ପୁରୀ: 25/3/2026 ଶ୍ରୀମନ୍ଦିରର ରତ୍ନ ଭଣ୍ଡାରରେ ଆଭୂଷଣ ଗଣନା କାର୍ଯ୍ୟ ଆଜି ସଫଳଭାବେ ସମ୍ପନ୍ନ ହୋଇଛି। ଦୁପର ୧୨ଟା ୦୯ ମିନିଟ୍ରୁ ଆରମ୍ଭ ହୋଇ ସନ୍ଧ୍ୟା ପ୍ରାୟ ୬ଟା ୧୫ ମିନିଟ୍ ପର୍ଯ୍ୟନ୍ତ, ଅର୍ଥାତ୍ ୬ ଘଣ୍ଟାରୁ ଅଧିକ ସମୟ ଧରି ଏହି ଗଣନା ପ୍ରକ୍ରିୟା ଚାଲିଥିଲା।
ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଡା. ଅରବିନ୍ଦ କୁମାର ପାଢୀ ସାମ୍ବାଦିକମାନଙ୍କୁ ଜଣାଇଛନ୍ତି ଯେ, ୧୯୭୮ ମସିହାରେ ପ୍ରସ୍ତୁତ ତାଲିକାକୁ ଆଧାର କରି ଆଜି ଆଭୂଷଣଗୁଡିକର ସତ୍ୟାପନ ଓ ମେଳକରା କାମ କରାଯାଇଥିଲା। ବାହ୍ୟ ରତ୍ନ ଭଣ୍ଡାରର ‘ରାହୁ ରେଖା’ ଓ ‘ଚିତା’ ବାଦ ଦେଇ ଅନ୍ୟ ସମସ୍ତ ଆଭୂଷଣର ଯାଞ୍ଚ କରାଯାଇଛି।

ସେ କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରେ ଏହି କାର୍ଯ୍ୟ ସଫଳ ହୋଇପାରିଛି। ଆଗାମୀ ଦିନରେ ପୁନର୍ବାର ଗଣନା କାର୍ଯ୍ୟ କରାଯିବ ଏବଂ ଏହା ସମ୍ପର୍କରେ ସମୟୋପଯୋଗୀ ସୂଚନା ମାଧ୍ୟମ ଦ୍ୱାରା ଜନସାଧାରଣଙ୍କୁ ଦିଆଯିବ।
ସୁରକ୍ଷା ଦୃଷ୍ଟିକୋଣରୁ ଆଜି କେତେ ଆଭୂଷଣ ଗଣନା କରାଯାଇଛି ତାହାର ବିସ୍ତୃତ ତଥ୍ୟ ପ୍ରକାଶ କରାଯାଇନାହିଁ। ପ୍ରଥମେ ଏହି ସମସ୍ତ ତଥ୍ୟ ରାଜ୍ୟ ସରକାରଙ୍କୁ ଦିଆଯିବ ଏବଂ ପରେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସାଧାରଣଙ୍କ ପାଖରେ ଘୋଷଣା କରାଯିବ।
ନ୍ୟାୟମୂର୍ତ୍ତି ବିଶ୍ୱନାଥ ରଥଙ୍କ ନେତୃତ୍ୱରେ କମିଟି ସଦସ୍ୟମାନେ ରତ୍ନ ଭଣ୍ଡାର ଭିତରକୁ ପ୍ରବେଶ କରି 3D ମ୍ୟାପିଂ ସହ ଫଟୋ ଓ ଭିଡିଓ ଗ୍ରାଫି କାମ ମଧ୍ୟ ସମ୍ପନ୍ନ କରିଥିଲେ। ଭବିଷ୍ୟତରେ ଯେଉଁ ଆଭୂଷଣର ମରାମତି କିମ୍ବା ନୂତନ ତିଆରିର ଆବଶ୍ୟକତା ହେବ, ସେଥିପାଇଁ ଏହି ତଥ୍ୟ ଉପଯୋଗୀ ହେବ।
କମିଟି ସଦସ୍ୟମାନେ ପୂର୍ବ ନିର୍ଦ୍ଧାରିତ ନିୟମ ଅନୁସାରେ ଭିତରର କୌଣସି ସୂଚନା ବାହାରେ ପ୍ରକାଶ କରିବେ ନାହିଁ ବୋଲି ସମ୍ମତି ଦେଇଥିବାରୁ, ସୀମିତ ସୂଚନା ହିଁ ମାଧ୍ୟମକୁ ଦିଆଯାଇଛି।
୧୯୭୮ ର ତାଲିକା ସହ ମେଳ ହେବା ପରେ ସମସ୍ତ ଆଭୂଷଣକୁ ନୀତିଅନୁଯାୟୀ ଭଣ୍ଡାର ମେକାପ ସେବାୟତମାନଙ୍କୁ ହସ୍ତାନ୍ତର କରାଯାଇ ସୁରକ୍ଷିତ ଭାବେ ସଂରକ୍ଷିତ କରାଯାଇଛି।
ଏହି ପ୍ରକ୍ରିୟା ଚଳିତ ସମୟରେ ଭକ୍ତମାନଙ୍କୁ କୌଣସି ଅସୁବିଧା ନ ହେବା ପାଇଁ ବିଶେଷ ବ୍ୟବସ୍ଥା ନିଆଯାଇଥିଲା ଏବଂ ବାହାରୁ ଶୃଙ୍ଖଳାବଦ୍ଧ ଭାବେ ଦର୍ଶନ ବ୍ୟବସ୍ଥା କରାଯାଇଥିଲା।
ଆଗାମୀ ଦିନରେ ଭକ୍ତମାନଙ୍କ ଭିଡ଼ ଓ ନୀତିକୁ ଧ୍ୟାନରେ ରଖି ପୁନଃ ଗଣନା ପାଇଁ ତାରିଖ ନିର୍ଦ୍ଧାରଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।











