ପୁରୀ:ତା ୦୫/୦୨/୨୦୨୬ରିଖ – ଶକ୍ତି, ସାହସର ଦେବୀ ଭାବେ ପରିଚିତ, ମାଁ ବଗଳାମୁଖୀ, ଦଶମହାବିଦ୍ୟାଙ୍କ ମଧ୍ୟରୁ ଜଣେ। ମାଁ ବଗଳାମୁଖୀଙ୍କ ଆରାଧନା ମାଧ୍ୟମରେ ନକରାତ୍ମକ ଶକ୍ତି ନିରୋଧ, ଶତ୍ରୁ ନାଶ, ବିଘ୍ନ ବାଧା ନିବାରଣ ଓ ମନୋବଳ ବୃଦ୍ଧି ହୁଏ ବୋଲି ଶାସ୍ତ୍ରରେ ବର୍ଣ୍ଣିତ ଅଛି । ଭକ୍ତମାନଙ୍କ ଆସ୍ଥା ଅନୁଯାୟୀ, ମାଁ ବଗଳାମୁଖୀ ସମସ୍ତ ଅଶୁଭ ଶକ୍ତିକୁ ନିରୋଧ କରି ସଠିକ୍ ପଥରେ ଜୀବନକୁ ଆଗେଇ ନେଇଯାଆନ୍ତି ବୋଲି ଭକ୍ତଙ୍କ ମଧ୍ୟରେ ବିଶ୍ବାସ ରହିଛି ।

ଏହି ପବିତ୍ର ଆସ୍ଥାକୁ ଆଧାର କରି, ଆସନ୍ତା ୧୫ ଫେବୃଆରୀ ୨୦୨୬ (ରବିବାର) ଠାରୁ ୨୧ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ, ପୁରୀ ଜିଲ୍ଲା ସ୍ଥିତ ଦାଣ୍ଡମୁକୁନ୍ଦପୁର ଗ୍ରାମରେ ଅବସ୍ଥିତ ମାଁ ବଗଳାମୁଖୀ ପୀଠରେ ୧୪୧ କୁଣ୍ଡିୟ ଶ୍ରୀ ନିଖିଳ ବ୍ରହ୍ମାଣ୍ଡ ଗାୟତ୍ରୀ ଗୋମାତା ବିଶ୍ୱଶାନ୍ତି ମହାଯଜ୍ଞ ମହୋତ୍ସବ ଭବ୍ୟ ଓ ଧାର୍ମିକ ରୀତି-ନୀତି ସହ ଅନୁଷ୍ଠିତ ହେବାକୁ ଯାଉଛି।

ଏହି ମହାନ୍ ଧାର୍ମିକ ଅନୁଷ୍ଠାନରେ—ସହସ୍ର ଚଣ୍ଡୀପାଠ, ସହସ୍ର ରୁଦ୍ରାଭିଷେକ, ସହସ୍ର ଗୀତାପାଠ, ଶ୍ରୀସୂକ୍ତ ଯଜ୍ଞ, ନାରାୟଣ ଜପ, ହୋମ, ତର୍ପଣ ଓ ମାର୍ଜନା ଭଳି ବିଭିନ୍ନ ଶାସ୍ତ୍ରୋକ୍ତ ବେଦିକ କାର୍ଯ୍ୟକ୍ରମ ସମ୍ପନ୍ନ ହେବା ସହିତ ମା ବଗଳାଦେବୀଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ।
ଏହି ମହାନୁଷ୍ଠାନ ମାଧ୍ୟମରେ ବିଶ୍ୱଶାନ୍ତି, ଦେଶ-ଜନକଳ୍ୟାଣ, ସମୃଦ୍ଧି, ସାମାଜିକ ସମନ୍ୱୟ ଓ ସକାରାତ୍ମକ ଶକ୍ତି ପ୍ରସାର ପାଇଁ ପ୍ରାର୍ଥନା କରାଯିବ। ମହାଯଜ୍ଞରେ ବେଦପାଠ, ମନ୍ତ୍ରୋଚ୍ଚାରଣ, ହୋମ-ଯଜ୍ଞ, ପୂଜା-ଅର୍ଚ୍ଚନା ସହିତ ମାଁ ବଗଳାମୁଖୀଙ୍କ ବିଶେଷ ଆରାଧନା କରାଯିବ। ଏହି ମହାଯଜ୍ଞ ମାଧ୍ୟମରେ ଦେଶ, ରାଜ୍ୟ ଓ ସମଗ୍ର ବିଶ୍ୱରେ ଶାନ୍ତି, ସମୃଦ୍ଧି, ସଦ୍ଭାବ ଓ ସକାରାତ୍ମକ ଶକ୍ତି ପ୍ରସାର ପାଇଁ ମାଁ ବଗଳାମୁଖୀଙ୍କ ଚରଣରେ ବିଶେଷ ପ୍ରାର୍ଥନା କରାଯିବ।

ଆୟୋଜକମାନଙ୍କ ସୂଚନା ଅନୁଯାୟୀ, ଏହି ମହାଯଜ୍ଞ ପ୍ରାୟ ୨ ଏକର ଜମିରେ ଆୟୋଜିତ ହେଉଛି। ମହାଯଜ୍ଞକୁ ସଫଳ କରିବା ପାଇଁ ୧୫୦ ମହାରଣା ପ୍ରାୟ ଦେଢ଼ ମାସରୁ ଅଧିକ ସମୟ ଧରି ନିରନ୍ତର ଭାବେ କାର୍ଯରତ ଅଛନ୍ତି। ଯଜ୍ଞ କ୍ଷେତ୍ରର ଚାରିପାଖରେ ବିଭିନ୍ନ ଦେବ-ଦେବୀଙ୍କ ସୁନ୍ଦର ପ୍ରତିମା ସ୍ଥାପନା ପାଇଁ ନିର୍ମାଣ କାର୍ଯ୍ୟ ଚାଲିଛି, ଯାହା ମହାଯଜ୍ଞକୁ ଅଧିକ ଆକର୍ଷଣୀୟ ଓ ଦିବ୍ୟ ରୂପ ଦେବ। ମହାରଣାଙ୍କ ମନରେ ଏକ ବିଶେଷ ଖୁସି ଦେଖିବାକୁ ମିଳିଛି।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି—ଏହି ମହାଯଜ୍ଞ ପାଇଁ ମୋଟ ୧୪୧ଟି ଅଲଗା ଅଲଗା ମହାଯଜ୍ଞ କୁଣ୍ଡ ନିର୍ମାଣ କରାଯାଉଛି, ଯେଉଁଥିରେ ନିର୍ଦ୍ଧାରିତ ବିଧି-ବିଧାନ ଅନୁଯାୟୀ ହୋମ ଓ ଆହୁତି ଦିଆଯିବ। ଭାରତର ବିଭିନ୍ନ ସ୍ଥାନରୁ ଆଗତ ଅଭିଜ୍ଞ ବ୍ରାହ୍ମଣ ଓ ପଣ୍ଡିତମାନଙ୍କ ଦ୍ୱାରା ସମସ୍ତ ଧାର୍ମିକ କାର୍ଯ୍ୟକ୍ରମ ସଂପନ୍ନ କରାଯିବ ବୋଲି ଆୟୋଜକମାନଙ୍କ ଠାରୁ ସୂଚନା ଦେଇଛନ୍ତି।
ମୁଖ୍ଯ ପୂଜକ ଦେବାଶିଷ ନନ୍ଦ ଏବଂ ଦାଣ୍ଡ ମୁକୁନ୍ଦପୁର ଗ୍ରାମବାସୀବୃନ୍ଦଙ୍କ ପକ୍ଷରୁ ସମସ୍ତ ଭକ୍ତ, ଶ୍ରଦ୍ଧାଳୁ ଓ ସାଧାରଣ ଜନସାଧାରଣଙ୍କୁ ଏହି ପବିତ୍ର ଅବସରରେ ସପରିବାର ଉପସ୍ଥିତ ରହି ମାଁ ବଗଳାମୁଖୀଙ୍କ ଅପାର କୃପା ଲାଭ କରିବାକୁ ବିନମ୍ର ଆହ୍ୱାନ ଜଣାଯାଇଛି। ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଏଠାରେ ମିନାବଜାର, ଭଜନ ସମାରୋହ ତଥା ପ୍ରସାଦ ସେବନର ସୁବ୍ୟବସ୍ଥା ମଧ୍ୟ ରହିଛି। ମାଁ ବଗଳାମୁଖୀଙ୍କ ଶକ୍ତି ଓ ଆରାଧନା ଆଧାରିତ ଏହି ମହାଯଜ୍ଞ, ଆତ୍ମିକ ଶାନ୍ତି ସହିତ ସମାଜରେ ସକାରାତ୍ମକ ଶକ୍ତି ପ୍ରସାର କରିବ ଏବଂ ଦାଣ୍ଡମୁକୁନ୍ଦପୁରକୁ ଏକ ଆଧ୍ୟାତ୍ମିକ କେନ୍ଦ୍ରରେ ପରିଣତ କରିବ ବୋଲି ସମସ୍ତଙ୍କ ବିଶ୍ବାସ ରହିଛି ।











