ନିମାପଡ଼ା, ୪/୧୧: ପୁରୀ ଜିଲ୍ଲା ନିମାପଡ଼ା-ବଳଙ୍ଗା ରାସ୍ତାର ଦଣ୍ଡିପୁରସ୍ଥିତ ଗୌତମ ବୁଦ୍ଧ ଇଣ୍ଟରନ୍ୟାସନାଲ ସ୍କୁଲ (ଗୁରୁକୂଳ)କୁ ନେଇ ଦେଖାଦେଇଥିବା ବିବାଦର ଶେଷରେ ସମାଧାନ ହୋଇଛି। ବିଦ୍ୟାଳୟରେ ଦ୍ୱିତୀୟ ଶ୍ରେଣୀରେ ଅଧ୍ୟୟନରତ ଛାତ୍ରୀ ମିଷିକା ପରିଡ଼ାଙ୍କ ମା’ଙ୍କୁ ସ୍କୁଲ କର୍ତ୍ତୃପକ୍ଷ ଜମା ହୋଇଥିବା ଆଡମିଶନ ଫି’ ଫେରସ୍ତ କରିଛନ୍ତି। ଏହି ଘଟଣାରେ ବିଜେପି କୃଷକ ମୋର୍ଚ୍ଚାର ପୂର୍ବତନ ରାଜ୍ୟ ସମ୍ପାଦକ ତଥା ଡିଏଲ୍ପିସି, ପୁରୀର ଚାଷୀ ପ୍ରତିନିଧି ପ୍ରଶାନ୍ତ ସ୍ୱାଇଁ (ଲୁଲୁ)ଙ୍କ ହସ୍ତକ୍ଷେପ ପରେ ପରିବାରକୁ ଅର୍ଥରାଶି ଫେରସ୍ତ ମିଳିଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ମିଷିକା ପରିଡ଼ା ଉକ୍ତ ବିଦ୍ୟାଳୟର ହଷ୍ଟେଲରେ ରହି ପାଠ ପଢ଼ୁଥିବା ସମୟରେ ଅସୁସ୍ଥ ହୋଇପଡ଼ିଥିଲେ। ଝିଅର ସ୍ୱାସ୍ଥ୍ୟାବସ୍ଥା ଓ ଯତ୍ନକୁ ନେଇ ମା’ ପ୍ରଶ୍ନ ଉଠାଇବା ପରେ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ତାଙ୍କର ମତଭେଦ ହୋଇଥିଲା। ପରବର୍ତ୍ତୀ ସମୟରେ ଟ୍ରାନ୍ସଫର ସାର୍ଟିଫିକେଟ୍ (ଟିସି) ନାମରେ ଛାତ୍ରୀଙ୍କୁ ବିଦ୍ୟାଳୟରୁ ନେଇଯିବାକୁ କୁହାଯାଇଥିବା ବେଳେ ହଷ୍ଟେଲରେ ରହିଯାଇଥିବା ବ୍ୟକ୍ତିଗତ ସାମଗ୍ରୀ ଓ ଜମା ଅର୍ଥରାଶି ଫେରସ୍ତକୁ ନେଇ ମଧ୍ୟ ସମସ୍ୟା ଉପୁଜିଥିଲା।
ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ପ୍ରଶାନ୍ତ ସ୍ୱାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ, ପୁରୀ ଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟକୁ ଲିଖିତ ସ୍ମାରକପତ୍ର ପ୍ରଦାନ କରିଥିଲେ। ବିଦ୍ୟାଳୟର ସ୍ୱୀକୃତି, ଶିକ୍ଷକଙ୍କ ଯୋଗ୍ୟତା, ହଷ୍ଟେଲରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା, ଖାଦ୍ୟର ଗୁଣବତ୍ତା, ଆର୍ଥିକ କାରବାର ଏବଂ ଟିସି ସମ୍ବନ୍ଧୀୟ ଫି’ ଆଦାୟ ଆଦି ବିଷୟରେ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସେ ଦାବି କରିଥିଲେ।
ଏହାପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରୀଙ୍କ ମା’ଙ୍କୁ ଡାକି ଜମା ହୋଇଥିବା ଆଡମିଶନ ଅର୍ଥରାଶି ଫେରସ୍ତ କରିଥିବା ଜଣାପଡ଼ିଛି। ଏହି ସମାଧାନ ପରେ ଛାତ୍ରୀଙ୍କ ମା’ ଦୁଃସମୟରେ ପାଖରେ ଠିଆ ହୋଇ ନ୍ୟାୟ ପାଇଁ ଉଦ୍ୟମ କରିଥିବା ପ୍ରଶାନ୍ତ ସ୍ୱାଇଁଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା, ଅଭିଭାବକଙ୍କ ଅଧିକାର ଏବଂ ସ୍ୱଚ୍ଛ ପ୍ରଶାସନିକ ବ୍ୟବସ୍ଥା ସୁନିଶ୍ଚିତ କରିବା ଉପରେ ଏହି ଘଟଣା ପୁଣିଥରେ ଗୁରୁତ୍ୱ ଆରୋପ କରିଛି।











