Home / ମୁଖ୍ୟ ଖବର / ​ଶୋକାକୁଳ ପରିବେଶ: ହୃଦଘାତରେ ରାମକୃଷ୍ଣ ଶିଶୁ ମନ୍ଦିରର ପ୍ରିୟ ବିମଳ ଗୁରୁଜୀଙ୍କ ପରଲୋକ

​ଶୋକାକୁଳ ପରିବେଶ: ହୃଦଘାତରେ ରାମକୃଷ୍ଣ ଶିଶୁ ମନ୍ଦିରର ପ୍ରିୟ ବିମଳ ଗୁରୁଜୀଙ୍କ ପରଲୋକ

​କାକଟପୁର ତା ୧୦/୬ (ତୁଷାର ଦୀକ୍ଷିତ ) ରାମକୃଷ୍ଣ ଶିଶୁ ମନ୍ଦିରର ଜଣେ ସୁନାମଧନ୍ୟ ତଥା ସମସ୍ତଙ୍କ ପ୍ରିୟ ଶିକ୍ଷକ ବିମଳ ଗୁରୁଜୀଙ୍କର ଅକାଳ ବିୟୋଗ ଘଟିଛି। ଗତକାଲି ବିଳମ୍ବିତ ରାତିରେ ହଠାତ୍ ହୃଦଘାତ ଯୋଗୁଁ ତାଙ୍କର ପରଲୋକ ହୋଇଯାଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୧ ବର୍ଷ ହୋଇଥିଲା। ତାଙ୍କର ଏହି ଆକସ୍ମିକ ନିଧନ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳ ସମେତ ଶିକ୍ଷାନୁଷ୍ଠାନରେ ଗଭୀର ଶୋକର ଛାୟା ଖେଳିଯାଇଛି।
​ଛାତ୍ରଛାତ୍ରୀଙ୍କ କାନ୍ଦ ଫାଟି ପଡୁଛି ସ୍କୁଲ ପରିସର
​ବିମଳ ଗୁରୁଜୀଙ୍କ ବିୟୋଗ ଖବର ପାଇବା ପରେ ଆଜି ରାମକୃଷ୍ଣ ଶିଶୁ ମନ୍ଦିରରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ନିଜର ପ୍ରିୟ ଓ ସ୍ନେହୀ ଗୁରୁଜୀଙ୍କୁ ହରାଇ ଶିଶୁ ମନ୍ଦିରର ଶତାଧିକ ଛାତ୍ରଛାତ୍ରୀ ଭୋ ଭୋ ହୋଇ କାନ୍ଦୁଥିବାର ଦେଖିବାକୁ ମିଳିଥିଲା। ଗୁରୁଜୀଙ୍କ କୋମଳ ବ୍ୟବହାର ଓ ଶିକ୍ଷାଦାନ ଶୈଳୀ ପାଇଁ ସେ ପିଲାମାନଙ୍କର ଅତି ପ୍ରିୟ ଥିଲେ। ପିଲାମାନଙ୍କ କାନ୍ଦରେ ଆଜି ସମଗ୍ର ଶିଶୁ ମନ୍ଦିର ଫାଟି ପଡୁଥିବା ବେଳେ ସେଠାରେ ଉପସ୍ଥିତ ଥିବା ଅଭିଭାବକ ଓ ଅନ୍ୟ ଗୁରୁଜୀ-ଗୁରୁମାମାନେ ମଧ୍ୟ ନିଜର ଲୁହ ରୋକିପାରି ନଥିଲେ।
​ତାଙ୍କ ଅନ୍ତିମ ଦର୍ଶନ ପାଇଁ ବିଦ୍ୟାଳୟ ପରିସରରେ ଶବଧାର ବେଳେ ବହୁ ପୁରାତନ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ତାଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ୍‌ର ନୀରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଜଣେ ଆଦର୍ଶ, ନିଷ୍ଠାପର ଏବଂ ଛାତ୍ରବତ୍ସଳ ଶିକ୍ଷକ ଭାବେ ବିମଳ ଗୁରୁଜୀ ସଦାସର୍ବଦା ସମସ୍ତଙ୍କ ସ୍ମୃତିରେ ରହିବେ ବୋଲି ଶିଶୁ ମନ୍ଦିର ପରିଚାଳନା ସମିତି ପକ୍ଷରୁ କୁହାଯାଇଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply