ପୁରୀ :୧୬/୦୯/୨୦୨୫ – ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭୂ-ସମ୍ପତ୍ତି ଭକ୍ତଙ୍କ ଉଦ୍ଦେଶ୍ୟରେ ଅଗ୍ରାଧିକାର ଭିତ୍ତିରେ ବ୍ୟବହାର ସପକ୍ଷରେ ମତ ରଖିବା ସହ ଏକ ରିଭ୍ୟୁ ପିଟିସନ୍ ଉପରେ ଦାଖଲ ହୋଇଖଥିବା ଅନ୍ତରୀଣ ଆବେଦନକୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଖାରଜ କରିଛନ୍ତି । ରିଭ୍ୟୁ ପିଟିସନ୍ ନମ୍ବର-176/2008 ଉପରେ ଦାଖଲ ହୋଇଥିବା ଅନ୍ତରୀଣ ଆବେଦନ ନମ୍ବର 109/2024 କୁ ଖାରଜ କରିବା ସହ ଏହି ଜମିର ବ୍ୟବହାର ସଂକ୍ରାନ୍ତରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଉଚିତ୍ ନିଷ୍ପତ୍ତି ନେଇଥିବା ମାନ୍ୟବର କୋର୍ଟ ଅନୁଭବ କରିଛନ୍ତି । ପୁରୀ ସହରର ସମ୍ପୃକ୍ତ ମୂଲ୍ୟବାନ ଜମି ଉପରେ ଭକ୍ତଙ୍କ ପାଇଁ ଭକ୍ତ ନିବାସ ନିର୍ମାଣ ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି 2017 ମସିହାରେ ନିଷ୍ପତ୍ତି ନେଇଥିଲେ । ଏଥିସହିତ ମାନ୍ଯବର କୋର୍ଟ ନିଜ ଆଦେଶରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଯେ, ମହାପ୍ରଭୁଙ୍କ ଭୂ-ସମ୍ପତ୍ତି ବ୍ୟବହାର ସମୟରେ ବ୍ୟକ୍ତିଗତ ମାଲିକାନା ଦାବି ତୁଳନାରେ ଭକ୍ତଙ୍କ କଲ୍ୟାଣ ପାଇଁ ଜମିର ବ୍ୟବହାର ଉପରେ ଅଧିକ ଜୋର୍ ଦିଆଯିବା ଆବଶ୍ୟକ । ସେହିପରି ମହାପ୍ରଭୁଙ୍କ ସ୍ବାର୍ଥ ରକ୍ଷା କରିବା ଉଭୟ ରାଜ୍ୟ ସରକାର ଏବଂ ମାନ୍ୟବର କୋର୍ଟଙ୍କ ମଧ୍ୟ ଦାୟିତ୍ତ୍ବ ବୋଲି ନିଜ ନିର୍ଦ୍ଦେଶରେ ଉଲ୍ଲେଖ କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଇନଜୀବୀ ଆନନ୍ଦ ଚନ୍ଦ୍ର ସ୍ବାଇଁ ମାମଲା ପରିଚାଳନା କରୁଥିଲେ ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭୂସମ୍ପତ୍ତି ସମ୍ପର୍କରେ ମାନ୍ୟବର ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ










