Home / ମୁଖ୍ୟ ଖବର / ଶିଶୁ ଯତ୍ନ ଅନୁଷ୍ଠାନର କର୍ମଚାରୀଙ୍କୁ ଶିଶୁ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ସେବା ତାଲିମ

ଶିଶୁ ଯତ୍ନ ଅନୁଷ୍ଠାନର କର୍ମଚାରୀଙ୍କୁ ଶିଶୁ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ସେବା ତାଲିମ

whatsapp image 2025 09 02 at 21.32.31 b741b3ef

ପୁରୀ : ୦୨/୦୯/୨୦୨୫- ନି:ପ୍ର- ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ପୁରୀଙ୍କ ଜିଲ୍ଲା ସମ୍ମିଳନୀ କକ୍ଷଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଜିଲ୍ଲା ପ୍ରଶାସନ ତରଫରୁ ଶିଶୁ ଯତ୍ନ ଅନୁଷ୍ଠାନର କର୍ମଚାରୀଙ୍କୁ ଶିଶୁ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ସେବା ଓ ଯୋଜନା ସମ୍ବନ୍ଧରେ ତାଲିମ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ ବିଭାଗ ଓ ଶିଶୁ ସୁରକ୍ଷା ବିଭାଗର ସମନ୍ୱୟରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡଃ ଅକ୍ଷୟ କୁମାର ଶତପଥୀ ଯୋଗ ଦେଇ କହିଥିଲେ ଶିଶୁମାନେ ହେଉଛନ୍ତି ଦେଶର ଭବିଷ୍ୟତ। ସେମାନଙ୍କ ସ୍ୱାସ୍ଥ୍ୟ ଠିକ ରହିଲେ ଦେଶ ଆଗକୁ ବଢିବ। ଏଣୁ ସ୍ୱାସ୍ଥ୍ୟ ବିଭାଗରେ ଥିବା ସମସ୍ତ ସ୍ୱାସ୍ଥ୍ୟସେବା ଗୁଡିକ ବିଷୟରେ ଜାଣି ଆବଶ୍ୟକତା ଅନୁସାରେ ଶିଶୁ ଯତ୍ନ ଅନୁଷ୍ଠାନରେ କାର୍ଯ୍ୟ କରିବା ଜରୁରୀ। ଡଃ ଅଜିତ କୁମାର ମହାପାତ୍ର, ଅଧ୍ୟକ୍ଷ, ଶିଶୁ ମଙ୍ଗଳ ସମିତି, ପୁରୀ କହିଥିଲେ ଯେ, ସ୍ୱାସ୍ଥ୍ୟ ବିଭାଗ ଓ ଶିଶୁ ସୁରକ୍ଷା ବିଭାଗ ଉଭୟ ପରିପୂରକ। ଆମ ପାଖକୁ ଆସୁଥିବା ଶିଶୁମାନେ ସ୍ୱାସ୍ଥ୍ୟ ସମସ୍ୟାର ଶିକାର ହେବା ସ୍ୱାଭାବିକ। ସେମାନଙ୍କୁ ତୁରନ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ହେଉଛି ଆମର ଦାୟିତ୍ୱ। ଏଣୁ ସ୍ୱାସ୍ଥ୍ୟବିଭାଗର ସହଯୋଗର ଆବଶ୍ୟକତା ପଡେ। ଏଣୁ ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନ ସ୍ୱାସ୍ଥ୍ୟ ବିଭାଗ ସହ ନିରନ୍ତର ସମ୍ପର୍କ ରଖିବା ଆବଶ୍ୟକ। ଅନ୍ୟ ଅତିଥି ଓ ତାଲିମଦାତାଙ୍କ ମଧ୍ୟରେ ଶିଶୁ ରୋଗ ବିଶେଷଜ୍ଞ ଡ଼ଃ ସୂର୍ଯ୍ୟ ନାରାୟଣ ମିଶ୍ର ତୁରନ୍ତ ଚିକିତ୍ସା ବା ଫାଷ୍ଟ ଏଡ, ଏହାର ପରିଚାଳନା ତଥା ରକ୍ଷଣାବେକ୍ଷଣା ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ l

whatsapp image 2025 09 02 at 21.32.31 17a60c42

ଏହା ସହିତ ଖଣ୍ଡିଆ ଖାବରା, ପୋଡାଜଳା, ସାପ କାମୁଡା, ବାତ ମାରିବା ସମୟରେ ତୁରନ୍ତ ଚିକିତ୍ସା ବିଷୟରେ ଆଲୋଚନା କରିଥିଲେ। ଡ଼ଃ ଶିଳ୍ପୀ ଦାସ, ସଂକ୍ରମକ ରୋଗ ବିଶେଷଜ୍ଞ ଓ ସହଯୋଗୀ ଉମାକାନ୍ତ ରାଉତ ଇ ସଞ୍ଜିବନୀ, ଟେଲି ପରାମର୍ଶ ସମ୍ବନ୍ଧରେ ଆଲୋଚନା କରିଥିବା ବେଳେ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ପରିଚାଳକ ପ୍ରଶାନ୍ତ କୁମାର ପରିଜା ଏହି କାର୍ଯ୍ୟକ୍ରମ ଅଧୀନରେ ଶିଶୁମାନଙ୍କ ଚିକିତ୍ସା, ରେଫରାଲ, ପରାମର୍ଶ ସେବା, ମୋବାଇଲ ସ୍ୱାସ୍ଥ୍ୟ ସେବା ସମ୍ବନ୍ଧରେ ଆଲୋଚନା କରିଥିଲେ। ମାନସିକ ସ୍ୱାସ୍ଥ୍ୟ ପରାମର୍ଶଦାତ୍ରୀ ଅପର୍ଣ୍ଣା ମହାନ୍ତି ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅଧୀନରେ ଥିବା ସେବା, ମାନସିକ ଚିକିତ୍ସା ଓ ସ୍ୱାସ୍ଥ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ପ୍ରାରମ୍ଭରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ ସ୍ୱାସ୍ଥ୍ୟ ବିଭାଗ ସହଯୋଗରେ ଜିଲ୍ଲାରେ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ ଅଧିକ ଉନ୍ନତ ହୋଇପାରିଛି। ଆଗକୁ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ହେବ ଏଥିରେ ସନ୍ଦେହ ନାହିଁ। ଏହି କାର୍ଯ୍ୟକ୍ରମରେ ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନର ପାରାମେଡିକାଲ ଷ୍ଟାଫ, ସୁପେରିଣ୍ଟେଣ୍ଡେଟ, କାଉନସିଲର, ଗୃହ ପିତା, ଗୃହମାତା ଚାଇଲଡ ହେଲ୍ପଲାଇନ ସଂଯୋଜକ ଆଦି ୩୫ଜଣ ଅଧିକାରୀ ଯୋଗ ଦେଇଥିଲେ। ଡ଼ଃ ନାରାୟଣ ପ୍ରସାଦ ନନ୍ଦ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବେଳେ ସୁରକ୍ଷା ଅଧିକାରୀ ଶୁଭ ନାରାୟଣ ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କର୍ମଚାରୀ କମଳା ମହାରଣା, ହରେକୃଷ୍ଣ ସାହୁ ସହଯୋଗ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply