ନୟାଗଡ଼,ତା-୧୬.୯.୨୬ରିଖ-ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ- ନୟାଗଡ଼ ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି l ବିଜେଡ଼ିର ଗଡ଼ କୁହାଯାଉଥିବା ବିରୁଡ଼ା ପଞ୍ଚାୟତରେ ଏବେ ପଦ୍ମ ଫୁଟିଛି l ନୟାଗଡ଼ ପୁରୁଣା ରାଜବାଟୀସ୍ଥିତ ବିଜେପି କାର୍ଯ୍ୟାଳୟଠାରେ ଆୟୋଜିତ ଏକ ବିଶାଳ ମିଶ୍ରଣ ପର୍ବରେ ବିରୁଡ଼ା ପଞ୍ଚାୟତର ୧୦୦୦ ରୁ ଊର୍ଦ୍ଧ୍ୱ ବିଜେଡ଼ି ନେତା ଓ କର୍ମୀ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି l

ବିଜେଡ଼ିର ମହିଳା ନେତୃତ୍ୱ ଏବେ ବିଜେପି ଶିବିରରେ l ବିରୁଡ଼ା ପଞ୍ଚାୟତ ୱାର୍ଡ ମେମ୍ବରଙ୍କ ଠାରୁ ଆରମ୍ଭ କରି ସରପଞ୍ଚଙ୍କ ପର୍ଯ୍ୟନ୍ତ ବିଜେଡ଼ି ମହିଳାଙ୍କ ନେତୃତ୍ୱ ପାଇଁ ସାରା ଓଡ଼ିଶାରେ ଚର୍ଚ୍ଚିତ ଥିଲା l ମାତ୍ର ସେମାନେ ଏବେ ବିଜେପି ଶିବିରରେ l
ନୟାଗଡ଼ର ବିଜେପି ନେତ୍ରୀ ତଥା ରାଣୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ ନୂତନ ନୟାଗଡ଼ ଗଠନର ସଂକଳ୍ପ ଏବଂ ଦୃଢ଼ ନେତୃତ୍ୱକୁ ପାଥେୟ କରି ବିରୁଡ଼ା ଗ୍ରାମ ପଞ୍ଚାୟତର ପ୍ରାୟ ୧ହଜାରରୁ ଊର୍ଦ୍ଧ୍ୱ ବିଜେଡି କର୍ମୀ ଓ କାର୍ଯ୍ୟକର୍ତ୍ତା ବିଜେଡ଼ି ଦଳ ପରିତ୍ୟାଗ କରି ବିଜେପିରେ ଯୋଗଦାନ କରିଛନ୍ତି l ବିରୁଡ଼ା ଗ୍ରାମ ପଞ୍ଚାୟତର ମହିଳା ସରପଞ୍ଚ ବିଷ୍ନୁପ୍ରିୟା ସ୍ୱାଇଁ, ସମିତି ସଭ୍ୟା ଶୁଭଲକ୍ଷ୍ମୀ ସାହୁଙ୍କ ସମେତ ପଞ୍ଚାୟତର ସମସ୍ତ ମହିଳା ୱାର୍ଡ ମେମ୍ବର ସାମିଲ ହୋଇଥିଲେ l
ବିରୁଡ଼ା ଗ୍ରାମ ପଞ୍ଚାୟତର ଯୁବ ବିଜେପି ନେତା ମିତ୍ରବନ୍ଧୁ ପଲେଇଙ୍କ ପ୍ରଚେଷ୍ଟାରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି l ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ ଉପସ୍ଥିତିରେ ନୂତନ କାର୍ଯ୍ୟକର୍ତ୍ତାମାନେ ବିଜେପିର ଦଳୀୟ ଉତ୍ତରୀୟ ପରିଧାନ କରି ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଥିଲେ l ଏହି ଅବସରରେ ବିଜେପି ନେତ୍ରୀ ପ୍ରତ୍ୟୁଷା ସମସ୍ତଙ୍କୁ ସ୍ୱାଗତ କରିବା ସହ ସମସ୍ତେ ସାଥି ହୋଇ ବିରୁଡ଼ା ଗ୍ରାମ ପଞ୍ଚାୟତ ଏବଂ ନୟାଗଡ଼ ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ପାଇଁ ଆହ୍ୱାନ ଦେଇଥିଲେ l
ଉକ୍ତ ମିଶ୍ରଣ ପର୍ବରେ ନୟାଗଡ଼ ବ୍ଲକ ସଭାପତି କିଶୋର ଚନ୍ଦ୍ର ସାହୁ,ନଗର ମଣ୍ଡଳ ପ୍ରଭାରୀ ତଥା ପୂର୍ବତନ ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ନସିର ଅହମଦ,ନୟାଗଡ଼ ନଗର ମଣ୍ଡଳ ପ୍ରତିନିଧି ଶ୍ରୀ ରଂଜନ ରଶ୍ମି ଜେନା, ଜିଲ୍ଲା ମଣ୍ଡଳ ଉପସଭାପତି ଶ୍ରୀ ମାଧବ ବେହେରା ( ପାଗଳ ଭାଇ ) , ଇଟାମାଟି ମଣ୍ଡଳ ସଭାପତି ଶ୍ରୀ ବିଷ୍ଣୁ ପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l ଉପସ୍ଥିତ ବିଜେପି ନେତୃବୃନ୍ଦ ନବାଗତ କାର୍ଯ୍ୟକର୍ତ୍ତାମାନଙ୍କୁ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ ।











