ପୁରୀ, ୧୪/୯ : ଶ୍ରୀମନ୍ଦିରରେ ପୁରୀବାସୀଙ୍କ ପାଇଁ ସହଜ, ସ୍ୱତନ୍ତ୍ର, ସ୍ଥାୟୀ ଓ ସମ୍ମାନଜନକ ଦର୍ଶନ ବ୍ୟବସ୍ଥାର ଦାବିରେ ଚାଲିଥିବା ସଚେତନତା ପଦଯାତ୍ରା ଆଜି ୧୬୭ ଦିନରେ ପହଞ୍ଚିଛି। ଦୀର୍ଘଦିନ ଧରି ଚାଲିଥିବା ଏହି ଅହିଂସାପୂର୍ଣ୍ଣ ସତ୍ୟାଗ୍ରହ ପୁରୀବାସୀଙ୍କ ଦୃଢ଼ ସଂକଳ୍ପ, ଏକତା ଓ ନ୍ୟାୟସଙ୍ଗତ ଦାବିର ପ୍ରତୀକ ହୋଇଛି। ଆଜି ପବିତ୍ର ଗଣେଶ ଚତୁର୍ଥୀ। ବିଘ୍ନବିନାଶକ ଶ୍ରୀଗଣେଶଙ୍କ ଆରାଧନାର ଏହି ପବିତ୍ର ଦିନରେ ସତ୍ୟାଗ୍ରହୀମାନେ ଭକ୍ତ ସାଲବେଗ ପୀଠରେ ଏକତ୍ରିତ ହୋଇ ଶାନ୍ତିପୂର୍ଣ୍ଣ ଭାବେ ପଦଯାତ୍ରା କରି ଶ୍ରୀମନ୍ଦିର ଅଭିମୁଖେ ଯାଇଥିଲେ। ପରେ ପତିତପାବନଙ୍କ ଦର୍ଶନ କରି ପୁରୀବାସୀଙ୍କ ଦୀର୍ଘଦିନର ଦାବିର ଶୀଘ୍ର ସମାଧାନ ଏବଂ ସମସ୍ତଙ୍କ ମଙ୍ଗଳ ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା। ଗତ ୧ ଏପ୍ରିଲ ଉତ୍କଳ ଦିବସରୁ ଭକ୍ତ ସାଲବେଗ ପୀଠରୁ ଆରମ୍ଭ ହୋଇଥିବା ଏହି ସଚେତନତା ପଦଯାତ୍ରା ପ୍ରତିଦିନ ପୁରୀବାସୀଙ୍କ ଅଧିକାର ଓ ଭାବନାର ସ୍ୱରକୁ ଦୃଢ଼ କରିଆସୁଛି। ଶ୍ରୀମନ୍ଦିର ପୁରୀର ଜନଜୀବନ, ପରମ୍ପରା, ସଂସ୍କୃତି ଓ ଭାବନା ସହ ଅତୁଟ ଭାବେ ଜଡ଼ିତ। ତେଣୁ ପୁରୀବାସୀଙ୍କ ପାଇଁ ଏକ ସ୍ଥାୟୀ, ସୁବ୍ୟବସ୍ଥିତ ଓ ସମ୍ମାନଜନକ ଦର୍ଶନ ବ୍ୟବସ୍ଥା କରାଯିବା ଦାବିରେ ଏହି ଆନ୍ଦୋଳନ ଜାରି ରହିଛି।
ପଦଯାତ୍ରାର ଆବାହକ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି, “୧୬୭ ଦିନ ଧରି ଆମର ଅହିଂସାପୂର୍ଣ୍ଣ ପଦଯାତ୍ରା ଜାରି ରହିଛି। ଏହା କେବଳ ଏକ ପଦଯାତ୍ରା ନୁହେଁ, ଏହା ପୁରୀବାସୀଙ୍କ ଭାବନା ଓ ନ୍ୟାୟସଙ୍ଗତ ଦାବିର ଏକ ଶାନ୍ତିପୂର୍ଣ୍ଣ ସ୍ୱର। ଆମେ କାହାର ବିରୋଧୀ ନୁହେଁ। ସତ୍ୟ, ଶାନ୍ତି ଓ ଅହିଂସାର ପଥରେ ରହି ସରକାରଙ୍କ ନିକଟରେ ଆମର ଦାବି ରଖୁଛୁ। ପୁରୀବାସୀଙ୍କ ଭାବନାକୁ ସମ୍ମାନ ଦେଇ ସରକାର ଏକ ସ୍ଥାୟୀ ସମାଧାନର ବ୍ୟବସ୍ଥା କରନ୍ତୁ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆମର ଅହିଂସାପୂର୍ଣ୍ଣ ସତ୍ୟାଗ୍ରହ ଜାରି ରହିବ।”
ସତ୍ୟାଗ୍ରହୀମାନେ କହିଛନ୍ତି ଯେ, ଏହି ଅଭିଯାନ କୌଣସି ରାଜନୈତିକ ଦଳ, ନେତା କିମ୍ବା ବ୍ୟକ୍ତିବିଶେଷଙ୍କ ବିରୋଧରେ ନୁହେଁ। ଗଣତାନ୍ତ୍ରିକ ଓ ଅହିଂସାପୂର୍ଣ୍ଣ ପଦ୍ଧତିରେ ପୁରୀବାସୀଙ୍କ ଦାବି ସରକାରଙ୍କ ନିକଟରେ ପହଞ୍ଚାଇବା ଏବଂ ଏକ ସ୍ଥାୟୀ ସମାଧାନ ପାଇଁ ଜନସଚେତନତା ସୃଷ୍ଟି କରିବା ହିଁ ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଆଜିର ପଦଯାତ୍ରାରେ ସର୍ବଶ୍ରୀ ହରିଶଙ୍କର ମିଶ୍ର, ଶିବସୁନ୍ଦର ମିଶ୍ର, ଚକ୍ରଧର ମହାପାତ୍ର, ବିଶ୍ୱନାଥ ମିଶ୍ର, ସୁକାନ୍ତ ପଣ୍ଡା, ନୃସିଂହନାଥ ନାୟକ, ଯାଦବାନନ୍ଦ ରାୟ, ମନୋରଞ୍ଜନ ରଣସିଂହ, ଶିଶିରକାନ୍ତ ଶତପଥୀ, ଗଦାଧର ମହାରଣା, ଅଞ୍ଜୁବାଳା ମହାନ୍ତି, ଭାରତୀ ମହାନ୍ତି, ମମତା ଦାସ, ମମତା ସ୍ୱାଇଁ, ପ୍ରକାଶ ଚନ୍ଦ୍ର ନାୟକ, ସନ୍ତୋଷ ସେନାପତି, ବରୁଣ ମହାପାତ୍ର, କାଶୀନାଥ ସାହୁ, ଅମ୍ରିତ ସାମନ୍ତରାୟ, ସୁବାଷ ପଟ୍ଟନାୟକ ଓ ମାନସ ପଟ୍ଟନାୟକଙ୍କ ସମେତ ବହୁ ସତ୍ୟାଗ୍ରହୀ ଯୋଗଦେଇଥିଲେ। ୧୬୭ ଦିନର ଏହି ଯାତ୍ରା ଏବେ ପୁରୀବାସୀଙ୍କ ଅଦମ୍ୟ ସଂକଳ୍ପର ପ୍ରତୀକ। ସତ୍ୟ, ଶାନ୍ତି ଓ ଅହିଂସାର ପଥରେ ଦାବି ପୂରଣ ପର୍ଯ୍ୟନ୍ତ ଏହି ପଦଯାତ୍ରା ଅବ୍ୟାହତ ରହିବ ବୋଲି ସତ୍ୟାଗ୍ରହୀମାନେ ପୁନର୍ବାର ଘୋଷଣା କରିଛନ୍ତି। ଜୟ ଶ୍ରୀଜଗନ୍ନାଥ। 🙏 ଜୟ ଶ୍ରୀଗଣେଶ। 🙏











