କାକଟପୁର, ତା. ୭/୧୦ ( ତୁଷାର ଦୀକ୍ଷିତ ) କାକଟପୁର ବ୍ଲକ ଅଧିନସ୍ଥ ନୀଳକଣ୍ଠପୁର ଗ୍ରାମର ଧର୍ମପରାୟଣା ମହିଳା ତଥା ପୁରୀଜିଲ୍ଲା ବିଜେଡି ଉପସଭାପତି ବିଶ୍ବଜିତ ଦାଶଙ୍କ ମାତୃଦେବୀ ଏବଂ ପୂର୍ବତନ କାକଟପୁର ବ୍ଲକ ଉପାଧ୍ୟକ୍ଷ ସ୍ୱର୍ଗତ ମୁରଲୀଧର ଦାଶଙ୍କ ଧର୍ମପତ୍ନୀ ପ୍ରମିଳା ଦାଶଙ୍କ ଆଜି ସକାଳ ୭ଟା ସମୟରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ୭୪ ବର୍ଷ ବୟସରେ ପରଲୋକ ହୋଇଯାଇଛି l ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ଜ୍ୟେଷ୍ଠ ପୁତ୍ର ସତ୍ୟଜିତ, କନିଷ୍ଠ ପୁତ୍ର ତଥା ପୁରୀଜିଲ୍ଲା ବିଜେଡି ଉପସଭାପତି ବିଶ୍ୱଜିତ ଦାଶ, ପୁତ୍ରବଧୂ ମନସ୍ବିନୀ, ସୁଶ୍ରୀସ୍ମିତା ନାତି ନାତୁଣୀ ମାନେ ଉପସ୍ଥିତ ଥିଲେ l ସେ ଜଣେ ଧର୍ମପରାୟଣା, ମିଷ୍ଟଭାଷୀ ଓ ପରୋପକାରୀ ମହିଳା ଭାବେ ଅଞ୍ଚଳବାସୀଙ୍କ ମଧ୍ୟରେ ପରିଚିତ ଥିଲେ । ତାଙ୍କ ବିୟୋଗର ଖବର ପ୍ରଚାରିତ ହେବା ପରେ କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, ପୁରୀଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ, କାକଟପୁର ବ୍ଲକ ବିଜେଡି ସଭାପତି ପ୍ରଣାକୃଷ୍ଣ ମଲ୍ଲିକ, ପୂର୍ବତନ ପୁରୀଜିଲ୍ଲା ପରିଷଦ ଅଧ୍ୟକ୍ଷ ଜୋତିର୍ମୟ ଦଳାଇ, କାକଟପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଧର ନାୟକ, କାକଟପୁର ପ୍ରେସ କ୍ଲବ ସଭାପତି କମଳ ଲୋଚନ ଦୀକ୍ଷିତ, କଂଗ୍ରେସ ଯୁବନେତା ତଥା ପୁରୀଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ଲୁଲୁ ଖୁଣ୍ଟିଆ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି, ରାଜନେତା ଓ ଶୁଭେଚ୍ଛୁ ମାନେ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ପରେ ତାଙ୍କ ପାର୍ଥିବ ଶରୀରକୁ ଏକ ଶୋକାକୁଳ ପରିବେଶ ମଧ୍ୟରେ ବିରାଟ ଶୋଭାଯାତ୍ରାରେ ନିଆଯାଇ ବିଶ୍ଵାମିତ୍ର ଆଶ୍ରମ ନିକଟ ପ୍ରାଚୀ ନଦୀ କୂଳ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଉକ୍ତ ଶୋଭାଯାତ୍ରାରେ ବିଜେଡି ଯୁବନେତା ଅମିତ ବିକ୍ରମ ଖୁଣ୍ଟିଆ, ଦୀପକ କୁମାର ଶତପଥୀ, ଅଭୟ ଖୁଣ୍ଟିଆ, ପ୍ରକାଶ ମହାରଣା ପ୍ରମୁଖ ଉପସ୍ଥିତ ରହିଥିଲେ l ଜ୍ୟେଷ୍ଠପୁତ୍ର ସତ୍ୟଜିତ ଓ କନିଷ୍ଠ ପୁତ୍ର ବିଶ୍ବଜିତ ମୁଖାଗ୍ନି ଦେଇଥିଲେ।
ତାଙ୍କ ବିୟୋଗରେ ଅଞ୍ଚଳରେ ଏକ ଶୋକର ଛାୟା ଖେଳିଯାଇଥିବା ବେଳେ ବହୁ ବ୍ୟକ୍ତି ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି।










