ନୟାଗଡ଼,ତା-୧୧.୨.୨୬ରିଖ – ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ- ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ୍ ସୁଶ୍ରୀଙ୍କ ନିର୍ଦ୍ଦେଶରେ ଚାଲିଥିବା ଗୁଟଖା ଚଢ଼ାଉରେ ସଦରଥାନା ପୁଲିସକୁ ପୁଣି ଏକ ବଡ଼ ସଫଳତା ମିଳିଛି । ଜେଲରେ ରହିଥିବା ଅଭିଯୁକ୍ତ କମଳ ସାହୁର ଏକ ଗୋଦାମ ଉପରେ ପୁଲିସ ଚଢ଼ାଉ କରି ବିପୁଳ ପରିମାଣର ଗୁଟଖା ଜବତ କରିଛି । ଖୁଣ୍ଟୁବନ୍ଧ ମଙ୍ଗଳା ମନ୍ଦିର ପାଖରେ ରହିଥିବା ସ୍ୱପ୍ନେଶ୍ୱର କ୍ଲବ ଘର ଭିତରେ ଏହି ଗୁଟଖା ମହଜୁଦ ରହିଥିବା ନେଇ ପୁଲିସ ଖବର ପାଇଥିଲା । ସଦରଥାନା ଅଧିକାରୀ ପ୍ରିୟତମା ପ୍ରଧାନ ସଦଳବଳେ ଚଢ଼ାଉ କରିଥିଲେ । ଉକ୍ତ କ୍ଲବ ଘରେ ଦୁଇଟି ତାଲା ପଡ଼ିଥିଲା । ଝରକା ଫାଙ୍କାରେ ଗୁଟଖା ରହିଥିବା ସ୍ପଷ୍ଟ ହେବା ପରେ ପୁଲିସ ମାଜିଷ୍ଟ୍ରେଟଙ୍କୁ ଡକାଇଥିଲା । ନୟାଗଡ଼ ଅତିରିକ୍ତ ତହସିଲଦାର କୃଷ୍ଣଚନ୍ଦ୍ର ନାୟକଙ୍କ ଉପସ୍ଥିତିରେ

ତାଲା ଭଙ୍ଗା ଯାଇଥିଲା । ଉକ୍ତ ଘର ଭିତରୁ ଆନୁମାନିକ ୩ ଶହ ବସ୍ତା ଗୁଟଖା ଜବତ କରାଯାଇଛି । ଜବତ ଗୁଟଖାର ମୂଲ୍ୟ ୪୦ ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି ଅନୁମାନ କରାଯାଉଛି । ଜବତ ଗୁଟଖାକୁ ସଦରଥାନାକୁ ଅଣାଯାଇଥିବା ବେଳେ ପୁଣି ଏକ ମାମଲା ରୁଜୁ କରାଯିବ ବୋଲି ପୁଲିସ ନିକଟରୁ ସୂଚନା ମିଳିଛି । ଗତକାଲି ସଦରଥାନା ପୁଲିସ ୩ଟି ଗୁଟଖା ବୋଝେଇ ଗାଡ଼ିକୁ ପୁଲିସ ଜବତ କରିଥିଲା । ଗାଡ଼ି ଗୁଡ଼ିକ ମଧ୍ୟରେ ଦୁଇଟି ପିକ୍ ଅପ୍ ଭ୍ୟାନ ଏବଂ ୧ଟି ଆଇଚର ଗାଡ଼ି ରହିଥିଲା । ନୟାଗଡ଼ ଟାଉନଥାନା, ଇଟାମାଟି, ସଦରଥାନା ପୁଲିସ ଗୁଟଖା କାରବାର ପାଇଁ ଏବେ ସୁଦ୍ଧା ୭ ଜଣଙ୍କୁ ଗିରଫ କରିଛି । ୪ଟି ଗାଡ଼ି, ୯୯ ହଜାର ଟଙ୍କା ଓ ବିପୁଳ ପରିମାଣ ଗୁଟଖା ଜବତ କରାଯାଇଛି । ଉକ୍ତ ଘଟଣାର ତଦନ୍ତ ଜାରି ରଖିଥିବା ଏ ପର୍ଯ୍ୟନ୍ତ ଜବତ ଗୁଟଖା, ଗାଡ଼ିର ମୁଲ୍ୟ ୧ କୋଟିରୁ ଉର୍ଦ୍ଧ୍ୱ ହେବ ବୋଲି ପୁଲିସ ସୂଚନା ଦେଇଛି । ଗୁଟଖା ମାଫିଆ କମଳ ସାହୁର କଳା ସାମ୍ରାଜ୍ୟ ଧିରେ ଧିରେ ମାଟିରେ ମିଶିଥିବା ନେଇ ସାଧାରଣରେ ଆଲୋଚନା ହେଉଛି ।











