ନୟାଗଡ଼, ତା-୧୧.୨.୨୬ରିଖ – ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ-ନୟାଗଡ଼ର ଅଗ୍ରଣୀ ନାଟ୍ୟାନୁଷ୍ଠାନ ସିରିୟସ୍ ଜୋନ୍ ଦ୍ବାରା ଆୟୋଜିତ ନାଟକ ଉତ୍ସବରେ କବି ଗୋପୀନାଥ ସେଠୀଙ୍କ ସଂଯୋଜନା ଓ ସଭାପତି କିଷାନ୍ କୁମାର ଦାସଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ, ପୌରାଧ୍ୟକ୍ଷା ଶ୍ରୀମତୀ ନିରୁପମା ଖଟେଇ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରୋଜିନା ଦାସ ଓ ନାଟ୍ୟକାର ଗଦାଧର ନନ୍ଦ ଉପସ୍ଥିତ ରହି ନାଟକ ଜୀବନକୁ ବାଟ ଦେଖାଏ ଏବଂ ଆମେ ସମସ୍ତେ ନାଟ୍ୟମନସ୍କ ହେବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ। ନାଟ୍ୟକାର ଗଦାଧର ନନ୍ଦଙ୍କ ରଚିତ ଓ ପ୍ରଖ୍ୟାତ ନିର୍ଦେଶକ ପବିତ୍ର ମହାନ୍ତିଙ୍କ ନିର୍ଦ୍ଦେଶନାରେ ମଞ୍ଚସ୍ଥ ଏହି ନାଟକରେ ପବିତ୍ର ମହାନ୍ତି,

ମମତା ତ୍ରିପାଠୀ, ଯାମିନୀକାନ୍ତ ମିଶ୍ର, ରାମକୃଷ୍ଣ ନାୟକ, ପ୍ରଶାନ୍ତ ସାମନ୍ତରାୟ, ସୁଦର୍ଶନ ରାଉତ, ଗୋକୁଳ ଷଡ଼ଙ୍ଗୀ, ସୁନୀଲ ନାୟକ ଓ ସନ୍ତୋଷ ରାଉଳଙ୍କ ମନଛୁଆଁ ଅଭିନୟ ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିବାରେ ସକ୍ଷମ ହୋଇଥିଲା। ଜୀବନଦର୍ଶନର କଥା କହୁଥିବା ଏହି ନାଟକର ମୁଖ୍ୟ ଚରିତ୍ର ଶାନ୍ତନୁ ଜଣେ ଅବସରପ୍ରାପ୍ତ ଆଇ. ଏ. ଏସ୍. ଅଧିକାରୀ। ନିଜର ସଫଳତାକୁ ସବୁବେଳେ ଶ୍ରେୟ ଦେଇ ଅହଂ ଭାବରେ ବଞ୍ଚୁଥିବା ଶାନ୍ତନୁ, ଦିନେ ଭେଟନ୍ତି ଜଣେ ବ୍ରାହ୍ମଣଙ୍କୁ, ଯାହାଙ୍କର ସରଳ ଆଧ୍ୟାତ୍ମିକ ଚିନ୍ତାଧାରା ତାଙ୍କୁ ଆନ୍ଦୋଳିତ କରେ ଏବଂ ତାଙ୍କ ଅନ୍ତରାତ୍ମାର ବିଦ୍ରୋହ ତାଙ୍କୁ ଦିନେ ଏକ ପରିପୂର୍ଣ୍ଣ ମଣିଷ ଭାବେ ଗଢ଼ିତୋଳେ। ଏମିତି ଏକ ନିଆରା କାହାଣୀକୁ ଉପସ୍ଥାପନା କରିଥିଲେ ନାଟ୍ୟକାର। ତିନି ଦିନ ସଂଧ୍ୟାରେ ତିନୋଟି ଭିନ୍ନ ସ୍ବାଦର ନାଟକ ପରିବେଷଣ କରି ଖୁବ୍ ସଫଳତା ସାଉଁଟିଛନ୍ତି ସିରିୟସ୍ ଜୋନର କଳାକାରମାନେ। ସିରିୟସ୍ ଜୋନ୍ ର ଏହି ପ୍ରୟାସକୁ ନ଼ୟାଗଡରେ ନାଟ୍ୟପ୍ରେମୀମାନେ ବହୁତ ପ୍ରଶଂସା କରିଛନ୍ତି।











