କାକଟପୁର ତା ୧୦/୫( ତୁଷାର ଦୀକ୍ଷିତ )- କାକଟପୁର ଉଚ୍ଚ ବିଦ୍ୟାଳୟର ୧୯୭୧ ମସିହା ଶିକ୍ଷା ବର୍ଷର ପୁରାତନ ଛାତ୍ରଛାତ୍ରୀ ମାନଙ୍କର ଏକ ଭବ୍ୟ ବନ୍ଧୁମିଳନ ଉତ୍ସବ ସ୍ଥାନୀୟ ସ୍ୱମେଶ୍ୱର ମହାଦେବଙ୍କ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୫୫ ବର୍ଷ ପରେ ପୁରୁଣା ବନ୍ଧୁମାନଙ୍କୁ ଭେଟି ସମସ୍ତେ ଭାବବିହ୍ୱଳ ହୋଇପଡ଼ିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବ୍ୟାଚ୍ର ସଦସ୍ୟ ଜମେଶ୍ୱର ଦୀକ୍ଷିତ ସ୍ୱାଗତ ଭାଷଣ ଦେଇଥିବା ବେଳେ, ଅବସରପ୍ରାପ୍ତ ବନ୍ଧୁମାନେ ନିଜ ନିଜର କର୍ମମୟ ଜୀବନର ଅନୁଭୂତି ବାଣ୍ଟିଥିଲେ। ପିଲାଦିନର ସ୍ମୃତି, ସ୍କୁଲ ବେଳର ଖଟାମିଠା ଅନୁଭୂତି ଏବଂ ହଜିଯାଇଥିବା ସେହି ସୁବର୍ଣ୍ଣ ଦିନଗୁଡ଼ିକୁ ମନେ ପକାଇ ସମସ୍ତେ କିଛି ସମୟ ପାଇଁ ପୁଣି କୈଶୋରକୁ ଫେରିଯାଇଥିଲେ।
ଏହି ଅବସରରେ ମୃତ୍ୟୁବରଣ କରିଥିବା ବନ୍ଧୁମାନଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ସଭା ଶେଷରେ ଆଗାମୀ ଦିନରେ ସମାଜସେବା ମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ପାଇଁ ସମସ୍ତେ ସଂକଳ୍ପ ନେଇଥିଲେ। କାର୍ଯ୍ୟକ୍ରମଟିକୁ ପୁରାତନ ଛାତ୍ର ସର୍ବେଶ୍ୱର ଦୀକ୍ଷିତ, ପମୋଦ ସେନାପତି, ଶରତ କୁମାର ସାହୁ,ବିଜୟ ପୃଷ୍ଟି, ରାଜକିଶୋର ଦାସ, ଅଭୟ ମହାନ୍ତି, ସୁବାସ କାନୁନଗୋ, ପ୍ରସନ ମହାନ୍ତି ପ୍ରମୁଖ ପରିଚାଳନା କରିଥିବା ବେଳେ ଓଡ଼ିଶାର ପ୍ରଖ୍ୟାତ ହୃଦରୋଗ ବିଶେଷଜ୍ଞ ଡାକ୍ତର ପ୍ରଭାତ ଦାଶ ସମସ୍ତଙ୍କ ଉପସ୍ଥିତି ତଥା ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ସାମୂହିକ ପ୍ରସାଦ ସେବନ ଓ ସଙ୍ଗୀତ କାର୍ଯ୍ୟକ୍ରମ ମଧ୍ୟରେ ଏହି ବନ୍ଧୁମିଳନ ଅତ୍ୟନ୍ତ ଆନନ୍ଦଦାୟକ ରହିଥିଲା।
ସ୍ମୃତିସାଉଁଟିଲେ ୧୯୭୧ ବ୍ୟାଚ୍ର ପୁରାତନ ଛାତ୍ରଛାତ୍ରୀ











