Home / ମୁଖ୍ୟ ଖବର / ୬୩ତମ ଉତ୍କଳ ରାଜ୍ୟଶାସ୍ତ୍ରୀୟ ସ୍ପର୍ଦ୍ଧା

୬୩ତମ ଉତ୍କଳ ରାଜ୍ୟଶାସ୍ତ୍ରୀୟ ସ୍ପର୍ଦ୍ଧା

whatsapp image 2026 01 21 at 8.24.47 pm

​ପୁରୀ (୨୧/୦୧/୨୦୨୬): ପୁରୀ ସ୍ଥିତ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଶ୍ରୀ ସଦାଶିବ ପରିସର ପକ୍ଷରୁ ୬୩ତମ ଉତ୍କଳ ରାଜ୍ୟଶାସ୍ତ୍ରୀୟ ସ୍ପର୍ଦ୍ଧା (୨୦୨୫-୨୬) ଆଜି ମହାସମାରୋହରେ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଉତ୍ସବରେ ପରିସରର ଛାତ୍ରମାନଙ୍କ ଦ୍ୱାରା ମଙ୍ଗଳାଚରଣ ପାଠ କରାଯାଇଥିବା ବେଳେ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ପରିସରର ନିର୍ଦ୍ଦେଶକ ପ୍ରଫେସର ପ୍ରଭାତ କୁମାର ମହାପାତ୍ର କହିଥିଲେ ଯେ, “ଶାସ୍ତ୍ରୀୟ ସ୍ପର୍ଦ୍ଧା କେବଳ ଏକ ପ୍ରତିଯୋଗିତା ନୁହେଁ, ବରଂ ଏହା ଆମର ପ୍ରାଚୀନ ଶାସ୍ତ୍ରୀୟ ପରମ୍ପରାକୁ ଜୀବନ୍ତ ରଖିବାର ଏକ ପ୍ରୟାସ।” ଅତିଥି ଭାବେ ଯୋଗଦେଇ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ, ଶାନ୍ତିନିକେତନର ପୂର୍ବତନ ଆଚାର୍ଯ୍ୟ ପ୍ରଫେସର ଅରୁଣ ରଞ୍ଜନ ମିଶ୍ର ଏବଂ ସାହିତ୍ୟ ବିଭାଗର ପୂର୍ବତନ ଆଚାର୍ଯ୍ୟ ପ୍ରଫେସର ସୂର୍ଯ୍ୟମଣି ରଥ ନିଜ ମନ୍ତବ୍ୟରେ ସଂସ୍କୃତ ଭାଷା ଓ ଶାସ୍ତ୍ରର ଗାରିମା ଉପରେ ଗୁରୁତ୍ୱାରୋପ କରି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ l

ଦିବସବ୍ୟାପି ଚାଲିଥିବା ଏହି କାର୍ଯ୍ୟକ୍ରମରେ ଅକ୍ଷରଶ୍ଳୋକୀ, ବ୍ୟାକରଣ ଭାଷଣ, ଅମରକୋଷ କଣ୍ଠପାଠ, ଅଷ୍ଟାଧ୍ୟାୟୀ କଣ୍ଠପାଠ, ଧାତୁରୂପ କଣ୍ଠପାଠ, ଶ୍ରୀମଦ୍ ଭଗବଦ୍ ଗୀତା କଣ୍ଠପାଠ ଏବଂ ଜ୍ୟୋତିଷ ଭାଷଣ ଭଳି ପ୍ରାୟ ୧୪ରୁ ଅଧିକ ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଶେଷ କରି ଜୟଦେବ ସଭାଗୃହ ଏବଂ ପାଠାଗାର ସଂଗୋଷ୍ଠୀ କକ୍ଷରେ ପୃଥକ ପୃଥକ ଭାବେ ଶାସ୍ତ୍ରାର୍ଥ ଓ ଶଳାକା ପରୀକ୍ଷାମାନ କରାଯାଇଥିଲା। ଏହି ପ୍ରତିଯୋଗିତାରେ ଶ୍ରୀ ସଦାଶିବ ପରିସରର ଛାତ୍ରଛାତ୍ରୀଙ୍କ ବ୍ୟତୀତ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ପୁରୀ, ​ଗୁରୁକୁଳ ନବପ୍ରଭାତ ବୈଦିକ ବିଦ୍ୟାପୀଠ, ବରଗଡ଼,​ଗୁରୁକୁଳ ସଂସ୍କୃତ ମହାବିଦ୍ୟାଳୟ, ଚକାପାଦ, କନ୍ଧମାଳ
ଆଦି ବିବିଧ ଅନୁଷ୍ଠାନର ଅଧ୍ୟୟୀମାନେ ଅଂଶଗ୍ରହଣ କରିଥିଲେ l

​କାର୍ଯ୍ୟକ୍ରମର ସହ ସମନ୍ୱୟକ ଅଧ୍ୟାପକ ଡକ୍ଟର ନନ୍ଦିଘୋଷ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ, କାର୍ଯ୍ୟକ୍ରମର ସାମନ୍ୱୟକ ପ୍ରଫେସର ଗୌରପ୍ରିୟା ଦାଶ ପ୍ରସ୍ତାବନା ଉପସ୍ଥାପନା କରିଥିଲେ ଓ ସଂଯୋଜକ ଡଃ ନୀଳମାଧବ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ l ପରିଶେଷରେ ସମୂହ ବନ୍ଦେ ମାତରଂ ଓ ଶାନ୍ତି ପାଠ କରାଯାଇଥିଲା। ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଦର୍ଶନ ବିଭାଗର ସହାୟକ ଆଚାର୍ଯ୍ୟ ଡକ୍ଟର ଆଲୋକ ସେନ ସଂଚାଳନ କରିଥିଲେ l

SPREAD YOUR LOVE WITH YOUR FRIENDS AND FAMILY

Leave a Reply