ନୟାଗଡ଼,ତା-୧୧.୮.୨୬ରିଖ-ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ- ରାଜ୍ୟ ସରକାର ରାସ୍ତା ନିର୍ମାଣ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ନୟାଗଡ଼ ତ୍ରିନାଥ ଛକ ଠାରୁ ପାଟୁଳିସାହିକୁ ସଂଯୋଗ କରୁଥିବା ରାସ୍ତାର ବିଭିନ୍ନ ଯାଗା ମରଣ ଯନ୍ତା ପାଲଟିଛି l ନୟାଗଡ଼ ବ୍ଲକ ଅନ୍ତର୍ଗତ ଖୁଣ୍ଟୁବନ୍ଧ ପଞ୍ଚାୟତର କଇଥଗାଡିଆ ଗ୍ରାମର ପ୍ରାଥମିକ ବିଦ୍ୟାଳୟ ଓ ପୋଖରୀ ସମ୍ମୁଖରେ ରାସ୍ତାର ଅବସ୍ଥା ଅତ୍ୟନ୍ତ ବିପଦଜନକ ହୋଇପଡ଼ିଛି। ରାସ୍ତା ମଝିରେ ଏକ ସରଳ ରେଖା ଭଳି ଲମ୍ବା ଖାଲ ସୃଷ୍ଟି ହୋଇଛି l ଏହା ଯାତାୟାତ କରୁଥିବା ଗାଡ଼ିଚାଳକଙ୍କ ପାଇଁ ମରଣଯନ୍ତା ପାଲଟିଛି। ଏହି ଖାଲ ଯୋଗୁଁ ପ୍ରତିଦିନ ଅନେକ ବାଇକ୍ ,ଅଟୋ ,କାର୍ ,ସ୍କୁଲ ବସ,ଭାରୀଯାନ ଓ ବିଶେଷ କରି ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ରାସ୍ତାରେ ମାଡ ହୋଇ ପଡି ଭାଙ୍ଗି ଯିବା ସହିତ ଯାତ୍ରୀମାନେ ଗୁରୁତର ଆହତ ହୋଇ ଛୋଟ, ବଡ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଅଞ୍ଚଳବାସୀଙ୍କ ସୂଚନା ଅନୁଯାୟୀ, ଦୁଇ ବର୍ଷ ଧରି ଏହି ରାସ୍ତାଟି ଏପରି ଭାବରେ ପଡ଼ି ରହିଛି । ବିଭାଗୀୟ ଅଧିକାରୀଙ୍କ ଉଦାସୀନତାକୁ ଦେଖି ସ୍ଥାନୀୟ ଲୋକମାନେ ବହୁ ଥର ମାଟି ଆଣି ଏହି ଗାତକୁ ପୋତିଥିଲେ। ମାତ୍ର ଲଘୁଚାପ ବର୍ଷା ଯୋଗୁଁ ସମସ୍ତ ମାଟି ଧୋଇଯାଇ ପୁନର୍ବାର ସେହି ରାସ୍ତାରେ ଗାତଟି ଫୁଟି ବାହାରିଛି। ଫଳରେ ଗାଡ଼ିଗୁଡ଼ିକ ଖସିଯାଇ ଲଗାତାର ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଏ ସମ୍ପର୍କରେ ପୂର୍ତ୍ତବିଭାଗ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ

ନଜର ପଡୁନି। ପ୍ରତି ବର୍ଷ ସ୍ଵାଧୀନତା ଦିବସ ଆସିଲେ ଏହି ରାସ୍ତା ଦେଇ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀମାନେ ଜିଲ୍ଲା ଉପ କାରାଗାରକୁ ପରିଦର୍ଶନ କରିବାକୁ ଯାଆନ୍ତି। ସେହି ସମୟରେ ଜିଲ୍ଲାପାଳଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବିଭାଗୀୟ ଅଧିକାରୀ ତରବରିଆ ଭାବରେ ଡଷ୍ଟ ପକାଇ ତାଳି ପକା କାର୍ଯ୍ୟ କରି ତୁଲାଇ ଦିଅନ୍ତି । କିନ୍ତୁ ପରବର୍ତ୍ତୀ ସମୟରେ ଯଥା ପୂର୍ବଂ ତଥା ପରଂ । ଦୈନିକ ଦୁର୍ଘଟଣାକୁ ରୋକିବା ପାଇଁ ଏବଂ ଯାତ୍ରୀମାନଙ୍କୁ ଦୂରରୁ ସତର୍କ କରାଇବା ପାଇଁ ବାଧ୍ୟ ହୋଇ ସ୍ଥାନୀୟ ଲୋକେ
ରାସ୍ତା ମଝିରେ ଇଟା ଗୁଣ୍ଡ ପକାଇ ଉଚ୍ଚା କରିବା ସହ ସେଥିରେ ବିପଦପୂର୍ଣ୍ଣ ଅବସ୍ଥାରେ ଯାତାୟାତ କରୁଛନ୍ତି। ଆଶ୍ଚର୍ଯ୍ୟର ବିଷୟ ହେଉଛି, ଏହି ରାସ୍ତା
ଦେଇ ଉପ କାରାଗାରରୁ ପ୍ରତିଦିନ ପୋଲିସ ଗାଡି ଜିଲ୍ଲା କୋର୍ଟକୁ ଆସାମୀମାନଙ୍କୁ ନେବା ଆଣିବା କରୁଥିଲେ ମଧ୍ୟ ଏହି ବିପଦଜ୍ଜନକ ସ୍ଥାନ ପ୍ରତି କାହାରି ନଜର ପଡୁନାହିଁ । ବିଭାଗୀୟ କର୍ତ୍ତୃପକ୍ଷ କେଉଁ ବଡ଼ ଦୁର୍ଘଟଣାକୁ ଅପେକ୍ଷା କରିଛନ୍ତି ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି । ତୁରନ୍ତ ଏହି ରାସ୍ତା ମରାମତି ନହେଲେ ଆଗାମୀ
ଦିନରେ ଏହାକୁ ନେଇ ବଡ଼ ଧରଣର ଆନ୍ଦୋଳନ ହେବ ବୋଲି ଅଞ୍ଚଳବାସୀ ସୂଚନା ଦେଇଛନ୍ତି । ଦେଖିବାକୁ ବାକି ରହିଲା ଏ ବର୍ଷ ସ୍ଵାଧୀନତା ଦିବସ ପୂର୍ବରୁ ରାସ୍ତାର ଅବସ୍ଥା ସୁଧୁରୁଛି କି ନାଇଁ।











