କାକଟପୁର, ତା ୧୫ /୧୦ ପୁରୀ ଜିଲା କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା’ମଙ୍ଗଳାଙ୍କ ମନ୍ଦିରରେ ଆଶ୍ୱିନ ମୂଳାଷ୍ଟମୀ ତିଥିରୁ ପାରମ୍ପରିକ ପ୍ରଥାନୁସାରେ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣ ପୂଜା। ମଙ୍ଗଳା ଓ ଦୁର୍ଗା ଏକ ଓ ଅଭିନ୍ନ ବୋଲି ବିଭିନ୍ନ ପୁରାଣରେ ବର୍ଣ୍ଣିତ କରାଯାଇଥିବାରୁ ମା’ମଙ୍ଗଳାଙ୍କ ମନ୍ଦିରରେ ଷୋଳ ପୂଜା ଭକ୍ତି ଓ ନିଷ୍ଠାର ସହ ପାଳନ କରାଯାଇଥାଏ । ଷୋଳପୂଜା ଅବସରରେ ପଞ୍ଚମି ତିଥି ଠାରୁ ମା ଙ୍କର ବିଭିନ୍ନ ବେଶ ଅନୁଷ୍ଠିତ ହୋଇଥାଏ l ଏହି ଦିନ ଦେବତା ମାନେ ମା ଦୁର୍ଗାଙ୍କୁ ଅସ୍ତ୍ର ଭାବେ ତୀରକମାଣ ଅର୍ପଣ କରିଥିବା ବେଳେ ଆଜିର ଦିନରେ ମା ଙ୍କୁ ତୀରକମଣ ବା ରଘୁନାଥ ବେଶରେ ଭୁଷିତ କରାଯାଇଥାଏ l ସକାଳର ପାରମ୍ପରିକ ରୀତିନୀତି ସରିବା ପରେ ମା ଙ୍କ ପହୁଡ଼ ପକାଯାଇ ତୀରଲମାଣ ବେଶରେ ସଜ୍ଜିତ କରାଯାଇଥିଲା l ଆଜିଠାରୁ ମା ଙ୍କ ଭୁଜଲାଗି କରାଯିବା ପରେ ଗୋଟିଏ ହସ୍ତରେ ଧନୁ ଏବଂ ଅନ୍ୟ ହାଟରେ ତୀର ଅର୍ପଣ କରାଯାଇଥିଲା l ମା ଙ୍କର ଚଳନ୍ତି ପ୍ରତିମା ରତ୍ନଗିରି ବିଜେ କରିବା ପରେ ବେଶପଣା ଭୋଗ କରାଯାଇ ସର୍ବସାଧାରଣ ନିମନ୍ତେ ପହୁଡ଼ ଖୋଳାଯାଇଥିଲା l ଶାରଦୀୟ ପାର୍ବଣ ପୂଜା ପାଇଁ ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗିରହିଛି। ଆଜିର ଏହି ବେଶରେ ସମସ୍ତ ପୂଜାପଣ୍ଡା ଉପସ୍ଥିତ ଥିବାବେଳେ ପୂଜାପଣ୍ଡା ସେବକ ଭାବେ ରଘୁନାଥ ଦୀକ୍ଷିତ ଏବଂ ଷୋଡ଼ଶ ଉପଚାର ପୂଜାପଣ୍ଡା ସଞ୍ଜୟ କୁମାର ଦୀକ୍ଷିତଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିଲା l ଶୁକ୍ରବାର ଷଷ୍ଠୀ ସନ୍ଧ୍ୟାରେ ମା’ଙ୍କର କାତିଖର୍ପର ବେଶ ଅନୁଷ୍ଠିତ ହେବ ବୋଲି ମଙ୍ଗଳା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାଶ ସୂଚନା ଦେଇଛନ୍ତି l
ତୀରକମାଣ ଓ ରଘୁନାଥ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ ମଙ୍ଗଳା











