Home / ମୁଖ୍ୟ ଖବର / ପୁରୀ ପୋଲିସ୍‌ର ତ୍ୱରିତ ପଦକ୍ଷେପ: କର୍ଣ୍ଣାଟକ ଭକ୍ତଙ୍କ ହଜିଯାଇଥିବା ସୁନା ଅଳଙ୍କାର ଓ ନଗଦ ଟଙ୍କା ଉଦ୍ଧାର

ପୁରୀ ପୋଲିସ୍‌ର ତ୍ୱରିତ ପଦକ୍ଷେପ: କର୍ଣ୍ଣାଟକ ଭକ୍ତଙ୍କ ହଜିଯାଇଥିବା ସୁନା ଅଳଙ୍କାର ଓ ନଗଦ ଟଙ୍କା ଉଦ୍ଧାର

ପୁରୀ,10/6/୨୬ ପ୍ରତିନିଧି: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ ପାଇଁ କର୍ଣ୍ଣାଟକରୁ ପୁରୀ ଆସିଥିବା ଜଣେ ମହିଳା ଭକ୍ତଙ୍କ ହଜିଯାଇଥିବା ମୂଲ୍ୟବାନ ସାମଗ୍ରୀକୁ ପୁରୀ ପୋଲିସ୍ ତ୍ୱରିତ ପଦକ୍ଷେପ ନେଇ ଉଦ୍ଧାର କରି ସୁରକ୍ଷିତ ଭାବେ ଫେରାଇ ଦେଇଛି।

ସୂଚନା ଅନୁସାରେ, କର୍ଣ୍ଣାଟକ ରାଜ୍ୟର ବିଜୟନଗର ଅଞ୍ଚଳର ବାସିନ୍ଦା ଶ୍ରୀମତୀ ସଙ୍ଗୀତା ଶ୍ରୀ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଆସୁଥିବା ସମୟରେ ଚନ୍ଦନପୁର ଓ ମାଳତୀପାଟପୁର ମଧ୍ୟରେ ତାଙ୍କର ଏକ ଭ୍ୟାନିଟି ବ୍ୟାଗ୍ ହଜିଯାଇଥିବା ଜାଣିବାକୁ ପାଇଥିଲେ। ବ୍ୟାଗ୍‌ଟି ହଜିଯାଇଥିବା ଜାଣିବା ପରେ ସେ ତୁରନ୍ତ ଜରୁରୀକାଳୀନ ସେବା ନମ୍ବର ୧୧୨କୁ ଫୋନ୍ କରି ସହାୟତା ମାଗିଥିଲେ।

ଖବର ପାଇବା ମାତ୍ରେ ପୁରୀ ପୋଲିସ୍ ଘଟଣାକୁ ଗୁରୁତ୍ୱର ସହ ନେଇ IPCR ଟିମ୍‌କୁ ଘଟଣାସ୍ଥଳକୁ ପଠାଇଥିଲା। ପୋଲିସ୍ କର୍ମଚାରୀମାନେ ଉକ୍ତ ଅଞ୍ଚଳରେ ବ୍ୟାପକ ଖୋଜାଖୋଜି କରି ଅଳ୍ପ ସମୟ ମଧ୍ୟରେ ହଜିଯାଇଥିବା ଭ୍ୟାନିଟି ବ୍ୟାଗ୍‌ଟିକୁ ଠାବ କରିବାରେ ସଫଳ ହୋଇଥିଲେ।

ଉଦ୍ଧାର ହୋଇଥିବା ବ୍ୟାଗ୍‌ରୁ ୭,୨୦୦ ଟଙ୍କା ନଗଦ, ଏକ ସୁନା ମୁଦ୍ରା ଏବଂ ଏକ ସୁନାର ମଙ୍ଗଳସୂତ୍ର ମିଳିଥିଲା। ପରେ ପୁରୀ ପୋଲିସ୍‌ର IPCR ଟିମ୍ ଶ୍ରୀମତୀ ସଙ୍ଗୀତା ଶ୍ରୀ ରହୁଥିବା ଲଜ୍‌କୁ ଯାଇ ତାଙ୍କ ପରିଚୟ ଯାଞ୍ଚ କରି ସମସ୍ତ ସାମଗ୍ରୀ ସୁରକ୍ଷିତ ଭାବେ ହସ୍ତାନ୍ତର କରିଥିଲେ।

ନିଜର ହଜିଯାଇଥିବା ମୂଲ୍ୟବାନ ସାମଗ୍ରୀ ଅକ୍ଷତ ଅବସ୍ଥାରେ ଫେରି ପାଇ ଶ୍ରୀମତୀ ସଙ୍ଗୀତା ଶ୍ରୀ ଖୁସି ବ୍ୟକ୍ତ କରିବା ସହ ପୁରୀ ପୋଲିସ୍‌ର ତ୍ୱରିତ ପ୍ରତିକ୍ରିୟା, ସତର୍କତା ଓ ଦାୟିତ୍ୱବୋଧକୁ ପ୍ରଶଂସା କରିଥିଲେ।

ପୁରୀ ପୋଲିସ୍ ପକ୍ଷରୁ କୁହାଯାଇଛି ଯେ, ଶ୍ରୀଜଗନ୍ନାଥ ଧାମକୁ ଆସୁଥିବା ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁରକ୍ଷା, ସହାୟତା ଓ ସେବା ପାଇଁ ବିଭାଗ ସଦା ପ୍ରତିବଦ୍ଧ ରହିଛି। କୌଣସି ଜରୁରୀ ପରିସ୍ଥିତିରେ ଭକ୍ତମାନେ ନିର୍ଭୟରେ ଜରୁରୀକାଳୀନ ସେବା ନମ୍ବର ୧୧୨ କିମ୍ବା ପୁରୀ ପୋଲିସ୍‌ର ସହାୟତା ନମ୍ବରରେ ଯୋଗାଯୋଗ କରିପାରିବେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply