Home / ମୁଖ୍ୟ ଖବର / ସି.ବି.ଏସ୍.ଇ +୨ ବିଜ୍ଞାନରେ ଓଡ଼ିଶା ଟପ୍ପର ସାଇ ସୋହମ ପ୍ରଧାନ

ସି.ବି.ଏସ୍.ଇ +୨ ବିଜ୍ଞାନରେ ଓଡ଼ିଶା ଟପ୍ପର ସାଇ ସୋହମ ପ୍ରଧାନ

ସତ୍ୟବାଦୀ, ଜୁନ୍ ୨୬: ପୁରୀ ଜିଲ୍ଲାର ସତ୍ୟବାଦୀସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ସାଇ ସୋହମ ପ୍ରଧାନ ଚଳିତ ବର୍ଷର ସି.ବି.ଏସ୍.ଇ +୨ ବିଜ୍ଞାନ ପରୀକ୍ଷାରେ ଅସାଧାରଣ ସଫଳତା ହାସଲ କରି ସମଗ୍ର ଓଡ଼ିଶାର ଆଦର୍ଶ ବିଦ୍ୟାଳୟଗୁଡ଼ିକ ମଧ୍ୟରେ ଟପ୍ପର ହୋଇଛନ୍ତି। ସେ ମୋଟ ୫୦୦ ନମ୍ବରରୁ ୪୮୯ ନମ୍ବର ରଖି ଏହି ଗୌରବ ଅର୍ଜନ କରିଛନ୍ତି।

ସୂଚନା ଅନୁଯାୟୀ, ଡେଲାଙ୍ଗ ବ୍ଲକ୍‌ର କଲ୍ୟାଣପୁର ଗ୍ରାମର ବାସିନ୍ଦା ଗୋବିନ୍ଦ ଚନ୍ଦ୍ର ପ୍ରଧାନ ଓ ସ୍ୱର୍ଣ୍ଣଲତା ବିଶ୍ୱାଳଙ୍କ ବଡ଼ ପୁଅ ସାଇ ସୋହମ ଏହି ସଫଳତା ହାସଲ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ୨୦୨୪ ମସିହାରେ ସେ ସି.ବି.ଏସ୍.ଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ମଧ୍ୟ ରାଜ୍ୟ ସ୍ତରରେ ଟପ୍ପର ହୋଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ସାଇ ସୋହମଙ୍କ ଏହି ଉଲ୍ଲେଖନୀୟ କୃତିତ୍ୱ ପାଇଁ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷକ-ଶିକ୍ଷୟିତ୍ରୀ, ସହପାଠୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ସମସ୍ତେ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛନ୍ତି।

ଏହି ସଫଳତା କେବଳ ସାଇ ସୋହମଙ୍କ ପାଇଁ ନୁହେଁ, ବରଂ ସତ୍ୟବାଦୀ ଅଞ୍ଚଳ, ପୁରୀ ଜିଲ୍ଲା ଏବଂ ସମଗ୍ର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିବାର ପାଇଁ ଗର୍ବ ଓ ଗୌରବର ବିଷୟ ପାଲଟିଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply