ପୁରୀ: ୦୪/୧୧/୨୦୨୫- କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ନୂଆଦିଲ୍ଲୀ ଓ ଆଇ.ସି.ସି, ନୂଆଦିଲ୍ଲୀର ମିଳିତ ସହଭାଗିତାରେ ଆଜି ଶ୍ରୀ ସଦାଶିବ ପରିସର, ପୁରୀ ଆନୁକୂଲ୍ୟରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶ୍ରୀନିବାସ ବରଖେଡ଼ିଙ୍କ ସଂରକ୍ଷଣରେ ଓ ପରିସରର ଧର୍ମଶାସ୍ତ୍ର ବିଭାଗର ବିଭାଗମୁଖ୍ୟ ବରିଷ୍ଠ ପ୍ରଫେସର ଲଳିତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ସମର୍ଥ ନାରୀ ସମୃଦ୍ଧ ଭାରତ ଶୀର୍ଷକ ଦ୍ୱିଦିବସୀୟ ରାଷ୍ଟ୍ରୀୟ ମହିଳା ସମ୍ମେଳନ ଛାତ୍ରୀ ମାଧବୀ ମଂଜରୀଙ୍କ ପବିତ୍ର ମଙ୍ଗଳାଚରଣରେ ଓ ବିଶ୍ୱବିନ୍ୟାଳୟର କୁଳଗୀତ ଗାନ ପୂର୍ବକ ଉଦ୍ଯାପନ ହୋଇଯାଇଛି । ଏହି ଉଦ୍ଯାପନ ସତ୍ତ୍ରରେ ମୁଖ୍ୟ ଅତିଥି ଭାବେ ରାଜସ୍ୱ ବିଭାଗ, ଓଡ଼ିଶା ସରକାରଙ୍କ ଅଧିକାରୀ ଶ୍ରୀମତୀ ସସ୍ମିତା ଶତପଥୀ,ସମ୍ମାନିତ ଅତିଥି ଭାବେ ସୁପ୍ରସିଦ୍ଧ ଲେଖିକା, ସମାଜସେବୀ ତଥା କାଦମ୍ୱିନୀ ପତ୍ରିକାର ସମ୍ପାଦିକା ଡକ୍ଟର ଇତିରାଣୀ ସାମନ୍ତ, ସାରସ୍ୱତ ଅତିଥି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟ, ବାଣୀ ବିହାରର ପ୍ରାକ୍ତନ ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ମିତାଲି ଚିନ୍ନାରା ଏବଂ ମୁଖ୍ୟବକ୍ତା ଭାବେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଶ୍ରୀ ବିହାର ପୁରୀର କୁଳ ସଚିବ ପ୍ରଜ୍ଞାଶ୍ରୀ ପ୍ରିୟମ୍ୱଦା ପ୍ରମୁଖ ଯୋଗଦାନ କରିଥିଲେ । ଦେଶର ପ୍ରଗତି ରେ ନାରୀର ଭୂମିକା ମହତ୍ୱ ପୂର୍ଣ୍ଣ , ନାରୀ ସମାଜର ଅବିଚ୍ଛେଦ୍ୟ ଅଙ୍ଗ,ଏକ ସୁସଙ୍ଗଠିତ ଓ ସମୃଦ୍ଧ ସମାଜ ଗଠନପାଇଁ ପୁରୁଷଙ୍କ ସହ ନାରୀଙ୍କ ମଧ୍ୟ ସମ୍ପୂର୍ଣ୍ଣ ଅଧିକାର ଓ ସ୍ୱାଧୀନତା ଆବଶ୍ୟକ । ଯେଉଁ ଦେଶରେ ନାରୀମାନେ ଶିକ୍ଷିତ, ସ୍ୱାଧୀନ ଓ ସଶକ୍ତ ସେହି ଦେଶ ସାମଜିକ, ଓ ଆର୍ଥିକ କ୍ଷେତ୍ରରେ ଦ୍ରୁତ ଅଗ୍ରଗତି କରିଥାଏ ବୋଲି ମଞ୍ଚାସୀନ ଅତିଥିମାନେ ମତବ୍ୟକ୍ତ କରିବା ସହ ନାରୀ ସଶକ୍ତିକରଣ, ସମାନତା, ଓ ନେତୃତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ପୌରାଣିକ ଯୁଗର ନାରୀ ଓ ଆଧୁନିକ ନାରୀ ମଧ୍ୟରେ ରହିଥିବା ବିବିଧତା ଉପରେ ଆଲାକପାତ କରିଥିଲେ । ଏହି ଉଦ୍ଯାପନ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ସମ୍ମେଳନର ସଂଯୋଜିକା ପ୍ରଫେସର ନିର୍ମଳା ପାଣିଗ୍ରାହୀ ପ୍ରଦାନ କରିଥିଲା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଡକ୍ଟର ମୌ ଗୋସ୍ୱାମୀ ଏବଂ ମଞ୍ଚ ସଂଚାଳନ କରିଥିଲେ ଡକ୍ଟର ସ୍ୱାଗତିକା ମହାନ୍ତି । ସୂଚନାଯୋଗ୍ୟଯେ, ଏହି ଦ୍ୱିଦିବସୀୟ କାର୍ଯ୍ୟକ୍ରମର ଦେଶ ଓ ରାଜ୍ୟର ବିଭିନ୍ନପ୍ରାନ୍ତରୁ ସଫଳତାପ୍ରାପ୍ତ ନାରୀ ପ୍ରତିଭାମାନେ ଅଂଶଗ୍ରହଣ କରି ‘ମହିଳାଙ୍କ ମୁକ୍ତି ସେମାନଙ୍କପାଇଁ ଉପହାର ନୁହେଁ ବରଂ ମାନବିକତା’, ସମ୍ୱେଦନଶୀଳତାରୁ ନେତୃତ୍ୱ ପର୍ଯ୍ୟନ୍ତି ଏକ ସଶକ୍ତ ନାରୀର ପରିଚୟ, ସଶକ୍ତ ମହିଳା ପରିବାରରୁ ସମାଜ ପର୍ଯ୍ୟନ୍ତ ପରିବର୍ତ୍ତନର ବାହକ, ସ୍ମାର୍ଟ ମହିଳା, ସ୍ମାର୍ଟ ରାଷ୍ଟ୍ର,ଶୀର୍ଷକ ବିନ୍ଦୁରେ ଚର୍ଚ୍ଚା କରିବା ସହ ପ୍ୟାନେଲ ଆଲୋଚନାରେ ବିଶିଷ୍ଠ କଣ୍ଠଶିଳ୍ପୀ ଶୈଳଭାମା ମହାପାତ୍ର, ମାନସୀ ପାଣିଗ୍ରାହୀ, ଚଳଚ୍ଚିତ୍ର ଓ ଟେଲି ଅଭିନେତ୍ରୀ ତଥା ଉଦ୍ଘୋଷିକା ପ୍ରେରଣା ପ୍ରତୀକ୍ଷା, ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଶିଳ୍ପୀ ଶ୍ରୀମତୀ ରୋଜାଲିନ୍ ମହାନ୍ତି, ଭାରତ ବିକାଶ ପରିଷଦ, ଓଡ଼ିଶା ଶାଖାର ସଂହଯୋଜିକା ସୁପ୍ରୀତି ରଥ, ବିଜେପି ମଳିଳା ମୋର୍ଚ୍ଚା, ଓଡ଼ିଶାର ରାଜ୍ୟ ପରିଚାଳନା ସଦସ୍ୟା ଶ୍ରୀମତୀ ରଞ୍ଜିତା ପାଢୀ, ପିରାମିଡ଼୍ ମେଡ଼ିଟେସନ୍, ପୁରୀର ଯୋଗ ଗୁରୁ ଇପ୍ସିତା ପୁଜାରୀ, ପ୍ରମୁଖ ଅଂଶଗ୍ରହଣ କରି ବିଭିନ୍ନ ଦୃଷ୍ଟିକୋଣରୁ ନାରୀର ଭୂମିକା ସମ୍ପର୍କରେ ଚର୍ଚ୍ଚା କରିଥିଲେ ।
ବିଶ୍ୱବିନ୍ୟାଳୟର କୁଳଗୀତ ଗାନ ପୂର୍ବକ ଉଦ୍ଯାପନ











