କାକଟପୁର, ତା. ୨/୧୦ (ତୁଷାର ଦୀକ୍ଷିତ ): ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ କାକଟପୁର ଥାନା ପରିସରରେ କାକଟପୁର ପୋଲିସ ପକ୍ଷରୁ ଆୟୋଜିତ ମେଗା ରକ୍ତଦାନ ଶିବିର ଉତ୍ସାହ ଓ ମାନବିକତାର ପରିବେଶ ମଧ୍ୟରେ ସଫଳତାର ସହ ସମ୍ପନ୍ନ ହୋଇଛି। ଏହି ଶିବିରରେ ୧୦୦ରୁ ଊର୍ଦ୍ଧ୍ୱ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ବେଳେ ରକ୍ତଦାନ ଭଳି ମହତ୍ କାର୍ଯ୍ୟ ପ୍ରତି ସାଧାରଣରେ ସଚେତନତା ସୃଷ୍ଟି ସହ ‘ମାନବ ସେବା ହିଁ ମାଧବ ସେବା’ର ବାର୍ତ୍ତା ପ୍ରସାରିତ ହୋଇଛି।

ଶିବିରକୁ ପୁରୀ ଏସ୍ପି ଶ୍ରୀ ପ୍ରତୀକ ସିଂହ ମା ମଙ୍ଗଳା ଙ୍କୁ ଦର୍ଶନ କରିବା ପରେ ଉଦଘାଟନ କରିଥିବାବେଳେ ଅତିରିକ୍ତ ଏସ୍ପି ଶ୍ରୀ ସଚିନ ପଟେଲ ଏବଂ ନିମାପଡ଼ା ଏସ୍ଡିପିଓ ଶ୍ରୀ ଜନାର୍ଦ୍ଦନ ପାଢ଼ୀ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ ଏଭଳି ମାନବିକ ପଦକ୍ଷେପ ପାଇଁ କାକଟପୁର ପୋଲିସର ପ୍ରୟାସକୁ ପ୍ରଶଂସା କରିଥିଲେ। କାକଟପୁର ଥାନା ଆଇଆଇସି ଶ୍ରୀ ବସନ୍ତ କୁମାର ସାହୁଙ୍କ ନେତୃତ୍ୱ ଓ ସୁଚାରୁ ସମନ୍ୱୟରେ ଶିବିରଟି ଶୃଙ୍ଖଳିତ ଭାବେ ପରିଚାଳିତ ହୋଇଥିଲା। ଆଇଆଇସି ଶ୍ରୀ ସାହୁ ନିଜେ ରକ୍ତଦାନ କରି ରକ୍ତଦାନ ପ୍ରତି ନିଜର ପ୍ରତିବଦ୍ଧତା ପ୍ରକାଶ କରିବା ସହ ‘ପୁଲିସ ଫର ପିପୁଲ’ର ମାନବିକ ବାର୍ତ୍ତାକୁ ଆହୁରି ଦୃଢ଼ କରିଥିଲେ।
ଏହି ଅବସରରେ ରକ୍ତଦାନ କରିଥିବା ସମସ୍ତ ରକ୍ତଦାତା, କାକଟପୁର ପୋଲିସର ସମସ୍ତ କର୍ମଚାରୀ, ସ୍ୱେଚ୍ଛାସେବୀ ଓ ସହଯୋଗୀମାନଙ୍କୁ ପୋଲିସ ପକ୍ଷରୁ ହୃଦୟରୁ କୃତଜ୍ଞତା ଜଣାଯାଇଛି। ଗାନ୍ଧୀଜୀଙ୍କ ଅହିଂସା, ସେବା ଓ ମାନବିକତାର ଆଦର୍ଶକୁ ସ୍ମରଣ କରି ଆୟୋଜିତ ଏହି ରକ୍ତଦାନ ଶିବିର ସମାଜ ପ୍ରତି ପୋଲିସର ଦାୟିତ୍ୱବୋଧ ଓ ମାନବିକ ଚିନ୍ତାଧାରାର ଏକ ଉଲ୍ଲେଖନୀୟ ଉଦାହରଣ ପାଲଟିଛି।











