ପବିତ୍ର ମହାଶିବରାତ୍ରି ଅବସରରେ ସୁଦର୍ଶନ ପଟ୍ଟନାୟକ ଶନିବାର ପୁରୀ ବେଳାଭୂମିରେ ଭଗବାନ ଶିବଙ୍କ ବିଶାଳ ବାଲୁକା ଭସ୍କର୍ଯ୍ୟ ନିର୍ମାଣ କରି ଅନନ୍ୟ ଭକ୍ତିଞ୍ଜଳି ଅର୍ପଣ କରିଛନ୍ତି। ଏହି ଅଦ୍ଭୁତ କଳାକୃତିରେ ୧୭,୦୦୦ ପବିତ୍ର ରୁଦ୍ରାକ୍ଷ ଓ ୫୦୦ ଟି ଛୋଟ ଶିବଲିଙ୍ଗ ସ୍ଥାପିତ କରାଯାଇଥିଲା। “ହର ହର ମହାଦେବ” ଓ “ହ୍ୟାପି ମହାଶିବରାତ୍ରି” ବାଣୀ ସହିତ ଏହି ସୃଜନ ଭକ୍ତି, ଶାନ୍ତି ଓ ଦିବ୍ୟ ଆଶୀର୍ବାଦର ସନ୍ଦେଶ ପ୍ରଚାର କରିଥିଲା।

ଶିବଙ୍କ ସହ ଗାଢ଼ ସମ୍ପର୍କ ରହିଥିବା ରୁଦ୍ରାକ୍ଷର ବ୍ୟବହାର ଏହି କଳାକୃତିକୁ ଅଧିକ ଧାର୍ମିକ ମହତ୍ତ୍ୱ ଦେଇଥିଲା। ୫୦୦ ଶିବଲିଙ୍ଗ ଭକ୍ତି ଓ ଆଧ୍ୟାତ୍ମିକ ପୂର୍ଣ୍ଣତାର ପ୍ରତୀକ ଭାବେ ପ୍ରତିଫଳିତ ହୋଇଥିଲା।
ପ୍ରାୟ ୭ ଫୁଟ ଉଚ୍ଚତାର ଏହି ବାଲୁକା ଭସ୍କର୍ଯ୍ୟ Sudarsan Pattnaik Sand Art Instituteର ଛାତ୍ରଛାତ୍ରୀମାନଙ୍କ ସହଯୋଗରେ ତିଆରି କରାଯାଇଥିଲା। ପବିତ୍ର ରାତ୍ରିରେ ଶାନ୍ତି, ସକାରାତ୍ମକତା ଓ ସମଗ୍ର ମାନବଜାତିର ମଙ୍ଗଳ କାମନାର ସନ୍ଦେଶ ପ୍ରସାର କରିବା ଏହାର ଲକ୍ଷ୍ୟ ଥିଲା।
ଏହି ଅବସରରେ କଳାକାର କହିଥିଲେ ଯେ, ଏହି ସୃଜନ ଭଗବାନ ଶିବଙ୍କ ପାଇଁ ତାଙ୍କର ନମ୍ର ସମର୍ପଣ। ସେ ସମସ୍ତଙ୍କ ପାଇଁ ଶକ୍ତି, ସମ୍ମିଳନ ଓ ସମୃଦ୍ଧିର ଆଶୀର୍ବାଦ କାମନା କରିଛନ୍ତି।
ଆନ୍ତର୍ଜାତୀୟ ସ୍ତରରେ ବହୁ ସ୍ୟାଣ୍ଡ ଆର୍ଟ ପ୍ରତିଯୋଗିତାରେ ଭାଗ ନେଇ ଦେଶକୁ ଗୌରବାନ୍ବିତ କରିଥିବା ସୁଦର୍ଶନ ପଟ୍ଟନାୟକ ସମାଜିକ ଓ ପରିବେଶ ସମ୍ବନ୍ଧୀୟ ବିଭିନ୍ନ ସଚେତନତା ବିଷୟରେ ମଧ୍ୟ ନିଜ କଳା ମାଧ୍ୟମରେ ସନ୍ଦେଶ ପ୍ରସାର କରୁଥିବାରୁ ପରିଚିତ।











