Home / ମୁଖ୍ୟ ଖବର / ପୁରୀରେ ଜଳସେଚନ ସଙ୍କଟ : ରବି ଫସଲ ନଷ୍ଟ ହେବାର ଆଶଙ୍କା, ବିଜେପି କୃଷକ ମୋର୍ଚ୍ଚାର ସରକାରଙ୍କୁ ତୁରନ୍ତ ହସ୍ତକ୍ଷେପ ପାଇଁ ପରାମର୍ଶ

ପୁରୀରେ ଜଳସେଚନ ସଙ୍କଟ : ରବି ଫସଲ ନଷ୍ଟ ହେବାର ଆଶଙ୍କା, ବିଜେପି କୃଷକ ମୋର୍ଚ୍ଚାର ସରକାରଙ୍କୁ ତୁରନ୍ତ ହସ୍ତକ୍ଷେପ ପାଇଁ ପରାମର୍ଶ

whatsapp image 2026 01 06 at 6.55.11 pm

ପୁରୀ, ୬ ଜାନୁଆରୀ ୨୦୨୬: ପୁରୀ ଜିଲ୍ଲାର ପିପିଲି ଓ ସତ୍ୟବାଦୀ ନିର୍ବାଚନୀ ମଣ୍ଡଳୀରେ ରବି ଋତୁର ଚାଷ ପାଇଁ ଜଳସେଚନ ବ୍ୟବସ୍ଥା ଆକସ୍ମିକ ଭାବେ ବନ୍ଦ ହୋଇଯିବାରୁ ହଜାର ହଜାର ଚାଷୀ ଗଭୀର ସଙ୍କଟର ସମ୍ମୁଖୀନ ହୋଇଛନ୍ତି। ଏହି ଗୁରୁତର ପରିସ୍ଥିତିକୁ ନେଇ ବିଜେପି କୃଷକ ମୋର୍ଚ୍ଚା, ଓଡ଼ିଶାର ରାଜ୍ୟ ସମ୍ପାଦକ ପ୍ରସାନ୍ତ ସ୍ୱାଇଁ (ଲୁଲୁ) ଗତ ୨ ଡିସେମ୍ବର ୨୦୨୫ ତାରିଖରେ ଜଳସମ୍ପଦ ବିଭାଗ ସଚିବଙ୍କୁ ଏକ ଲିଖିତ ଆବେଦନ ଦାଖଲ କରି ସରକାରଙ୍କ ତୁରନ୍ତ ହସ୍ତକ୍ଷେପ ଦାବି କରିଥିଲେ।

ଦୟା–ଭର୍ଗବୀ କୂଳିଆ ଅଞ୍ଚଳରେ ପ୍ରତିବର୍ଷ ରବି ଋତୁ ସମୟରେ ପୁରୀ ଜଳସେଚନ ଡିଭିଜନ୍‌ ଅଧୀନସ୍ଥ କଣାସ ଓ ସାକ୍ଷୀଗୋପାଳ ବ୍ରାଞ୍ଚ କେନାଲ୍ ମାଧ୍ୟମରେ ଜଳ ପ୍ରବାହ ସୁନିଶ୍ଚିତ କରାଯାଏ। ଏହି ବ୍ୟବସ୍ଥା ମାଧ୍ୟମରେ ୯ଟି ଡିଷ୍ଟ୍ରିବ୍ୟୁଟରୀ ଓ ୧୬୨ଟି ମାଇନର–ସବ୍‌ମାଇନର କେନାଲ୍ ଦ୍ୱାରା ପ୍ରାୟ ୩୪,୦୦୦ ହେକ୍ଟର ଜମି ଜଳସେଚିତ ହୁଏ, ଯାହା ଡେଲାଙ୍ଗ, ପିପିଲି, କଣାସ ଓ ସାକ୍ଷୀଗୋପାଳ ବ୍ଲକ୍‌ ଅଞ୍ଚଳର ହଜାର ହଜାର କୃଷକ ପରିବାରଙ୍କ ଜୀବିକା ସହ ସିଧାସଳଖ ଭାବେ ଜଡିତ। କିନ୍ତୁ ଚଳିତ ବର୍ଷ କୌଣସି ପୂର୍ବ ସୂଚନା ବା ବିକଳ୍ପ ଯୋଜନା ବିନା ହଠାତ୍ ଜଳସେଚନ ବନ୍ଦ କରାଯାଇଛି। ଫଳସ୍ୱରୂପ ବୁଣା ହୋଇଥିବା ଧାନ ଖେତରେ ଜଳ ପହଞ୍ଚୁନଥିବାରୁ ଜମି ଫାଟିଯାଉଛି ଓ ଫସଲ ଶୁଷ୍କ ହେବାର ଆଶଙ୍କା ଦେଖା ହେଉଛି। ଚାଷୀମାନେ ଏକ ବିନ୍ଦୁ ଜଳ ପାଇଁ ହତାଶ ହୋଇପଡ଼ିଛନ୍ତି।

ପ୍ରସାନ୍ତ ସ୍ୱାଇଁ ତାଙ୍କ ପତ୍ରରେ ସ୍ପଷ୍ଟ କରିଛନ୍ତି ଯେ, ଏହି ଜଳ ସଙ୍କଟ କେବଳ କୃଷି ଉତ୍ପାଦନକୁ ନୁହେଁ, ବରଂ ଚାଷୀଙ୍କ ଜୀବନ–ଜୀବିକାକୁ ଗଭୀର ଭାବେ ପ୍ରଭାବିତ କରିବ। ସମୟ ପୂର୍ବରୁ କ୍ଷେତ କୁ ଜଳ ନ ମିଳିଲେ ଫସଲ ହାନି, ଋଣଭାର ବୃଦ୍ଧି, ବାଧ୍ୟତାମୂଳକ ପ୍ରବାସ ଓ ସାମାଜିକ–ଆର୍ଥିକ ସଙ୍କଟ ସୃଷ୍ଟି ହେବାର ଆଶଙ୍କା ରହିଛି। “ଗ୍ରାମ୍ୟ ଅର୍ଥନୀତିର ମୂଳ ଆଧାର କୃଷିକୁ ଏଭଳି ଅବହେଳା ଅତ୍ୟନ୍ତ ଦୁଃଖଦ,” ବୋଲି ସେ ଉଲ୍ଲେଖ କରିଛନ୍ତି।
ସେ ଆହୁରି ଅଭିଯୋଗ କରିଛନ୍ତି ଯେ, କିଛି ସ୍ଥାନୀୟ ଦଲାଲ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଷଡ଼ଯନ୍ତ୍ର ଫଳରେ ଏହି ପରିସ୍ଥିତି ସୃଷ୍ଟି ହୋଇଥାଇପାରେ, ଯାହା ଚାଷୀ–ଦରଦୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ନେତୃତ୍ୱାଧୀନ ବିଜେପି ସରକାରଙ୍କ ସକାରାତ୍ମକ ପଦକ୍ଷେପକୁ କ୍ଷତିଗ୍ରସ୍ତ କରୁଛି।
ମହାନଦୀ ଡେଲ୍ଟା ଷ୍ଟେଜ୍–୨ ଭଳି ଗୁରୁତ୍ୱପୂର୍ଣ୍ଣ ଜଳସେଚନ ପ୍ରକଳ୍ପର ପୂର୍ଣ୍ଣ ଲାଭ ଏପର୍ଯ୍ୟନ୍ତ ଏହି ଅଞ୍ଚଳକୁ ମିଳୁନଥିବା ମଧ୍ୟ ଗଭୀର ଚିନ୍ତାର ବିଷୟ ବୋଲି ସେ କହିଛନ୍ତି।

ଏହି ପରିପ୍ରେକ୍ଷିତରେ ସ୍ୱାଇଁ ଚାରିଟି ମୁଖ୍ୟ ଦାବି ଉଠାଇଛନ୍ତି— ପ୍ରଭାବିତ କେନାଲ୍‌ଗୁଡ଼ିକରେ ତୁରନ୍ତ ଜଳ ପ୍ରବାହ ପୁନଃଚାଲୁ କରାଯାଉ। ଜଳ ବନ୍ଦ ହେବାର ପ୍ରକୃତ କାରଣ ଓ ସମ୍ଭାବ୍ୟ ଅପବ୍ୟବହାର ନେଇ ଉଚ୍ଚସ୍ତରୀୟ ତଦନ୍ତ କରାଯାଉ।ଭବିଷ୍ୟତରେ ଜଳ ସିଞ୍ଚନ ସମୟସୂଚୀରେ ପରିବର୍ତ୍ତନ ହେଲେ ପୂର୍ବ ସୂଚନା ବ୍ୟବସ୍ଥାକୁ ଅନିବାର୍ୟ କରାଯାଉ। ପ୍ରକଳ୍ପର ସମ୍ପୂର୍ଣ୍ଣ ଅଞ୍ଚଳକୁ ଲାଭ ପହଞ୍ଚାଇ ବନ୍ୟା ସୁରକ୍ଷା ସହ ଜଳ ଉପଲବ୍ଧି ସୁନିଶ୍ଚିତ କରାଯାଉ।

୭ ଜାନୁଆରୀ ସୁଦ୍ଧା ଜଳସମ୍ପଦ ବିଭାଗ ପକ୍ଷରୁ କୌଣସି ଆଧିକାରିକ ପ୍ରତିକ୍ରିୟା ମିଳିନଥିବା ବେଳେ, ପୁରୀର ବିଭିନ୍ନ କୃଷକ ସଂଗଠନ ସ୍ୱାଇଁଙ୍କ ଆଶଙ୍କାକୁ ସମର୍ଥନ କରିଛନ୍ତି। ପିପିଲିର ଜଣେ ସ୍ଥାନୀୟ ଚାଷୀ କହିଛନ୍ତି,“ବିହନ ଓ ସାର ପାଇଁ ଆମେ ସମସ୍ତ ସଞ୍ଚିତ ଅର୍ଥ ବ୍ୟୟ କରିଛୁ। ଏବେ ଯଦି ଜଳ ନ ମିଳେ, ସମଗ୍ର ଋତୁ ନଷ୍ଟ ହୋଇଯିବ। ସରକାର ତୁରନ୍ତ ସମାଧାନ କରିବା ଉଚିତ, ନହେଲେ ଆନ୍ଦୋଳନ ଅନିର୍ବାର୍ଯ୍ୟ।”
ରବି ଋତୁ ଏବେ ସଂକଟପୂର୍ଣ୍ଣ ପର୍ଯ୍ୟାୟରେ ଥିବା ବେଳେ, ପୁରୀର ହଜାର ହଜାର ଚାଷୀଙ୍କ ଭବିଷ୍ୟତ ଏବେ ସରକାରୀ ନିଷ୍ପତ୍ତି ଓ ଜଳସେଚନ ପୁନଃପ୍ରବାହ ଉପରେ ନିର୍ଭର କରୁଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply