ପୁରୀ, ୬/୧୦ : ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀବାସୀଙ୍କ ନିମନ୍ତେ ସ୍ଥାୟୀ, ସ୍ପଷ୍ଟ ଓ ସମ୍ମାନଜନକ ବ୍ୟବସ୍ଥା ଦାବିରେ ଗତ ୧ ଅପ୍ରେଲ ଉତ୍କଳ ଦିବସରୁ ଶ୍ରୀଗୁଣ୍ଡିଚା ମନ୍ଦିର ଓ ତା ପରଦିନ ବଳଗଣ୍ଡିସ୍ଥିତ ଭକ୍ତ ସାଲବେଗ ପୀଠରୁ ଶ୍ରୀମନ୍ଦିର ସିଂହଦ୍ୱାର ପର୍ଯ୍ୟନ୍ତ ଚାଲିଥିବା ସଚେତନତା ପଦଯାତ୍ରା ଆଜି ୧୮୯ ଦିନରେ ପହଞ୍ଚିଛି। ଆଜି ପବିତ୍ର ଇନ୍ଦିରା ଏକାଦଶୀ। ଏଭଳି ପବିତ୍ର ଦିନରେ ମଧ୍ୟ ପୁରୀବାସୀ ନିଜ ଆରାଧ୍ୟ ମହାପ୍ରଭୁଙ୍କ ଦର୍ଶନ ପାଇଁ ସ୍ଥାୟୀ ବ୍ୟବସ୍ଥାରୁ ବଞ୍ଚିତ ରହିବା ଗଭୀର ବେଦନାର ବିଷୟ ବୋଲି ସତ୍ୟାଗ୍ରହୀମାନେ କହିଛନ୍ତି। ଅସ୍ଥାୟୀ ବ୍ୟବସ୍ଥା ବଦଳରେ ପୁରୀବାସୀଙ୍କ ପାଇଁ ଏକ ସ୍ଥାୟୀ ଓ ସମ୍ମାନଜନକ ସମାଧାନ କରିବାକୁ ସରକାରଙ୍କୁ ଦାବି କରାଯାଇଛି।
ପଦଯାତ୍ରାର ଆବାହକ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି, “ଏହି ଦାବି କାହା ବିରୋଧରେ ନୁହେଁ। ପୁରୀବାସୀଙ୍କ ଆସ୍ଥା, ପରମ୍ପରା ଓ ମହାପ୍ରଭୁଙ୍କ ସହ ଥିବା ଆତ୍ମିକ ସମ୍ପର୍କକୁ ସମ୍ମାନ ଦେଇ ସ୍ଥାୟୀ ବ୍ୟବସ୍ଥା ହିଁ ଆମର ଦାବି। ସମାଧାନ ନ ହେବା ପର୍ଯ୍ୟନ୍ତ ଅହିଂସାର ପଥରେ ଆମର ସତ୍ୟାଗ୍ରହ ଜାରି ରହିବ।”
ଆଜିର ସଚେତନତା ପଦଯାତ୍ରାରେ ସର୍ବଶ୍ରୀ ହରିଶଙ୍କର ମିଶ୍ର, ଚକ୍ରଧର ମହାପାତ୍ର, ବିଶ୍ୱନାଥ ମିଶ୍ର, ସୁକାନ୍ତ ପଣ୍ଡା, ନୃସିଂହନାଥ ନାୟକ, ପ୍ରକାଶ ଚନ୍ଦ୍ର ନାୟକ, ଯାଦବାନନ୍ଦ ରାୟ, କିଶୋର ଚନ୍ଦ୍ର ଦାସ, ରମେଶ ଚନ୍ଦ୍ର ମହାନ୍ତି, ସନ୍ଧ୍ୟାରାଣୀ ମିଶ୍ର, ଶୁଭଶ୍ରୀ ମହାରଣା, ମନୀଷା ପାତ୍ର, ଚିକି ସାହୁ, ତ୍ରିଶା ରାଉତ, ତନୁପ୍ରିୟା ଦାଶ, ମମତା ସ୍ୱାଇଁ, କାହ୍ନୁଚରଣ ପ୍ରଧାନ, ଜୁପିଟର ଦାସ, ଶିଶିରକାନ୍ତ ଶତପଥୀ, ମନୋରଞ୍ଜନ ରଣସିଂହ, ବରୁଣ ମହାପାତ୍ର, ଲାଲା ଅନନ୍ତ ସିଂହ, ଗଦାଧର ମହାରଣା, ଅଭିମନ୍ୟୁ ରାୟଗୁରୁ, ଭୋଳା ଓ ସୁବାସ ପଟ୍ଟନାୟକଙ୍କ ସମେତ ବହୁ ସତ୍ୟାଗ୍ରହୀ ଯୋଗଦେଇଥିଲେ।
୧୮୯ ଦିନର ଏହି ଅବିରତ ପଦଯାତ୍ରା ଦର୍ଶାଉଛି ଯେ, ଶାନ୍ତିପୂର୍ଣ୍ଣ ଓ ଗଣତାନ୍ତ୍ରିକ ପଦ୍ଧତିରେ ଦାବି ଉପସ୍ଥାପନ କରିବାରେ ପୁରୀବାସୀଙ୍କ ସଂକଳ୍ପ ଆଜି ମଧ୍ୟ ଅଟୁଟ। ପ୍ରତୀକ୍ଷା ଲମ୍ବା ହୋଇପାରେ, କିନ୍ତୁ ଅଧିକାର ପାଇଁ ଅହିଂସାମୂଳକ ସଂକଳ୍ପ ଦୁର୍ବଳ ହୋଇନାହିଁ। ସ୍ଥାୟୀ ସମାଧାନ ନହେବା ପର୍ଯ୍ୟନ୍ତ ନିରବ ସତ୍ୟାଗ୍ରହ ଓ ସଚେତନତା ପଦଯାତ୍ରା ଅବ୍ୟାହତ ରହିବ। ଜୟ ଜଗନ୍ନାଥ। 🙏











