ପୁରୀ ଜିଲ୍ଲାରେ ଜନସାଧାରଣଙ୍କ ସୁରକ୍ଷା ଓ ଆଇନ-ଶୃଙ୍ଖଳାକୁ ବଜାଇ ରଖିବା ଉଦ୍ଦେଶ୍ୟରେ ପୁରୀ ପୋଲିସ ପକ୍ଷରୁ ଗତ ରାତି ସାରା ଜିଲ୍ଲାର ବିଭିନ୍ନ ସ୍ଥାନରେ ବ୍ୟାପକ ନାକା ବ୍ଲକିଂ ଏବଂ ଗାଡ଼ି ଯାଞ୍ଚ କାର୍ଯ୍ୟକ୍ରମ କରାଯାଇଥିଲା । ପୁରୀ ଏସ୍ପି ଶ୍ରୀ ପ୍ରତୀକ ସିଂଙ୍କ ନିର୍ଦ୍ଦେଶକ୍ରମେ ପୁରୀ ଜିଲ୍ଲାର ସମସ୍ତ ଥାନା ଅଧିକାରୀମାନେ ଏହି ବିଶେଷ ଅଭିଯାନରେ ସକ୍ରିୟ ଭାବେ ଯୋଗଦେଇଥିଲେ ।ଜିଲ୍ଲାର ପ୍ରବେଶ ଓ ପ୍ରସ୍ଥାନ ପଥ, ଗୁରୁତ୍ୱପୂର୍ଣ୍ଣ ଛକ, ସହର ଅଞ୍ଚଳ, ପର୍ଯ୍ୟଟନ ସ୍ଥଳୀ ଏବଂ ସନ୍ଦେହଜନକ ଚଳାଚଳ ଥିବା ସ୍ଥାନଗୁଡ଼ିକରେ ରାତି ସାରା ଗାଡ଼ି ଯାଞ୍ଚ କରାଯାଇଥିଲା । ସିଟି ସବ୍-ଡିଭିଜନରେ ସିଟି ଡିଏସପି ଶ୍ରୀ ରଶ୍ମିରଞ୍ଜନ ମହାପାତ୍ରଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ନାକା ବ୍ଲକିଂ ଓ ଚେକିଂ କରାଯାଇଥିଲା । ସେହିପରି ନିମାପଡା ସବ୍-ଡିଭିଜନରେ ଏସଡିପିଓ ନିମାପଡା ଶ୍ରୀ ଜନାର୍ଦ୍ଦନ ପାଢ଼ୀଙ୍କ ନେତୃତ୍ୱରେ ଏହି ଅଭିଯାନ ଚାଲିଥିବା ବେଳେ ପିପିଲି

ସବ୍-ଡିଭିଜନରେ ଏସଡିପିଓ ପିପିଲି ଶ୍ରୀ ଦେବାଶିଷ ମିଶ୍ର ଏବଂ ସଦର ସବ୍-ଡିଭିଜନରେ ଏସଡିପିଓ ସଦର ଶ୍ରୀ ମାନସ ରଞ୍ଜନ ବାରିକଙ୍କ ନେତୃତ୍ୱରେ ଚେକିଂକୁ କଡାକଡି କରାଯାଇଥିଲା । ଏହି ଅଭିଯାନ ସମୟରେ ସନ୍ଦେହଜନକ ଗାଡ଼ି, ବେଆଇନ ଅସ୍ତ୍ର, ମଦ୍ୟପାନ କରି ଗାଡ଼ି ଚଳାଉଥିବା ଚାଳକ, ଅବୈଧ ସାମଗ୍ରୀ ପରିବହନ ଏବଂ ଆପରାଧିକ କାର୍ଯ୍ୟକଳାପ ଉପରେ ବିଶେଷ ନଜର ରଖାଯାଇଥିଲା । ବିଭିନ୍ନ ଯାନବାହନର ଡକ୍ୟୁମେଣ୍ଟ, ଡ୍ରାଇଭିଂ ଲାଇସେନ୍ସ ଓ ପରିଚୟପତ୍ର ମଧ୍ୟ ଯାଞ୍ଚ କରାଯାଇଥିଲା । ପୁରୀ ପୋଲିସ ପକ୍ଷରୁ କୁହାଯାଇଛି ଯେ, ଆଗାମୀ ଦିନରେ ମଧ୍ୟ ଏଭଳି ସର୍ପ୍ରାଇଜ ନାକା ବ୍ଲକିଂ ଓ ଚେକିଂ ଅଭିଯାନ ଜାରି ରହିବ । ଜନସାଧାରଣଙ୍କ ସୁରକ୍ଷା, ଅପରାଧ ନିୟନ୍ତ୍ରଣ ଓ ଶାନ୍ତି-ଶୃଙ୍ଖଳା ରକ୍ଷା ପାଇଁ ପୁରୀ ପୋଲିସ ସଦା ସଚେତନ ଓ ପ୍ରତିବଦ୍ଧ ବୋଲି ପୁଲିସ ପକ୍ଷରୁ ଜଣାଯାଇଛି । ପୁରୀ ପୋଲିସ ସାଧାରଣ ଲୋକଙ୍କୁ ମଧ୍ୟ ଅନୁରୋଧ କରିଛି ଯେ, ରାତି ସମୟରେ ଯାତାୟାତ କରିବା ବେଳେ ଆବଶ୍ୟକ ଡକ୍ୟୁମେଣ୍ଟ ସହିତ ଯାତ୍ରା କରନ୍ତୁ ଏବଂ ଚେକିଂ ସମୟରେ ପୋଲିସକୁ ସହଯୋଗ କରନ୍ତୁ । ଜନସହଯୋଗ ମାଧ୍ୟମରେ ମାତ୍ର ଅପରାଧମୁକ୍ତ ଏବଂ ସୁରକ୍ଷିତ ସମାଜ ଗଠନ ସମ୍ଭବ ବୋଲି ପୁରୀ ପୋଲିସ ମତ ପ୍ରକାଶ କରିଛି ।











