Home / ମୁଖ୍ୟ ଖବର / ୧୫୦ ଦିନରେ ପହଞ୍ଚିଲା ପୁରୀବାସୀଙ୍କ ସଚେତନତା ସତ୍ୟାଗ୍ରହ ପଦଯାତ୍ରା

୧୫୦ ଦିନରେ ପହଞ୍ଚିଲା ପୁରୀବାସୀଙ୍କ ସଚେତନତା ସତ୍ୟାଗ୍ରହ ପଦଯାତ୍ରା

ପୁରୀ, ୨୮/୮ : ଦିନ ପରେ ଦିନ ବିତୁଛି, ହେଲେ ଥମିନାହିଁ ପୁରୀବାସୀଙ୍କ ନୀରବ ସ୍ୱର। ଆଜି ୧୫୦ ଦିନରେ ପହଞ୍ଚିଛି ପୁରୀବାସୀଙ୍କ ସଚେତନତା ସତ୍ୟାଗ୍ରହ ପଦଯାତ୍ରା। ପୁରୀବାସୀଙ୍କୁ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା ଦାବିରେ ଗତ ଉତ୍କଳ ଦିବସ, ୧ ଏପ୍ରିଲରୁ ବଳଗଣ୍ଡିସ୍ଥିତ ଭକ୍ତ ସାଲବେଗ ପୀଠରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ପ୍ରତିଦିନ ଅବିରତ ଭାବେ ଜାରି ରହିଛି। ଆଜି ପ୍ରଭୁ ବଳଭଦ୍ରଙ୍କ ଜନ୍ମଦିନ ଭଳି ପବିତ୍ର ଦିନରେ ମଧ୍ୟ ସତ୍ୟାଗ୍ରହୀ ପଦଯାତ୍ରୀମାନେ ନିଜ ସଂକଳ୍ପରୁ ବିଚ୍ୟୁତ ହୋଇନଥିଲେ। ଭକ୍ତ ସାଲବେଗ ପୀଠରୁ ସଚେତନତା ପଦଯାତ୍ରା ଶ୍ରୀମନ୍ଦିର ଅଭିମୁଖେ ବାହାରିଥିଲା। ଶ୍ରୀମନ୍ଦିର ନିକଟରେ ପହଞ୍ଚି ପତିତପାବନଙ୍କ ଦର୍ଶନ କରାଯିବା ସହ ପୁରୀବାସୀଙ୍କ ନ୍ୟାୟସଙ୍ଗତ ଦାବି ପୂରଣ ଏବଂ ପୂର୍ବପରି ଦର୍ଶନ ସୁବିଧା ପୁନଃସ୍ଥାପନ ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା।ଏହି ଦିନଟି କେବଳ ସତ୍ୟାଗ୍ରହର ୧୫୦ତମ ଦିନ ନୁହେଁ, ମାନବିକତାର ଏକ ବାର୍ତ୍ତା ମଧ୍ୟ ବହନ କରିଥିଲା। ପ୍ରଳୟଙ୍କାରୀ ବନ୍ୟାରେ ଦୁର୍ଦ୍ଦଶାରେ ପଡ଼ିଥିବା ନେପାଳବାସୀଙ୍କ ପାଇଁ ସତ୍ୟାଗ୍ରହୀମାନେ ପ୍ରାର୍ଥନା କରିଥିଲେ। ବନ୍ୟା ପୀଡ଼ିତମାନଙ୍କ ଆଶୁ ଆରୋଗ୍ୟ ଓ ସୁସ୍ଥତା କାମନା କରିବା ସହ ପ୍ରଳୟଙ୍କାରୀ ବନ୍ୟାରେ ପ୍ରାଣ ହରାଇଥିବା ସମସ୍ତ ପୁଣ୍ୟାତ୍ମାଙ୍କ ସଦଗତି ପାଇଁ ମହାପ୍ରଭୁଙ୍କ ଉଦେଶ୍ୟରେ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା ବେଳେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ବିପଦରେ ପଡ଼ିଥିବା ପଡ଼ୋଶୀ ଦେଶର ଲୋକଙ୍କ ପ୍ରତି ସମବେଦନା ଓ ମାନବିକ ଏକତାର ଏହି ପ୍ରାର୍ଥନା ଏକ ଭିନ୍ନ ବାର୍ତ୍ତା ଦେଇଥିଲା।

ସତ୍ୟାଗ୍ରହ ପଦଯାତ୍ରାର ଆବାହକ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି ଯେ, ୧୫୦ ଦିନ ଧରି ପୁରୀବାସୀ ନୀରବତାରେ ନିଜ ଦାବି ଓ ଭାବନାକୁ ପ୍ରକାଶ କରିଆସୁଛନ୍ତି। ଏହି ପଦଯାତ୍ରା କୌଣସି ବ୍ୟକ୍ତି, ଦଳ କିମ୍ବା ସରକାର ବିରୋଧରେ ନୁହେଁ; ବରଂ ପୁରୀବାସୀଙ୍କ ଆସ୍ଥା, ଭାବନା ଓ ନ୍ୟାୟସଙ୍ଗତ ଅଧିକାର ପାଇଁ ଏକ ଅହିଂସାମୂଳକ ସତ୍ୟାଗ୍ରହ। ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଏହି ଯାତ୍ରା ଜାରି ରହିବ ବୋଲି ସେ କହିଛନ୍ତି।

ପୁରୀବାସୀଙ୍କୁ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା ମଞ୍ଚ ପକ୍ଷରୁ ଆୟୋଜିତ ଏହି ପଦଯାତ୍ରାରେ ସର୍ବଶ୍ରୀ ଶିବସୁନ୍ଦର ମିଶ୍ର, ପ୍ରିୟାଂଶୀ ଦାସ,ବିଶ୍ୱନାଥ ମିଶ୍ର, ଚକ୍ରଧର ମହାପାତ୍ର, ଶ୍ରୀକାନ୍ତ ମହାନ୍ତି, ସୁକାନ୍ତ ପଣ୍ଡା, ନୃସିଂହନାଥ ନାୟକ, ପ୍ରକାଶ ଚନ୍ଦ୍ର ନାୟକ, ରାଜା ମହାନ୍ତି, କାହ୍ନୁଚରଣ ପ୍ରଧାନ, ଅରୁଣା ପଟ୍ଟନାୟକ, ସନ୍ଧ୍ୟାରାଣୀ ମିଶ୍ର, ନିହାରିକା ତ୍ରିପାଠୀ, ସୌମ୍ୟା ହୋତା, ଅଞ୍ଜୁବାଳା ମହାନ୍ତି, ବନିତା ଦୀକ୍ଷିତ, ରଶ୍ମି ବରାଳ, ଜୁଲି ବେହେରା, ରଶ୍ମିତା ଦଳେଇ, ଅଙ୍କିତା ସାହୁ, ଶିଲା ରାଉତ, ସମ୍ପୂର୍ଣ୍ଣା ପ୍ରଧାନ, ବଵଲି ନାହକ, ନେହା ଦାଶ, ପୂଜା ଦାସ, ରୁପା ବେହେରା, ରିୟା କିନ୍ନର, ଦୀପା ବେହେରା, ଚିକି ସାହୁ, ସିମ୍ରନ ସାହୁ, ଆଦ୍ୟାଶା ମହଲା, ସୀତା ନାୟକ, ବିପାଶା, କଣ୍ଢେଇ ପ୍ରଧାନ, ପ୍ରୀତି ରାଉତ, ମନୀଷା ପାତ୍ର, ସାଲିନୀ ପ୍ରଧାନ, ରୁବି, ଶ୍ରଦ୍ଧା, ଇଚ୍ଛା ଦାସ, ନେହା ବେହେରା, ବୈଶାଳୀ ପ୍ରଧାନ, ମମତା ସ୍ବାଇଁ, ମାର୍କଣ୍ଡ ମହାନ୍ତି, ସୌମ୍ୟଶ୍ରୀ ଆଶୀର୍ବାଦମ୍, ଯାଦବାନନ୍ଦ ରାୟ, ରମେଶ ମହାନ୍ତି, ଶିଶିରକାନ୍ତ ଶତପଥୀ, ମନୋରଞ୍ଜନ ରଣସିଂହ, ଦୁର୍ଗା ମାଧବ କର, ଲିଙ୍ଗରାଜ ସାହୁ, ସନ୍ତୋଷ ସେନାପତି, ସୁବାଷ ପଟ୍ଟନାୟକ, କାଶୀନାଥ ସାହୁ, ଜଗନ୍ନାଥ ଷଡ଼ଙ୍ଗୀ ଓ ମାନସ ପଟ୍ଟନାୟକଙ୍କ ସମେତ ବହୁ ସତ୍ୟାଗ୍ରହୀ ଯୋଗଦେଇଥିଲେ। ୧୫୦ ଦିନର ଏହି ଯାତ୍ରାରେ ପାଦ ଥକିନାହିଁ, ସଂକଳ୍ପ ଦୁର୍ବଳ ହୋଇନାହିଁ—ନ୍ୟାୟ ମିଳିବା ପର୍ଯ୍ୟନ୍ତ ଅହିଂସାର ଏହି ଯାତ୍ରା ଜାରି ରହିବ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply