Home / ମୁଖ୍ୟ ଖବର / ଇଣ୍ଡିଆ ମେଣ୍ଟର ସାମ୍ବାଦିକ ସମ୍ମିଳନୀ-୮ ଅକ୍ଟୋବର ଓଡ଼ିଶା ବନ୍ଦ ପାଇଁ ଆହ୍ୱାନ

ଇଣ୍ଡିଆ ମେଣ୍ଟର ସାମ୍ବାଦିକ ସମ୍ମିଳନୀ-୮ ଅକ୍ଟୋବର ଓଡ଼ିଶା ବନ୍ଦ ପାଇଁ ଆହ୍ୱାନ

ପୁରୀ, ୪/୧୦: ପୁରୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଇନ୍ଦିରା ଭବନଠାରେ ରବିବାର ଇଣ୍ଡିଆ ମେଣ୍ଟ ପକ୍ଷରୁ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ପୁରୀ ଜିଲ୍ଲା କଂଗ୍ରେସ କମିଟି ସଭାପତି ଇଂ. ରାଜେଶ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମିଳନୀରେ ଇଣ୍ଡିଆ ମେଣ୍ଟର ବିଭିନ୍ନ ଦଳର ନେତାମାନେ ଯୋଗଦେଇ ବିଭିନ୍ନ ପ୍ରସଙ୍ଗ ଉପରେ ମତ ରଖିଥିଲେ।

ସମ୍ମିଳନୀରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ମୁଖ୍ୟତଃ ତିନୋଟି ପ୍ରସଙ୍ଗ ଉଠାଯାଇଥିଲା। ପ୍ରଥମେ, ମୁଖ୍ୟ ନିର୍ବାଚନ ଆୟୋଗର କାର୍ଯ୍ୟପ୍ରଣାଳୀକୁ ନେଇ ଅସନ୍ତୋଷ ପ୍ରକାଶ କରାଯାଇ ମୁଖ୍ୟ ନିର୍ବାଚନ ଆୟୋଗର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରାଯାଇଥିଲା।

ଦ୍ୱିତୀୟତଃ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ଥିବା ଅଭିଯୋଗ କରି ଏହାର ଦାୟିତ୍ୱ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରାଯାଇଥିଲା।

ତୃତୀୟତଃ, ଏମ୍‌ଏମ୍‌ଡିଆର୍‌ (MMDR) ଆଇନ ପ୍ରତ୍ୟାହାର ଦାବିରେ ଆସନ୍ତା ୮ ଅକ୍ଟୋବର ୨୦୨୬, ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଓଡ଼ିଶା ବନ୍ଦ ପାଳନ ପାଇଁ ଇଣ୍ଡିଆ ମେଣ୍ଟ ପକ୍ଷରୁ ଆହ୍ୱାନ ଦିଆଯାଇଥିବା କୁହାଯାଇଛି।

ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟିର ବରିଷ୍ଠ ନେତା ତଥା ପିସିସି ଉପସଭାପତି ଶିବାନନ୍ଦ ରାୟଙ୍କ ସମେତ ସିପିଆଇ ଜିଲ୍ଲା ମୁଖ୍ୟ ପ୍ରଦୀପ ମହାନ୍ତି, ସିପିଆଇ(ଏମ୍) ଜିଲ୍ଲା ସମ୍ପାଦକ ଜଗନ୍ନାଥ ଦେଓ, ପୁରୀ ଜିଲ୍ଲା ଓକିଲ ସଂଘର ସାଧାରଣ ସମ୍ପାଦକ ଶରତ ରାୟଗୁରୁ, ପିସିସି ସାଧାରଣ ସମ୍ପାଦକ ନଳିନୀ ସ୍ୱାଇଁ, ପିସିସି ସାଧାରଣ ସମ୍ପାଦକ ଅଶୋକ ମଙ୍ଗରାଜ ଏବଂ ପୁରୀ ବାର୍ ଆସୋସିଏସନ୍ ସଭାପତି ପ୍ରେମାନନ୍ଦ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ।

ଏହାସହ ବିଭିନ୍ନ ବ୍ଲକ୍‌ର କଂଗ୍ରେସ ସଭାପତି, ଜିଲ୍ଲା କମିଟିର କର୍ମକର୍ତ୍ତା, ବରିଷ୍ଠ ନେତୃତ୍ୱ, କର୍ମୀ, ଯୁବ ଓ ଛାତ୍ର ନେତାମାନେ ଉପସ୍ଥିତ ରହି ୮ ଅକ୍ଟୋବର ବନ୍ଦ ସମ୍ପର୍କରେ ଆଲୋଚନା କରିଥିଲେ।

ଇଣ୍ଡିଆ ମେଣ୍ଟ ପକ୍ଷରୁ ଉଠାଯାଇଥିବା ଦାବି ଓ ବନ୍ଦ ଡାକକୁ ନେଇ ଆଗାମୀ ଦିନରେ ରାଜନୈତିକ ମାହୋଲ ଅଧିକ ସରଗରମ ହେବାର ସମ୍ଭାବନା ରହିଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply