ପୁରୀ (୧୯ ମଇ ୨୦୨୬): ପୁରୀ-ଗୁଣୁପୁର ଟ୍ରେନରେ ଠିକା ସଂସ୍ଥା ‘ଏସଏମ୍ସି ସର୍ଭିସ ମାଷ୍ଟର କ୍ଲିନ୍’ ଅଧୀନରେ କାର୍ଯ୍ୟରତ ଜଣେ ଗରିବ ସଫେଇ କର୍ମଚାରୀ ପ୍ରଦୀପ୍ତ ଲେଙ୍କାଙ୍କୁ ବିନା କୌଣସି ଲିଖିତ ନୋଟିସରେ ବେଆଇନ ଭାବେ ଚାକିରିରୁ ବାହାର କରିବା ଏବଂ ମାନସିକ ନିର୍ଯାତନା ଦେବାର ଏକ ସଂଗୀନ ମାମଲା ସାମ୍ନାକୁ ଆସିଛି। ଏହି ଘଟଣା ପରେ ପୀଡ଼ିତଙ୍କ ସ୍ତ୍ରୀ ନ୍ୟାୟ ପାଇଁ ବିଜେପି କୃଷକ ମୋର୍ଚ୍ଚା (ଓଡ଼ିଶା)ର ପୂର୍ବତନ ରାଜ୍ୟ ସମ୍ପାଦକ ତଥା ଜିଲ୍ଲା ଧାନ ସଂଗ୍ରହ କମିଟି (ପୁରୀ)ର ଚାଷୀ ପ୍ରତିନିଧି ଶ୍ରୀ ପ୍ରଶାନ୍ତ ସ୍ୱାଇଁ (ଲୁଲୁ)ଙ୍କ ଦ୍ୱାରସ୍ଥ ହୋଇ ଗୁହାରୀ କରିଥିଲେ। ମାମଲାର ଗାମ୍ଭୀର୍ଯ୍ୟକୁ ଦୃଷ୍ଟିରେ ରଖି ଶ୍ରୀ ସ୍ୱାଇଁ ଖୋର୍ଦ୍ଧା ରୋଡ୍ ଡିଭିଜନର ସିନିୟର ଡିଭିଜନାଲ ମେକାନିକାଲ ଇଞ୍ଜିନିୟର ଏବଂ ରେଳବାଇର ଉଚ୍ଚପଦସ୍ଥ ଅଧିକାରୀମାନଙ୍କୁ ଚିଠି ଲେଖି ହସ୍ତକ୍ଷେପ କରିବା ପରେ ଏବେ ଠିକା ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟ ତତ୍ପରତା ପ୍ରକାଶ କରିଛି।
ମିଳିଥିବା ସୂଚନା ଅନୁଯାୟୀ, କିଛି ଦିନ ତଳେ ପ୍ରଦୀପ୍ତ ଲେଙ୍କା ନିଜ ଟିମ୍ ସହ ପୁରୀ-ଗୁଣୁପୁର ଟ୍ରେନରେ ସଫେଇ କାର୍ଯ୍ୟ କରୁଥିବା ସମୟରେ ରେଳବାଇର ସିନିୟର ସେକ୍ସନ ଇଞ୍ଜିନିୟର ତୋଫାନ କୁମାର ସାହୁ ସେଠାରେ ପହଞ୍ଚି କାମକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଅଧିକାରୀଙ୍କ କଥାକୁ ସମ୍ମାନ ଜଣାଇ ପ୍ରଦୀପ୍ତ ଏବଂ ତାଙ୍କ ସାଥୀମାନେ ସେହି ଗାଡ଼ିକୁ ତିନି ତିନି ଥର ଭଲ ଭାବରେ ସଫା କରିଥିଲେ।
ପୀଡ଼ିତ ପରିବାରର ଅଭିଯୋଗ ଯେ, ଏହା ସତ୍ତ୍ୱେ ମଧ୍ୟ ରେଳବାଇ ଏସଏସଇ ତାଙ୍କ ସହ ଦୁର୍ବ୍ୟବହାର କରିଥିଲେ ଏବଂ କମ୍ପାନୀର ସାଇଟ୍ ମ୍ୟାନେଜର ରାଜେନ୍ଦ୍ର ମହାରଣାଙ୍କୁ ଡାକି ପ୍ରଦୀପ୍ତଙ୍କୁ ୧୫ ଦିନ ପାଇଁ ସସପେଣ୍ଡ କରିବାକୁ ମୌଖିକ ଆଦେଶ” ଦେଇଥିଲେ। ଗତ ୧୬ ତାରିଖ” ଦିନ ଯେତେବେଳେ ପ୍ରଦୀପ୍ତ ଡ୍ୟୁଟିରେ ଯୋଗଦେବାକୁ ଗଲେ, ତାଙ୍କୁ ସିଧାସଳଖ ମନା କରିଦିଆଗଲା। ଆଶ୍ଚର୍ଯ୍ୟର କଥା, ଏତେ ଦିନ ବିତିଯାଇଥିଲେ ମଧ୍ୟ କମ୍ପାନୀ ବା ରେଳବାଇ ପକ୍ଷରୁ ତାଙ୍କୁ କୌଣସି ଅଧିକାରୀକ ନିଲମ୍ବନ ପତ୍ର କିମ୍ବା ‘କାରଣ ଦର୍ଶାଅ ନୋଟିସ୍’ ଦିଆଯାଇ ନାହିଁ।
କମ୍ପାନୀ ପକ୍ଷରୁ ଚିଠି ଜବାବ:
ଶ୍ରୀ ପ୍ରଶାନ୍ତ ସ୍ୱାଇଁଙ୍କ ଅଭିଯୋଗ ପତ୍ର ପାଇବା ପରେ ଏସଏମ୍ସି କମ୍ପାନୀର ଏକଜିକ୍ୟୁଟିଭ୍ ଅଫ୍ ଅପରେସନ୍ସ ଶ୍ରୀ ବିମଲ କୁମାର ଦାସ ଚିଠି ମାଧ୍ୟମରେ ଜଣାଇଛନ୍ତି ଯେ, କର୍ମଚାରୀଙ୍କ ସମ୍ମାନ ଏବଂ କଲ୍ୟାଣ କମ୍ପାନୀର ପ୍ରାଥମିକତା ଅଟେ। ପ୍ରଦୀପ୍ତ ଲେଙ୍କାଙ୍କ ସହ ଘଟିଥିବା ଘଟଣାକୁ ଗମ୍ଭୀରତାର ସହ ନିଆଯାଇ ସମ୍ପୃକ୍ତ ସୁପରଭାଇଜର ଓ ଅଧିକାରୀମାନଙ୍କ ସହ ସତ୍ୟାସତ୍ୟର ଯାଞ୍ଚ କରାଯାଉଛି ଏବଂ ମାମଲାର ସ୍ୱଚ୍ଛ ସମାଧାନ ହେବ। ଏଥିସହିତ, ଆଗକୁ ଏଭଳି କୌଣସି ସମସ୍ୟା ହେଲେ ସିଧାସଳଖ ରେଳ କର୍ତ୍ତୃପକ୍ଷଙ୍କ ନିକଟକୁ ନଯାଇ ପ୍ରଥମେ କମ୍ପାନୀ ମ୍ୟାନେଜମେଣ୍ଟକୁ ଜଣାଇବା ପାଇଁ ସେମାନେ ଶ୍ରୀ ସ୍ୱାଇଁଙ୍କୁ ଅନୁରୋଧ କରିଛନ୍ତି।
କମ୍ପାନୀର ଏହି ଜବାବ ଉପରେ ତୁରନ୍ତ ପ୍ରତିକ୍ରିୟା ପ୍ରକାଶ କରି ଶ୍ରୀ ପ୍ରଶାନ୍ତ ସ୍ୱାଇଁ କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟକୁ ଏକ ଦୃଢ଼ ପ୍ରତିଉତ୍ତର ପଠାଇଛନ୍ତି। ସେ କମ୍ପାନୀର ଆଭ୍ୟନ୍ତରୀଣ ତଦନ୍ତ ପ୍ରକ୍ରିୟାକୁ ସ୍ୱାଗତ କରିବା ସହ ସ୍ପଷ୍ଟ କରିଛନ୍ତି ଯେ:”ଯେକୌଣସି ଗରିବ ଶ୍ରମିକଙ୍କୁ ବିନା କୌଣସି ଲିଖିତ ଆଦେଶ ବା ବିନା ତଦନ୍ତରେ ଏଭଳି ଭାବେ କାମରୁ ରୋକିବା ସମ୍ପୂର୍ଣ୍ଣ ବେଆଇନ, ଅମାନୁଷିକ ଏବଂ ଶ୍ରମିକ ଆଇନର ଉଲ୍ଲଂଘନ ଅଟେ। କମ୍ପାନୀର ଆଭ୍ୟନ୍ତରୀଣ ତଦନ୍ତ ଚାଲୁ ରହୁ, କିନ୍ତୁ ଗତ ୧୬ ତାରିଖରୁ ଗୋଟିଏ ଗରିବ ଶ୍ରମିକର ରୋଜଗାର ବନ୍ଦ କରିଦେବା ଯୋଗୁଁ ତାଙ୍କ ପରିବାର ଆଜି ଅସହାୟ ହୋଇପଡ଼ିଛି। ତେଣୁ ତଦନ୍ତ ଚାଲିଥିବା ସମୟରେ ପ୍ରଦୀପ୍ତ ଲେଙ୍କାଙ୍କୁ ତୁରନ୍ତ ପ୍ରୋଭିଜନାଲ୍ ଆଧାରରେ କାମରେ ଯୋଗଦେବାକୁ ଅନୁମତି ଦିଆଯାଉ, ଯେପରି ତାଙ୍କ ପରିବାର ପ୍ରତିପୋଷଣରେ କୌଣସି ବାଧା ସୃଷ୍ଟି ହେବ ନାହିଁ।”
ରେଳ କର୍ତ୍ତୃପକ୍ଷଙ୍କ ନିକଟକୁ ଯିବା ସମ୍ପର୍କରେ ସେ କହିଛନ୍ତି ଯେ, ସ୍ଥାନୀୟ ସାଇଟ୍ ମ୍ୟାନେଜମେଣ୍ଟ ଗରିବ ଶ୍ରମିକଙ୍କ ସମସ୍ୟାର ସମାଧାନ କରିବାରେ ବିଫଳ ହେବା ଏବଂ ମନମୁଖୀ ଭାବେ ତାଙ୍କୁ ଡ୍ୟୁଟିରୁ ବାହାର କରିବା ଯୋଗୁଁ ହିଁ ସେ ଏହି ମାମଲାରେ ହସ୍ତକ୍ଷେପ କରିଥିଲେ। ଆଗକୁ କମ୍ପାନୀର ସ୍ଥାନୀୟ ଟିମ୍ ଶ୍ରମିକମାନଙ୍କ ପ୍ରତି ଅଧିକ ସମ୍ବେଦନଶୀଳ ହେବା ଆବଶ୍ୟକ।
ଶ୍ରୀ ସ୍ୱାଇଁ ଚେତାବନୀ ଦେଇଛନ୍ତି ଯେ, ସେ କେବଳ କାଗଜପତ୍ରର ପ୍ରତିଶ୍ରୁତିରେ ସନ୍ତୁଷ୍ଟ ନୁହନ୍ତି। ଯେପର୍ଯ୍ୟନ୍ତ ଶ୍ରମିକ ପ୍ରଦୀପ୍ତ ଲେଙ୍କାଙ୍କୁ ସସମ୍ମାନ ତାଙ୍କ କାର୍ଯ୍ୟ ପୁନର୍ବାର ଫେରାଇ ଦିଆଯାଇ ନାହିଁ ଏବଂ ଦୁର୍ବ୍ୟବହାର କରିଥିବା ଦୋଷୀ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ହୋଇଛି, ସେପର୍ଯ୍ୟନ୍ତ ଏହି ନ୍ୟାୟର ଲଢ଼େଇ ଜାରି ରହିବ।
ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏବଂ ସୋସିଆଲ ମିଡିଆରେ ଶ୍ରମିକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ, ଜଣେ ନିଷ୍ପେସିତ ଶ୍ରମିକ ପାଇଁ ବିଜେପି ନେତାଙ୍କ ଏଭଳି ତତ୍କାଳ ଓ ଦୃଢ଼ ପଦକ୍ଷେପକୁ ସାଧାରଣ ଲୋକ ଏବଂ ଶ୍ରମିକ ସଙ୍ଗଠନଗୁଡ଼ିକ ପକ୍ଷରୁ ଉଚ୍ଚ ପ୍ରଶଂସା କରାଯାଉଛି। ଏବେ ଦେଖିବାକୁ ବାକି ରହିଲା ଯେ, ରେଳ ପ୍ରଶାସନ ଏବଂ ଏସଏମସି କମ୍ପାନୀ କର୍ତ୍ତୃପକ୍ଷ ଏହି ଗରିବ ପରିବାରକୁ ନ୍ୟାୟ ଦେବା ପାଇଁ ଆଗକୁ କି ତୁରନ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି।











