Home / ମୁଖ୍ୟ ଖବର / ଅକ୍ଟୋବର ୨୫ରୁ ଦୁଇଦିନିଆ କୁମାର ଉତ୍ସବ- ମୁଖ୍ୟ ଆକର୍ଷଣ ସାଂସ୍କୃତିକ ଆସର, ସହ ଇନିଆନ୍ ଆଇଡଲ୍ ବିଜେତା ଜ୍ୟୋତିର୍ମୟୀ ନାୟକ ।

ଅକ୍ଟୋବର ୨୫ରୁ ଦୁଇଦିନିଆ କୁମାର ଉତ୍ସବ- ମୁଖ୍ୟ ଆକର୍ଷଣ ସାଂସ୍କୃତିକ ଆସର, ସହ ଇନିଆନ୍ ଆଇଡଲ୍ ବିଜେତା ଜ୍ୟୋତିର୍ମୟୀ ନାୟକ ।

ପୁରୀ, ୨୩/୧୦: ଶ୍ରୀକ୍ଷେତ୍ରର ସାଂସ୍କୃତିକ ପରମ୍ପରାକୁ ନୂଆ ପରିଚୟ ଦେବା ସହ ଜାତୀୟସ୍ତରରେ କଳା ଓ ସଂସ୍କୃତିର ଆଦାନପ୍ରଦାନ ଲକ୍ଷ୍ୟରେ ଶ୍ରୀକ୍ଷେତ୍ର ୟୁଥ୍ କଲଚରାଲ୍ ଆସୋସିଏସନ୍ (ଏସ୍‌ୱାଇସିଏ) ପକ୍ଷରୁ ଆୟୋଜିତ ହେବ ୪୭ତମ କୁମାର ଉତ୍ସବ-୨୦୨୬। ଅକ୍ଟୋବର ୨୫ ଓ ୨୬ ତାରିଖରେ ପୁରୀର ଗୋଲ୍ଡେନ୍ ସି ବିଚ୍‌ଠାରେ ଦୁଇଦିନ ଧରି ଏହି ଉତ୍ସବ ଚାଲିବ। ଏଥିରେ ମନ୍ତ୍ରୀ, ସାଂସଦ, ପ୍ରଶାସନିକ ଅଧିକାରୀଙ୍କ ସମେତ ବହୁ ବିଶିଷ୍ଟ ଅତିଥି ଯୋଗଦେବାକୁ ଥିବାବେଳେ ଦେଶର ବିଭିନ୍ନ ରାଜ୍ୟର ଲୋକନୃତ୍ୟ, ସଙ୍ଗୀତ ଓ ହାସ୍ୟ କାର୍ଯ୍ୟକ୍ରମ ଉତ୍ସବର ମୁଖ୍ୟ ଆକର୍ଷଣ ହେବ।ଏ ନେଇ ଶନିବାର ବଳିଆପଣ୍ଡାସ୍ଥିତ ହୋଟେଲ ସାଗରକନ୍ୟାଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ବୀରେନ୍ଦ୍ର ନାରାୟଣ ଗୋଛିକାର,


ସାଧାରଣ ସମ୍ପାଦକ ସନ୍ତୋଷ କୁମାର ଶତପଥୀ ଓ କୋଷାଧ୍ୟକ୍ଷ ଜିତେନ୍ଦ୍ର ଦାସ ମହାପାତ୍ର ଉତ୍ସବର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।୨୫ ତାରିଖର ଉଦ୍‌ଘାଟନୀ ସମାରୋହରେ ରାଜ୍ୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ପୁରୀ ସାଂସଦ ଡା. ସମ୍ବିତ ପାତ୍ର,ସଭାପତି ଡ. ତପନ କୁମାର ଚାନ୍ଦ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ମହାନଗର ନିଗମର ଯୁଗ୍ମ କମିସନର ଅଭିମନ୍ୟୁ ବେହେରା ଓ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଯୋଗଦେବେ। ସେହିପରି ୨୬ ତାରିଖର ଉଦ୍‌ଯାପନୀ ସମାରୋହରେ ବିଧାନସଭା ବାଚସ୍ପତି ସୁରମା ପାଢ଼ୀ, ରାଜ୍ୟସଭା ସାଂସଦ ସୁଭାଷିଶ ଖୁଣ୍ଟିଆ ଓ ସମୀକ ଭଟ୍ଟାଚାର୍ଯ୍ୟ, ପଶ୍ଚିମବଙ୍ଗ ବିଧାନସଭାର ମୁଖ୍ୟ ସଚେତକ ଅମ୍ଳାନ ଭାଦୁରୀ ଏବଂ ଓମକାରନାଥ ମିଶନର ସଭାପତି ପ୍ରିୟନାଥ ଚାଟାର୍ଜୀ ଅତିଥି ଭାବେ ଯୋଗଦେବେ ସାଂସ୍କୃତିକ କାର୍ଯ୍ୟକ୍ରମରେ ସମ୍ବଲପୁରୀ ଲୋକନୃତ୍ୟ ସହ ପଶ୍ଚିମବଙ୍ଗ ଓ ଆସାମର ପାରମ୍ପରିକ ନୃତ୍ୟ ପରିବେଷଣ କରାଯିବ। ଇଷ୍ଟର୍ଣ୍ଣ ଜୋନାଲ୍ କଲଚରାଲ୍ ସେଣ୍ଟର, କୋଲକାତା ଓ ନର୍ଥ ଇଷ୍ଟର୍ଣ୍ଣ ଜୋନାଲ୍ କଲଚରାଲ୍ ସେଣ୍ଟର, ଦିମାପୁରର ସାଂସ୍କୃତିକ ଦଳ ଏଥିରେ ଅଂଶଗ୍ରହଣ କରିବେ। ଓଲିଉଡ୍‌ର ହାସ୍ୟ ଅଭିନେତା ପ୍ରଜ୍ଞା ଓ ଶଙ୍କରଙ୍କ ହାସ୍ୟ କାର୍ଯ୍ୟକ୍ରମ ସହ ଇଣ୍ଡିଆନ୍ ଆଇଡଲ୍ ବିଜୟିନୀ ଜ୍ୟୋତିର୍ମୟୀ ନାୟକଙ୍କ ସଙ୍ଗୀତ ପରିବେଷଣ ଦର୍ଶକଙ୍କୁ ଆକୃଷ୍ଟ କରିବ।ଉତ୍ସବର ଅନ୍ୟତମ ଆକର୍ଷଣ ହେବ ଅନୁଷ୍ଠାନ ପକ୍ଷରୁ ପ୍ରସ୍ତୁତ ସଙ୍ଗୀତ କାର୍ଯ୍ୟକ୍ରମ ‘ଜହ୍ନ ସ୍ମୃତିର ଚିହ୍ନ’। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ପ୍ରତିଭାବାନ ବ୍ୟକ୍ତିଙ୍କୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯିବ।ଦେଶର ବିଭିନ୍ନ ରାଜ୍ୟର ସାଂସ୍କୃତିକ ବିବିଧତାକୁ ଏକ ମଞ୍ଚରେ ଉପସ୍ଥାପନ କରିବା ସହ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାର ପ୍ରଚାରପ୍ରସାର କରିବା ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସାଧାରଣ ସଂପାଦକ ଶ୍ରୀ ଶତପଥୀ ସୂଚନା ପ୍ରଦାନ କରି କହିଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply