Home / ମୁଖ୍ୟ ଖବର / ମଦ ଓ ତମାଖୁମୁକ୍ତ ଗ୍ରାମ ଗଠନକୁ ଗୁରୁତ୍ୱ; ନିୟମ ଭାଙ୍ଗିଲେ ୫ ହଜାର ଟଙ୍କା ଜରିମାନା ବ୍ୟବସ୍ଥା

ମଦ ଓ ତମାଖୁମୁକ୍ତ ଗ୍ରାମ ଗଠନକୁ ଗୁରୁତ୍ୱ; ନିୟମ ଭାଙ୍ଗିଲେ ୫ ହଜାର ଟଙ୍କା ଜରିମାନା ବ୍ୟବସ୍ଥା

ସାକ୍ଷୀଗୋପାଳ, ୨୬ ଅକ୍ଟୋବର (ବ୍ୟୁରୋ): ଆଗକୁ ଆସୁଥିବା କାଳୀପୂଜାକୁ ଦୃଷ୍ଟିରେ ରଖି ନିଶାମୁକ୍ତ ସମାଜ ଗଠନ ଦିଗରେ ପଦକ୍ଷେପ ନେଇଛି ସତ୍ୟବାଦୀ ବ୍ଲକର ବୀରଗୋବିନ୍ଦପୁର ଶାସନ। ମା’ ଦକ୍ଷିଣକାଳୀଙ୍କ ପ୍ରସିଦ୍ଧ ଶକ୍ତିପୀଠର ପବିତ୍ରତା ରକ୍ଷା ସହ ଗ୍ରାମରେ ନିଶା ସେବନକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ମହାଜନ କୋଠ ପକ୍ଷରୁ ମଦ ଓ ତମାଖୁ ବ୍ୟବହାର ବିରୋଧରେ ସଚେତନତା ଫଳକ ଲଗାଯାଇଛି। ନିୟମ ଉଲ୍ଲଂଘନ କଲେ ୫ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ଫଳକରେ ଉଲ୍ଲେଖ ରହିଛି।ବୀରଗୋବିନ୍ଦପୁରର ମା’ ଦକ୍ଷିଣକାଳୀଙ୍କ ପୀଠ ଏହି ଅଞ୍ଚଳର ଏକ ପ୍ରମୁଖ ଧାର୍ମିକ ସ୍ଥଳ। ବିଶେଷକରି କାଳୀପୂଜା ସମୟରେ ଏଠାକୁ ବହୁ ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ଆସିଥାନ୍ତି। ଏହି ସମୟରେ ମନ୍ଦିରର ପବିତ୍ରତା ବଜାୟ ରଖିବା, ଶାନ୍ତିଶୃଙ୍ଖଳା ସୁନିଶ୍ଚିତ କରିବା ଏବଂ ଗ୍ରାମରେ ଏକ ସୁସ୍ଥ ସାମାଜିକ ପରିବେଶ ସୃଷ୍ଟି କରିବା ଉପରେ ମହାଜନ କୋଠ ଗୁରୁତ୍ୱ ଦେଇଛି।ମହାଜନ କୋଠର ନିଷ୍ପତ୍ତି ଅନୁସାରେ, ମନ୍ଦିର ପରିସରରେ ମଦ୍ୟପାନ, ତମାଖୁ ସେବନ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ ବ୍ୟବହାରକୁ ନିଷେଧ କରାଯାଇଛି। ଏଥିସହ ସମଗ୍ର ଗ୍ରାମକୁ ମଦ ଓ ତମାଖୁମୁକ୍ତ ରଖିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏହି ନିୟମ ମାନିବାକୁ ଗ୍ରାମବାସୀଙ୍କ ସହ ମନ୍ଦିରକୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକଙ୍କୁ ମଧ୍ୟ ସଚେତନ କରାଯାଉଛି।ମଦ୍ୟପାନ ଓ ତମାଖୁ ସେବନର କୁପ୍ରଭାବ ବ୍ୟକ୍ତିର ସ୍ୱାସ୍ଥ୍ୟ ସହ ପରିବାର ଓ ସମାଜ ଉପରେ ମଧ୍ୟ ପଡ଼ିଥାଏ। ଏହାକୁ ଦୃଷ୍ଟିରେ ରଖି ଧାର୍ମିକ ପରମ୍ପରା ସହ ସାମାଜିକ ଦାୟିତ୍ୱକୁ ଯୋଡ଼ି ନିଶାମୁକ୍ତିର ବାର୍ତ୍ତା ପ୍ରସାର କରିବାକୁ ଏହି ପଦକ୍ଷେପ ନିଆଯାଇଛି।କାଳୀପୂଜା ପୂର୍ବରୁ ନିଆଯାଇଥିବା ଏହି ପଦକ୍ଷେପକୁ ସ୍ଥାନୀୟ ଲୋକେ ଓ ମା’ଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁମାନେ ସ୍ୱାଗତ କରିଛନ୍ତି। ଗ୍ରାମବାସୀ, ଯୁବଗୋଷ୍ଠୀ ଓ ସାମାଜିକ ସଂଗଠନଗୁଡ଼ିକର ସହଯୋଗ ମିଳିଲେ ଏହି ଅଭିଯାନ ଅଧିକ ପ୍ରଭାବଶାଳୀ ହୋଇପାରିବ ବୋଲି ଆଶା କରାଯାଉଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply