ନୟାଗଡ଼,ତା-୨୨.୭.୨୬ରିଖ-ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ- ନୟାଗଡ଼ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ସମନ୍ୱୟ ବୈଠକ-ସହ-ଜିଲ୍ଲା ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବେଟି ବଚାଓ ବେଟି ପଢାଓ , ବାଲ୍ୟ ବିବାହ ନିରାକରଣ, ମହିଳାଙ୍କ ବିରୋଧରେ ହିଂସା ରୋକଥାମ ଏବଂ “A Day for Children” କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ ସହିତ ମହିଳା ଓ ଶିଶୁ ବିକାଶ, ସ୍ୱାସ୍ଥ୍ୟ, ଶିକ୍ଷା, ପୋଲିସ, ସାମାଜିକ ସୁରକ୍ଷା ଓ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ଅଗ୍ରଗତି ସମୀକ୍ଷା କରାଯାଇଥିଲା।

ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ସରକାରୀ ଯୋଜନାଗୁଡ଼ିକର ଫଳପ୍ରଦ କାର୍ଯ୍ୟାନ୍ୱୟନ, ନିର୍ଦ୍ଧାରିତ ସମୟ ମଧ୍ୟରେ ଲକ୍ଷ୍ୟ ପୂରଣ ଏବଂ ପ୍ରକୃତ ହିତାଧିକାରୀଙ୍କ ନିକଟରେ ସରକାରୀ ସୁବିଧା ପହଞ୍ଚାଇବା ପାଇଁ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବିଶେଷକରି ବାଲ୍ୟ ବିବାହ ରୋକଥାମ, ମହିଳା ଓ ଶିଶୁଙ୍କ ସୁରକ୍ଷା, ଶିକ୍ଷାରେ ଝିଅମାନଙ୍କ ଅଂଶଗ୍ରହଣ ବୃଦ୍ଧି, ମହିଳା ସଶକ୍ତିକରଣ ଏବଂ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାର ଗୁଣାତ୍ମକ ରୂପାୟଣ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ବୈଠକରେ ପ୍ରତ୍ୟେକ ବିଭାଗ ନିଜ ନିଜ କାର୍ଯ୍ୟ ପ୍ରଗତି ଉପସ୍ଥାପନ କରିଥିବା ବେଳେ କାର୍ଯ୍ୟାନ୍ୱୟନ ସମୟରେ ଦେଖାଦେଉଥିବା ସମସ୍ୟା ଓ ଚ୍ୟାଲେଞ୍ଜ ଉପରେ ଆଲୋଚନା କରାଯାଇଥିଲା। ଆବଶ୍ୟକ ସ୍ଥଳେ ବିଭିନ୍ନ ବିଭାଗକୁ ସମନ୍ୱୟ ରକ୍ଷା କରି କାର୍ଯ୍ୟକ୍ରମଗୁଡ଼ିକର ପ୍ରଭାବଶାଳୀ ରୂପାୟଣ ପାଇଁ ପରାମର୍ଶ ଓ ଦିଗନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା।
ଏହି ବୈଠକରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ , ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ସିଡିଓ-କମ୍-ଇଓ, ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ, ଅତିରିକ୍ତ ଏସ୍.ପି., ଉପଖଣ୍ଡ ପୋଲିସ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଏବଂ ବିଭିନ୍ନ ଜିଲ୍ଲାସ୍ତରୀୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ରର ଜିଲ୍ଲା ସଂଯୋଜକ ଶ୍ରୀ ସୌମ୍ୟ ରଞ୍ଜନ ଦାଶ ବୈଠକର ମଞ୍ଚ ପରିଚାଳନା କରିଥିବା ବେଳେ ବୈଠକ ସୁଚାରୁ ରୁପେ ଓ ସଫଳତାର ସହ ସମ୍ପନ୍ନ ହୋଇଥିଲା।











