରିଥିଲେ ତାହା ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ l ପ୍ରଥମେ ଅତିଥି ମାନଙ୍କୁ ଶ୍ରୀଜଗନ୍ନାଥଙ୍କ ଖଣ୍ଡୁଆ ପାଟ ଦେଇ ସମ୍ବର୍ଦ୍ଦିତ କରାଯିବାପରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା l ଜଗନ୍ନାଥଙ୍କ ଏହି ସେବା କାର୍ଯ୍ୟ କରୁଥିବା ମହାନ ଶିଳ୍ପୀ ମାନଙ୍କୁ ଅତିଥି ମାନେ ଭୁୟସୀ ପ୍ରଶଂସା କରିଥିଲେ l ପରେ ପରେ ମନ୍ଦିର ପ୍ରଶାସନ ପକ୍ଷରୁ ୩ ରଥର ମୁଖ୍ୟ ପରିଚାଳକ ବିଚିତ୍ରାନନ୍ଦ ନାୟକ, ଉପ ମୁଖ୍ୟ ପରିଚାଳକ ଆଶୁତୋଷ ନାୟକ, କୈଳାଶ ଚନ୍ଦ୍ର ନାୟକ, ରବୀନ୍ଦ୍ରନାଥ ସ୍ୱାଇଁ, ଭ୍ରମରବାର ବେହେରା ସମେତ ତିରିଶି ଜଣ ସେବକଙ୍କୁ ସମ୍ବର୍ଦ୍ଦିତ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମକୁ ନୃସିଂହ ଚରଣ ବେହେରା, ଶୈଲନ୍ୟ କୁମାର ପାତ୍ର, ବେଣୁଧର ପରିଡା, ରାଜକିଶୋର ପରିଡା ପ୍ରମୁଖ ସହଯୋଗ କରିଥିଲେ l
ଶ୍ରୀଜଗନ୍ନାଥଙ୍କ ରଥ ସେବକଙ୍କୁ ସମ୍ବର୍ଦ୍ଦିତ











