ପୁରୀ – ୧୮/୦୪/୨୦୨୫ ଆସୁଛନ୍ତି ଯାଉଛନ୍ତି ଅନେକ ଜିଲ୍ଲାପାଳ ଓ ରାଜ୍ୟପାଳ, ବଦଳି ଗଲା ସରକାର , କିନ୍ତୁ ଆଜୀବି ଅବହେଳିତ ପୁରୀ ଜିଲ୍ଲାର ଜୀବନ ରେଖା କୁହାଯାଉଥିବା ସଡ଼କ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ସହର ପୁରୀକୁ ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶା ସହିତ ସଂଯୁକ୍ତ କରୁଥିବା ଅବିଭକ୍ତ ପୁରୀ ଜିଲ୍ଲାର ଜୀବନ ରେଖା ନୂଆ ଜଗନ୍ନାଥ ସଡ଼କକୁ ରାଜନୈତିକ ପକ୍ଷପାତିତା ଏବଂ ଉପେକ୍ଷାର ଶିକାର କରାଯିବା ଦୁର୍ଭାଗ୍ୟ ଜନକ । ୧୦. ଜୁନ. ୨୦୧୫ ରେ ପିପିଲି ଠାରେ ଆୟୋଜିତ ଏକ ସଭାରେ କେନ୍ଦ୍ର ଭୂପୃଷ୍ଠ ପରିବହନ ମନ୍ତ୍ରୀ ଶ୍ରୀ ନିତିନ୍ ଗଡକରି ନୂଆ ଜଗନ୍ନାଥ ସଡ଼କକୁ ଜାତୀୟ ରାଜପଥ ଭାବରେ ଗ୍ରହଣ କରିବା ପାଇଁ ଦାବିକୁ ମାନି ନେଇଥିଲେ ଏବଂ ୨୦୧୭ ରେ ଏହାକୁ ନୀତିଗତ ଭାବରେ ଜାତୀୟ ରାଜପଥ ଭାବରେ ଘୋଷଣା କରାଯାଇଥିଲା । ପରେ (CARD) କାର୍ଡ ଇଞ୍ଜିନିୟରିଂ ସଂସ୍ଥା ପ୍ରସ୍ତୁତ କରିଥିବା ଡି. ପି. ଆର (ସବିଶେଷ ପ୍ରକଳ୍ପ ବିବରଣୀ) ଭୂପୃଷ୍ଠ ପରିବହନ ମନ୍ତ୍ରଣାଳୟକୁ ପ୍ରଦାନ କରାଯାଇଥିଲା ।

ସଂପ୍ରତି ଭୂପୃଷ୍ଠ ପରିବହନ ମନ୍ତ୍ରୀଙ୍କ ଓଡିଶା ଗସ୍ତ କାଳରେ ଭୁବନେଶ୍ବର ବରମୁଣ୍ଡା ପଡିଆରେ ଆୟୋଜିତ ସଭାରେ ୪ ହଜାର ୧୭୩ କୋଟି ଟଙ୍କା ନିବେଶରେ ଅନେକ ସଡକ ପ୍ରକଳ୍ପର ସେ ଘୋଷଣା କଲେ ଓ ଆମେରିକା ଭଳି ଓଡିଶାରେ ରାଜପଥ ନିର୍ମାଣ ହେବ ବୋଲି କହିଲେ l ମଞ୍ଚରେ ଉପସ୍ଥିତ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ କିଛି କଥା ରଖିଥିବାବେଳେ ପୁରୀ ସାଂସଦ ଡ. ସମ୍ବିତ ପାତ୍ର ପଦଟିଏ ହେଲେ କିଛି କହିଲେ ନାହିଁ l ପ୍ରକାଶ ଥାଉକି ଯେତେବେଳେ ନୀତିଗତ ଭାବରେ ଜାତୀୟ ରାଜପଥ ଘୋଷିତ ନୂଆ ଜଗନ୍ନାଥ ସଡକର ଭାଗ୍ୟ ବିଡ଼ମ୍ବିତ ହୋଇଥିଲା, ନୂଆ ଜଗନ୍ନାଥ ସଡ଼କ ସୁରକ୍ଷା ସମିତି ପକ୍ଷରୁ ସ୍ଵାକ୍ଷର ସଂଗ୍ରହ ଅଭିଯାନ ଚାଲିଥିଲା, ସେତେବେଳେ ପୁରୀ ସାଂସଦ ଡ.ପାତ୍ର କେନ୍ଦ୍ରମନ୍ତ୍ରୀଙ୍କର ଏକ ପୁରୁଣା ଚିଠିକୁ ଗଣମାଧ୍ୟମରେ ପ୍ରସାର କରି ବିଭ୍ରାନ୍ତି ସୃଷ୍ଟି କରିଥିଲେ l
ଏହି ପରିପ୍ରେକ୍ଷୀରେ ୧୭/୦୪/୨୦୨୫ ରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡକରୀଙ୍କୁ ଯେତେବେଳେ ନୂଆ ଜଗନ୍ନାଥ ସଡ଼କ ସୁରକ୍ଷା ସମିତି ପକ୍ଷରୁ ଉକ୍ତ ଗୁରୁତ୍ୱପୂର୍ଣ୍ଣ ରାସ୍ତାକୁ ବିଧିବଦ୍ଧ ଜାତୀୟ ରାଜପଥ ଭାବରେ ବିକଶିତ କରିବା ପାଇଁ ସ୍ମାରକପତ୍ର ପ୍ରଦାନ ନିମନ୍ତେ ପ୍ରୟାସ କରାଗଲା, ସେତେବେଳେ ଏ ସୁଯୋଗ ମିଳିଲା ନାହିଁ l ଏହା ବିଡ଼ମ୍ବନା ଯେ ଯେତେବେଳେ ସେ ସଭାରେ ଭକ୍ତ ଓ ଯାତ୍ରୀମାନଙ୍କୁ ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଯିବାକୁ ସହଜ ସୁଗମ ଯାତ୍ରାପଥ କଥା ମୁଖ୍ୟମନ୍ତ୍ରୀ କହ଼ୁଥିଲେ ସେତେବେଳେ ନୂଆ ଜଗନ୍ନାଥ ସଡ଼କର ବିକାଶକୁ ଛାଡି ଏହା କିପରି ସମ୍ଭବ ?
ଜନତାଙ୍କ ମତରେ ଏବେ ଜଗନ୍ନାଥ ସଡକର ନବୀକରଣ ପାଇଁ ସରକାର କିଛି ପଦକ୍ଷେପ ନେବେ ନା ଏୟାର ପୋର୍ଟ ଭଳି ଆଦାନୀ କୁ ବିକ୍ରି କରିବେ ତାହା ଦେଖିବାକୁ ବାକି ରହିଲା । ପୁରୀ ଜିଲ୍ଲାରେ ଉନ୍ନତିକରଣ କାମ ପାଇଁ କୁଆଡେ ପ୍ରଶାସନିକ ଅଧିକାରୀଙ୍କ ନିକଟକୁ ପ୍ୟାକେଟ ପଠାଇବାକୁ ପଡୁଛି ବୋଲି ଆଲୋଚନା ହେଉଛି । ଏମିତିକି ବ୍ଲକ ରେ ଗୋଟିଏ କାମ କରିବାକୁ ହେଲେ ପି.ସି ବାବଦରେ ୨୫ ପ୍ରତିଷତରୁ ଉର୍ଦ୍ଧ ଦେବାକୁ ହେଉଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚା ହେଉଛି । ଏବେକାର ଜିଲ୍ଲାପାଳ ଗଣତନ୍ତ୍ର ର ଦ୍ୱିତୀୟ ସ୍ତମ୍ଭ କାର୍ଯ୍ୟକାରିଣୀରେ ଥାଇ ମଧ୍ୟ ଜନ ପ୍ରତିନିଧିଙ୍କ କଥାରେ ଉଠ ବସ ହେବା ଓ ପ୍ରତିଟି କାମରେ ତାଙ୍କ ପାଇଁ ପି.ସି କାରବାର କରିବା ପୁରୀ ଜିଲ୍ଲା ପାଇଁ ଏକ ଦୁଃଖଦ ବିଷୟ ବୋଲି ଜନ ମହଲରେ ଚର୍ଚାର ବିଷୟ ପାଲଟିଛି ।











