Home / ମୁଖ୍ୟ ଖବର / ପଣ୍ଡିତ କୃପାସିନ୍ଧୁ ମିଶ୍ର ଙ୍କ ଜୟନ୍ତୀ

ପଣ୍ଡିତ କୃପାସିନ୍ଧୁ ମିଶ୍ର ଙ୍କ ଜୟନ୍ତୀ

ଆଜି ଠିକ୍ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେବଙ୍କ ଭଳି ମହାନ୍ ସ୍ଵାଧୀନତା ସଂଗ୍ରାମୀ, ପ୍ରସିଦ୍ଧ ଶିକ୍ଷାବିତ, ପ୍ରବୀଣ ସାରସ୍ଵତ ସାଧକ, ଐତିହାସିକ, ଆଦର୍ଶ ଶିକ୍ଷକ, ପଞ୍ଚସଖାଙ୍କ ମଧ୍ୟରେ ସର୍ବ କନିଷ୍ଠ ମହାତ୍ମା ପଣ୍ଡିତ କୃପାସିନ୍ଧୁ ମିଶ୍ର ସ୍ବଳ୍ପ ବୟସରେ ଇହଲୀଳା ସମ୍ବରଣ କରିଥିଲେ । ୧୯୨୬ ମସିହା ଫେବୃଆରୀ ୧୨ତାରିଖରେ, ୩୮ବର୍ଷ ବୟସରେ ତାଙ୍କର ତିରୋଧାନ ଘଟିଥିଲା । ତାଙ୍କ ମୃତ୍ୟୁରେ ମର୍ମାହତ ହୋଇ ପଣ୍ଡିତ ଗୋପବନ୍ଧୁ ଦାସ ଲେଖିଥିଲେ : ଉତ୍କଳର ଶିକ୍ଷକ ସମାଜରୁ ଗୋଟିଏ ଉଜ୍ଜ୍ୱଳ ନକ୍ଷତ୍ର ଖସି ପଡିଲା ।କୃପାସିନ୍ଧୁ, ୧୮୮୭ ମସିହା ଜୁନ ୨୭ ତାରିଖ ଦିନ ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ବ୍ଳକସ୍ଥିତ ବୀରହରେକୃଷ୍ଣପୁର ଗ୍ରାମର ଏକ କୁଳୀନ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ହରିହର ଓ କୃଷ୍ଣଚନ୍ଦ୍ର ତାଙ୍କର ଅନ୍ୟ ଦୁଇ ଭାଇଥିଲେ । ବାଲ୍ୟକାଳରୁ ତାଙ୍କର ପିତାଙ୍କର ଦେହାନ୍ତ ଘଟିଥିଲା ଓ ସେ ନିଜ ମାଉସୀ ଙ୍କ ଘରକୁ ପୋଷ୍ୟପୁତ୍ର ହୋଇଯାଇଥିଲେ । ତାଙ୍କ ନିଜ ସାଙ୍ଗିଆ “ଦାଶ” ଥିଲା ଓ ପୋଷ୍ୟପୁତ୍ର ହୋଇଆସିବା ପରେ ତାହା “ମିଶ୍ର”କୁ ପରିବର୍ତ୍ତିତ ହୋଇଥିଲା । ନିଜ ମାଉସୀଙ୍କଦ୍ୱାରା ଉପେକ୍ଷିତ ହୋଇ, ସେ କ୍ରମେ ନିଜ ମାମୁଁ ଘରେ ଆଶ୍ରା ପାଇଥିଲେ । ମାମୁଁ ଘର ଅତ୍ୟନ୍ତ ସ୍ୱଚ୍ଛଳ ନଥିଲେ ମଧ୍ୟ, କୃପାସିନ୍ଧୁଙ୍କ ଶିକ୍ଷା ଗ୍ରହଣ ପନ୍ଥା ରେ କିଛି ଅଭାବ କରିନଥିଲେ । କୃପାସିନ୍ଧୁ ଗାଁ ସ୍କୁଲରୁ ଉତ୍ତୀର୍ଣ୍ଣ ହୋଇ ପୁରୀ ଜିଲ୍ଲା ସ୍କୁଲରେ ନାମ ଲେଖାଇଥିଲେ । ସେଠାରେ ପ୍ରଧାନ ଶିକ୍ଷକ ଦଣ୍ଡ ସ୍ୱରୂପ କୃପାସିନ୍ଧୁଙ୍କୁ ଗୋଟିଏ ଦିନ ସମଗ୍ର ସ୍କୁଲ ସମୟ ବେଞ୍ଚରେ ଠିଆ କରେଇ ଦେଇଥିଲେ । ଏହାଦ୍ୱାରା ବାଳକ କୃପାସିନ୍ଧୁଙ୍କ ଗୋଡ଼କୁ ରକ୍ତଗଡ଼ି, ସେ ବାତଜ୍ୱରରେ ଆକ୍ରାନ୍ତ ହୋଇ, ସମଗ୍ର ଜୀବନକାଳ ଏହି ରୋଗ ଭୋଗିଥିଲେ ଓ ଗୋଡ଼ରେ ସବୁ ସମୟରେ ତାଙ୍କୁ ଏକ ପଟି ବାନ୍ଧି ରଖିବାକୁ ପଡ଼ିଥିଲା । ଏହି ଘଟଣା ପରେ, କୃପାସିନ୍ଧୁ ପୁରୀ ଜିଲ୍ଲା ସ୍କୁଲରୁ ନିଜ ନାମ କଟେଇ, କଟକର ରେଭେନ୍‌ସା କଲିଜିଏଟ ସ୍କୁଲରେ ନାମ ଲେଖାଇଲେ । ଏହା ତାଙ୍କ ଜୀବନର ଗତିପଥରେ କିଛି ପରିବର୍ତ୍ତନ ଆଣିଦେଲା । ଆତ୍ମନିର୍ଭରଶୀଳ ହେବା ପାଇଁ, ସେ ଟିଉସନ କରୁଥିଲେ । ଏଣ୍ଟ୍ରାନ୍ସ ପରୀକ୍ଷାରେ ପାସ କରି, ସେ ୧୫ଟଙ୍କା ବୃତ୍ତି ପାଉଥିଲେ । ପରବର୍ତ୍ତୀ ସମୟରେ ରେଭେନ୍ସା ମହାବିଦ୍ୟାଳୟରୁ ଏଫ.ଏ ଓ ବି.ଏ ପାସ କରିଥିଲେ । ୧୯୧୪ ମସିହାରେ କଲିକତା ବିଶ୍ୱବିଦ୍ୟାଳୟରୁ ଦର୍ଶନ ଶାସ୍ତ୍ରରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ । ବିଶ୍ବ ମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ, କୃପାସିନ୍ଧୁ ୧୯୧୪ ମସିହାରେ ସତ୍ୟବାଦୀ ବନ ବିଦ୍ୟାଳୟରେ ଜଣେ ସହକାରୀ ଶିକ୍ଷକ ଭାବରେ ଯୋଗଦାନ କରିଥିଲେ । ତାଙ୍କ ଯୋଗଦେବା ବେଳକୁ ପଣ୍ଡିତ ନୀଳକଣ୍ଠ ଦାସ ଓ ପଣ୍ଡିତ ଗୋଦାବରୀଶ ମିଶ୍ର ସେଠାରେ ଯୋଗ ଦେଇ ସାରିଥାନ୍ତି । ଏମାନଙ୍କଦ୍ୱାରା କୃପାସିନ୍ଧୁ ଗଭୀର ଭାବରେ ପ୍ରଭାବିତ ହୋଇଥିଲେ । ପଢ଼ିବା ଓ ପଢ଼େଇବାରେ କୃପାସିନ୍ଧୁଙ୍କର ଆନନ୍ଦ ଥିଲା । ତାଙ୍କର ସଂସ୍କୃତ, ଓଡ଼ିଆ ଓ ଇଂରାଜୀ ଭାଷାରେ ଅଗାଧ ପାଣ୍ଡିତ୍ୟ ଥିଲା ଓ ସେ ଅନର୍ଗଳ ବକ୍ତୃତା ଦେଇ ପାରୁଥିଲେ । ସର୍ବଦା ଧୋତି କୂର୍ତ୍ତା ପରିଧାନ କରୁଥିବା କୃପାସିନ୍ଧୁଙ୍କର ନିରାଡ଼ମ୍ବର ଜୀବନଶୈଳୀ ଓ ସରଳ ବ୍ୟକ୍ତିତ୍ୱ ଛାତ୍ରମାନଙ୍କୁ ପ୍ରଭାବିତ କରୁଥିଲା । ଛାତ୍ରମାନଙ୍କ ମନରେ ଦେଶପ୍ରେମ ଓ ସେବାମୂଳକ ମନୋଭାବ ଜାଗ୍ରତ କରାଇବା ପାଇଁ ସେ ଥିଲେ ଯତ୍ନଶୀଳ । ୧୯୨୦ମସିହାରେ ସେ ସତ୍ୟବାଦୀ ବନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ମୃତ୍ୟୁପର୍ଯ୍ୟନ୍ତ ଏହି ଦାୟିତ୍ୱ ତୁଲାଇଥିଲେ । ବ୍ୟାସକବି ଫକୀର ମୋହନ ସେନାପତି, ସତ୍ୟବାଦୀ ବନ ବିଦ୍ୟାଳୟ ପରିଭ୍ରମଣରେ ଆସି ‘ଉତ୍କଳ ଭ୍ରମଣ’ରେ ଲେଖିଥିଲେ :
“ କୃପାମୟ କୃପାସିନ୍ଧୁ ଜନହିତକର,
କାର୍ଯ୍ୟସାଧନରେ ଅବତୀର୍ଣ୍ଣ ଧରାଧାମେ,
ସମବେତ ସେମାନେ ତ ସତ୍ୟବାଦୀ ଗ୍ରାମେ,
ଜ୍ଞାନରାଶି, ପବିତ୍ରତା, ଉଭୟ ତ ଠୁଳ
ଉଦ୍ଧରିବେ ଭଗୀରଥ ସମାନରେ କୂଳ । ”
ପଣ୍ଡିତ କୃପାସିନ୍ଧୁ ମିଶ୍ର ଙ୍କ କାଳଜୟୀ ସୃଷ୍ଟି ” ବାରବାଟୀ ଦୁର୍ଗ”
(ଏହା ପ୍ରଥମେ ମୁକୁର ପତ୍ରିକାରେ ଧାରାବାହିକ ଭାବରେ ପ୍ରକାଶିତ ହୋଇ, ପରେ ଏକ ଗ୍ରନ୍ଥର ରୂପ ନେଇଥିଲା)
କୋଣାର୍କ (ଉତ୍କଳର ଗୌରବମୟ ଇତିହାସର ଗଭୀର ଅନୁଶୀଳନ),ଉତ୍କଳ ଇତିହାସ (କୃପାସିନ୍ଧୁଙ୍କ ମୃତ୍ୟୁପରେ ଅସମ୍ପୂର୍ଣ୍ଣ ଭାବରେ ପ୍ରକାଶିତ),ନବ ଯୌବନର ବିପଦ,ଅଦୃଷ୍ଟବାଦ,ଲୀଳା , ପ୍ରାଚ୍ୟ ଭୂଖଣ୍ଡର ଅଭ୍ୟୁତଥାନ
ଭାରତରେ ଇଂରେଜ ସାମ୍ରାଜ୍ୟ ବିସ୍ତାର,ଭାରତ ଇତିହାସରେ ବୈଦେଶିକ ଆକ୍ରମଣ ଭଳି ଅନେକ କୀର୍ତ୍ତି ଓଡ଼ିଆ ବାଣୀ ଭଣ୍ଡାର ର ଅମୂଲ୍ୟ ସମ୍ପଦ । ସ୍ମରଣୀୟ ଶ୍ରାଦ୍ଧ ଦିବସରେ ତାଙ୍କର ଅମ୍ଲାନ ଅମୃତ ସ୍ମତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛି, ବନ୍ଦେ ଉତ୍କଳ ଜନନୀ 

SPREAD YOUR LOVE WITH YOUR FRIENDS AND FAMILY

Leave a Reply