କାକଟପୁର, ତା. ୧୬/୦୯ ( ତୁଷାର ଦୀକ୍ଷିତ ) କାକଟପୁର ଅଞ୍ଚଳରେ ଦହିବରା, ଆଳୁଦମ୍ ଓ ଗୁପଚୁପ୍ ଖାଇ ଶତାଧିକ ଲୋକ ଅସୁସ୍ଥ ହୋଇଥିବା ଘଟଣାକୁ ନେଇ ଅଞ୍ଚଳରେ ଚିନ୍ତା ପ୍ରକାଶ ପାଇଛି। ଅସୁସ୍ଥମାନଙ୍କ ମଧ୍ୟରେ ବହୁ ଛାତ୍ରଛାତ୍ରୀଙ୍କ ସମେତ ସାଧାରଣ ଲୋକ ଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୫୦ରୁ ଊର୍ଦ୍ଧ୍ୱଙ୍କୁ ବାଙ୍ଗୁରୀଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।ଘଟଣା ପରେ କାକଟପୁର ଓ ଅସ୍ତରଙ୍ଗ ଅଞ୍ଚଳରେ ରାସ୍ତାକଡ଼ର ଠେଲାଦୋକାନ, ଜଳଖିଆ ଦୋକାନ, ହୋଟେଲ ଓ ରେଷ୍ଟୁରାଣ୍ଟରେ ବିକ୍ରି ହେଉଥିବା ଖାଦ୍ୟର ଗୁଣବତ୍ତା ଓ ନିରାପତ୍ତା ନେଇ ପ୍ରଶ୍ନ ଉଠିଛି। ବିଶେଷକରି ଖାଦ୍ୟ ପ୍ରସ୍ତୁତିରେ ସ୍ୱଚ୍ଛତା, ବ୍ୟବହୃତ ତେଲ, ମସଲା, ରଙ୍ଗ, ଦୁଗ୍ଧଜାତ ପଦାର୍ଥ ଏବଂ ଦୀର୍ଘ ସମୟ ଧରି ରଖାଯାଇଥିବା ଖାଦ୍ୟର ମାନ ଯାଞ୍ଚ ନେଇ ଗ୍ରାହକମାନେ ଚିନ୍ତା ପ୍ରକାଶ କରିଛନ୍ତି। ଏହା ସହିତ ଛେନା, ପନିର, କ୍ଷୀର ଓ ବିଭିନ୍ନ ମିଠା ପ୍ରସ୍ତୁତିରେ ବ୍ୟବହୃତ କଞ୍ଚାମାଲର ଗୁଣବତ୍ତା ନେଇ ମଧ୍ୟ ଅଭିଯୋଗ ରହିଛି। ଚିନିର ବିକଳ୍ପ ଭାବେ ସାକାରିନ୍ର ବ୍ୟବହାର, ମିଠା ଓ କେକ୍ରେ ଅନୁମୋଦିତ ନଥିବା କୃତ୍ରିମ ରଙ୍ଗର ବ୍ୟବହାର ଏବଂ ପନିପରିବାକୁ ସତେଜ ଦେଖାଇବା ପାଇଁ ରାସାୟନିକ ପଦାର୍ଥ ବ୍ୟବହାର ଭଳି ଅଭିଯୋଗ ସାଧାରଣ ଲୋକଙ୍କ ମନରେ ଖାଦ୍ୟ ନିରାପତ୍ତା ନେଇ ଆଶଙ୍କା ସୃଷ୍ଟି କରିଛି। ଅନ୍ୟପକ୍ଷରେ, ଦୁଗ୍ଧଜାତ ଖାଦ୍ୟ ପ୍ରସ୍ତୁତିରେ କ୍ଷୀର ପାଉଡର ବ୍ୟବହାରକୁ ନେଇ ମଧ୍ୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। କେତେକ ବ୍ୟବସାୟୀ ବହୁ ପରିମାଣରେ କ୍ଷୀର ପାଉଡର ମହଜୁଦ ରଖି ଛେନା, ପନିର ଓ ଦୁଗ୍ଧଜାତ ପଦାର୍ଥ ପ୍ରସ୍ତୁତକାରୀଙ୍କୁ ଯୋଗାଇ ଦେଉଥିବା ଅଭିଯୋଗ ହୋଇଛି। ତେବେ ଏହି ଅଭିଯୋଗର ସତ୍ୟତା, ବ୍ୟବହୃତ ପଦାର୍ଥର ମାନ ଓ ଖାଦ୍ୟ ନିରାପତ୍ତା ନିୟମ ପାଳନ ହେଉଛି କି ନାହିଁ, ତାହା ସରକାରୀ ଯାଞ୍ଚ ପରେ ସ୍ପଷ୍ଟ ହେବ। ଅଞ୍ଚଳରେ ଖାଦ୍ୟ ନିରାପତ୍ତା ଯାଞ୍ଚ ନିୟମିତ ଭାବେ ହେଉନଥିବା ନେଇ ମଧ୍ୟ କେତେକ ବ୍ୟବସାୟୀ ଓ ଖାଉଟି ଅଭିଯୋଗ କରିଛନ୍ତି। ନିୟମିତ ଯାଞ୍ଚ, ଖାଦ୍ୟ ନମୁନା ସଂଗ୍ରହ, ଲାବୋରେଟୋରୀ ପରୀକ୍ଷା ଏବଂ ନିୟମ ଉଲ୍ଲଂଘନ କରୁଥିବା ପ୍ରତିଷ୍ଠାନ ବିରୋଧରେ ଆଇନିଗତ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।
ବିଶେଷକରି ଆଜିର ଅସୁସ୍ଥତା ଘଟଣାର ପ୍ରକୃତ କାରଣ କ’ଣ, କେଉଁ ଖାଦ୍ୟ ଖାଇବା ପରେ କେତେ ଜଣ ଅସୁସ୍ଥ ହୋଇଛନ୍ତି ଏବଂ ଖାଦ୍ୟରେ କୌଣସି ଅପମିଶ୍ରଣ ଥିଲା କି ନାହିଁ—ଏସବୁ ନେଇ ବୈଜ୍ଞାନିକ ଯାଞ୍ଚର ଆବଶ୍ୟକତା ରହିଛି। ଅସୁସ୍ଥମାନଙ୍କ ଖାଦ୍ୟ ଇତିହାସ ଯାଞ୍ଚ ସହ ସନ୍ଦିଗ୍ଧ ଖାଦ୍ୟର ନମୁନା ସଂଗ୍ରହ କରି ପରୀକ୍ଷା କରାଗଲେ ଘଟଣାର ପ୍ରକୃତ କାରଣ ସାମ୍ନାକୁ ଆସିପାରିବ।
ଏଭଳି ସମ୍ବେଦନଶୀଳ ଘଟଣା ପରେ ପୁରୀ ଜିଲ୍ଲା ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ କାକଟପୁର ଓ ଅସ୍ତରଙ୍ଗ ଅଞ୍ଚଳରେ ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ କରାଯାଇ ହୋଟେଲ, ଜଳଖିଆ ଦୋକାନ, ମିଠା ଦୋକାନ, ଠେଲା ଓ ରେଷ୍ଟୁରାଣ୍ଟରୁ ଖାଦ୍ୟ ନମୁନା ସଂଗ୍ରହ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଦୋଷୀ ପ୍ରମାଣିତ ହେଲେ ଆଇନ ଅନୁଯାୟୀ କଠୋର ପଦକ୍ଷେପ ନିଆଯିବା ନେଇ ମଧ୍ୟ ଦାବି ହୋଇଛି।
ଜନସ୍ୱାସ୍ଥ୍ୟ ସହ ସିଧାସଳଖ ଜଡ଼ିତ ଏହି ପ୍ରସଙ୍ଗରେ ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇ ଘଟଣାର ସତ୍ୟତା ଉଦ୍ଘାଟନ କରିବା ସହ ଅଞ୍ଚଳରେ ଖାଦ୍ୟ ନିରାପତ୍ତା ଯାଞ୍ଚକୁ ଅଧିକ କଡ଼ାକଡ଼ି କରିବା ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ବାଙ୍ଗୁରୀଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ସମରଜିତ ମଲ୍ଲିକ ଙ୍କୁ ପଚାରିବାରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦିଆଯାଉଛି ଏବଂ ସମସ୍ତେ ସୁସ୍ଥ ଥିବା ସେ ତାଙ୍କ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି l
ଦହିବରା, ଆଳୁଦମ୍ ଓ ଗୁପଚୁପ୍ ଖାଇ ଶତାଧିକ ଅସୁସ୍ଥବାଙ୍ଗୁରୀଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ, ଖାଦ୍ୟର ମାନ ଯାଞ୍ଚ ନେଇ ଉଠିଲା ପ୍ରଶ୍ନ










