କାକଟପୁର, ତା. ୧୬/୯: କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ବରିଷ୍ଠ ସେବାୟତ ସ୍ୱର୍ଗତ ସାଧୁଚରଣ ଦୀକ୍ଷିତଙ୍କ ଧର୍ମପତ୍ନୀ ତଥା ଅଞ୍ଚଳର ଜଣେ ଧର୍ମପରାୟଣା ମହିଳା ସରୋଜିନୀ ଦୀକ୍ଷିତଙ୍କ ଆଜି ଦିବା ୩ଟା ସମୟରେ କାକଟପୁରସ୍ଥିତ ନିଜ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ସେ ଜଣେ ଧର୍ମପରାୟଣା, ମିଷ୍ଟଭାଷୀ ଓ ପରୋପକାରୀ ମହିଳା ଭାବେ ଅଞ୍ଚଳବାସୀଙ୍କ ମଧ୍ୟରେ ପରିଚିତ ଥିଲେ। ତାଙ୍କ ବିୟୋଗରେ ଦୀକ୍ଷିତ ପରିବାର ସମେତ ସମଗ୍ର ଅଞ୍ଚଳରେ ଶୋକର ପରିବେଶ ସୃଷ୍ଟି ହୋଇଛି। ମୃତ୍ୟୁଶଯ୍ୟା ନିକଟରେ ଜ୍ୟେଷ୍ଠ ପୁତ୍ର ଆଶିଷ ଦୀକ୍ଷିତ, କନିଷ୍ଠ ପୁତ୍ର ତଥା ବିଜେଡି ଯୁବନେତା ମାନସ ଦୀକ୍ଷିତ, ଏକମାତ୍ର କନ୍ୟା ରଶ୍ମିରେଖା ଦୀକ୍ଷିତ, ଜ୍ୱାଇଁ ଦେବରାଜ ଦୀକ୍ଷିତଙ୍କ ସମେତ ନାତି-ନାତୁଣୀ, ବନ୍ଧୁବାନ୍ଧବ ଓ ପରିଜନ ଉପସ୍ଥିତ ଥିଲେ।
ତାଙ୍କ ବିୟୋଗର ଖବର ପ୍ରଚାରିତ ହେବା ପରେ ବହୁ ବିଶିଷ୍ଟ ବ୍ୟକ୍ତି, ରାଜନେତା, ସେବାୟତ ଓ ଶୁଭେଚ୍ଛୁ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ମା’ ମଙ୍ଗଳା ମନ୍ଦିର ସେବାୟତ ନିଯୋଗର ସଭାପତି ମନୋରଞ୍ଜନ ପଣ୍ଡା, ଉପସଭାପତି କମଳ ଲୋଚନ ଦୀକ୍ଷିତ, ସମ୍ପାଦକ ପବିତ୍ର ମୋହନ ଦୀକ୍ଷିତ,ପୂର୍ବତନ ସରପଞ୍ଚ ତପନ କୁମାର ଦୀକ୍ଷିତ, କାକଟପୁର ସରପଞ୍ଚ ଅଭୟ କୁମାର ସେଠୀ, ସଞ୍ଜୟ ସାମଲ, ଅପୁ ଦୀକ୍ଷିତ, ସେବକ ସମିତି ସଦସ୍ୟ ତୁଷାର ରଞ୍ଜନ ଦୀକ୍ଷିତ, ହିମାଂଶୁ ଭୂଷଣ ଦୀକ୍ଷିତ, ଅଞ୍ଜନ କୁମାର ଦୀକ୍ଷିତ, ପ୍ରଦୀପ୍ତ କୁମାର ଦୀକ୍ଷିତଙ୍କ ସମେତ ବହୁ ବନ୍ଧୁବାନ୍ଧବ ଓ ଶୁଭେଚ୍ଛୁ ଉପସ୍ଥିତ ଥିଲେ। ପରେ ତାଙ୍କ ପାର୍ଥିବ ଶରୀରକୁ ଏକ ଶୋକାକୁଳ ଶୋଭାଯାତ୍ରାରେ ନିଆଯାଇ ଗ୍ରାମ୍ୟ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଜ୍ୟେଷ୍ଠ ପୁତ୍ର ଆଶିଷ ଓ କନିଷ୍ଠ ପୁତ୍ର ମାନସ ମୁଖାଗ୍ନି ଦେଇଥିଲେ। ସରୋଜିନୀ ଦୀକ୍ଷିତଙ୍କ ବିୟୋଗରେ ଅଞ୍ଚଳରେ ଏକ ଶୋକର ଛାୟା ଖେଳିଯାଇଥିବା ବେଳେ ବହୁ ବ୍ୟକ୍ତି ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି।










