କାକଟପୁର, ତା. ୩/୧୦, (ତୁଷାର ଦୀକ୍ଷିତ ) ପୁରୀ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ପୀଠରେ ପବିତ୍ର ମୂଳାଷ୍ଟମୀ ତିଥିରୁ ଆରମ୍ଭ ହୋଇଛି ଷୋଡ଼ଶ ଉପଚାର ପୂଜା l ପ୍ରତିବର୍ଷ ଭଳି ଚଳିତ ବର୍ଷ ମୂଳାଷ୍ଟମୀ ତିଥିରେ ମା ଙ୍କର ଶହସ୍ର କୁମ୍ଭାଭିଷେକ ନୀତି ଅନୁଷ୍ଠିତ ହୋଇଥିଲା l ଦିବା ୨ ଘଟିକା ପରଠାରୁ ଦେବୀ ଉତ୍ଥାପନ ପରେ ମା ଙ୍କର ଉଲାଗି କରାଯାଇ ମହାସ୍ନାନ କରାଯାଇଥିଲା l ପୂଜାପଣ୍ଡା ସେବକ ମାନେ ବାମ୍ଫି ଜଳରେ ବିଭିନ୍ନ ସୁବାସିତ ଦ୍ରବ୍ୟ ଯଥା ଅଗରୁ, ଚନ୍ଦନ, ଜାଇଫଳ, ଖିର, ମହୁ, ଚୁଆ ଆଦି ଦ୍ରବ୍ୟ ମିଶ୍ରଣ କରି ୧୦୮ କଳସ ଜଳରେ କୁଳପୁରୋହିତ ଙ୍କ ମନ୍ତ୍ର ଧ୍ୱନି ରେ ମହାସ୍ନାନ କରାଯାଇଥିଲା l ଏହି ସ୍ନାନ ବର୍ଷକୁ ଥରେ ସର୍ବସାଧାରଣ ଙ୍କ ଦର୍ଶନ ନିମନ୍ତେ ଘଣ୍ଟ, ଘଣ୍ଟା, ମାଦଳ, ତୁରୀ, କାହାଳି ଆଦି ପାରମ୍ପରିକ ବାଦ୍ୟ ବଜାଯାଇ ପହୁଡ଼ ଖୋଲାଯାଇଥିଲା l ପାରମ୍ପରିକ ପ୍ରଥା ଅନୁଯାଇ ଘଟ ସ୍ଥାପନ, ସିଂହ ପୂଜା, ଦ୍ୱାରପାଳ ପୂଜା ଓ ସୂର୍ଯ୍ୟପୂଜା ଆଦି ନୀତି ସମାପନ ପରେ ବଲ୍ଲବ ଧୂପ କରାଯାଇଥିଲା l ଆଜିଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଆହୋରାତ୍ର ପହୁଡ଼ ଖୋଲାଯିବା ସହିତ ସାହାଣ ମେଲା କରାଯାଇଥାଏ l ଆଜିଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ମା ଦୁର୍ଗାଙ୍କୁ ଆମିଷ ଭୋଗ ଲାଗି କରାଯାଇଥାଏ l ଷୋଡଶ ଉପଚାର ପୂଜାପାଇଁ ମନ୍ଦିର ବାହାର ଓ ଭିତର ବେଢାକୁ ଫୁଲରେ ସୁସଜ୍ଜିତ କରାଯିବା ସହିତ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି l
ମା’ ମଙ୍ଗଳା ପୀଠରେ ସହସ୍ର କୁମ୍ଭାଭିଷେକ ନୀତି ଶେଷ,ଷୋଡ଼ଶ ଉପଚାର ପୂଜା ଆରମ୍ଭ











