ସାକ୍ଷୀଗୋପାଳ, ୨୬ ଅକ୍ଟୋବର (ବ୍ୟୁରୋ): ପଶ୍ଚିମ ସତ୍ୟବାଦୀ ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ଅଳଗୁମର ଶ୍ରୀ ଗତିଶ୍ୱର ଦେବଙ୍କ ମନ୍ଦିରରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ କାର୍ତ୍ତିକ ମେଳାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଅଁଳା ନବମୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ଯାଏଁ ହେବାକୁ ଥିବା ଏହି ମେଳାକୁ ଶୃଙ୍ଖଳିତ ଓ ଆକର୍ଷଣୀୟ କରିବା ପାଇଁ ରୁଦ୍ରାଭିଷେକ ପରିଷଦ ପକ୍ଷରୁ ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଥିଲା। ପରିଷଦର ସଭାପତି ସନ୍ତୋଷ କୁମାର ପଣ୍ଡା ଏଥିରେ ଅଧ୍ୟକ୍ଷତା କରିଥିଲେ।ବୈଠକରେ ମେଳାର ଧାର୍ମିକ ଆୟୋଜନ, ଶ୍ରଦ୍ଧାଳୁଙ୍କ ସୁବିଧା ଏବଂ ବିଭିନ୍ନ ପରିଚାଳନାଗତ ବ୍ୟବସ୍ଥା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଶ୍ରୀ ଗତିଶ୍ୱର ଦେବଙ୍କ ମନ୍ଦିରରେ ନିୟମିତ ପୂଜାନୀତି ସହ ବିଶ୍ୱଶାନ୍ତି ଉଦ୍ଦେଶ୍ୟରେ ରୁଦ୍ରାଭିଷେକ ଯଜ୍ଞ ଆୟୋଜନ କରିବାକୁ ସ୍ଥିର ହୋଇଥିଲା। ମେଳା ଆରମ୍ଭ ପୂର୍ବରୁ ସମସ୍ତ ପ୍ରସ୍ତୁତି ସାରିବା ସହ ଭକ୍ତମାନେ ଯେପରି ସୁବିଧାରେ ଦର୍ଶନ କରିପାରିବେ, ସେଥିପ୍ରତି ଆୟୋଜକମାନେ ଗୁରୁତ୍ୱ ଦେଇଥିଲେ।ଧାର୍ମିକ କାର୍ଯ୍ୟକ୍ରମ ସହ ମେଳାରେ ଆଞ୍ଚଳିକ କଳା, ସଂସ୍କୃତି ଓ ସାହିତ୍ୟକୁ ପ୍ରୋତ୍ସାହନ ଦେବା ପାଇଁ ଏକାଧିକ ଆକର୍ଷଣୀୟ କାର୍ଯ୍ୟକ୍ରମ ରଖାଯାଇଛି। ବାଲୁକା କଳା, ଯୋଗ ଶିବିର, ଫଟୋ ପ୍ରଦର୍ଶନୀ, ହସ୍ତଶିଳ୍ପ ପ୍ରଦର୍ଶନୀ, ସାହିତ୍ୟ ଆସର ଓ ଝୋଟି ପ୍ରଦର୍ଶନୀ ସହ ବିଭିନ୍ନ ଷ୍ଟଲ୍ ଖୋଲିବାର ଯୋଜନା ରହିଛି। ଏଥିସହ ପ୍ରବଚନ କାର୍ଯ୍ୟକ୍ରମ ଏବଂ ସଂସ୍କୃତି ବିଭାଗର ସହଯୋଗରେ ଓଡ଼ିଶୀ, ଛଉ, ସମ୍ବଲପୁରୀ ନୃତ୍ୟ ସମେତ ବିଭିନ୍ନ ଲୋକକଳା ପରିବେଷଣ କରାଯିବାର ପ୍ରସ୍ତାବ ରହିଛି।ମେଳାରେ ବହୁ ସଂଖ୍ୟକ ଭକ୍ତ ଓ ଦର୍ଶକଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ ମୌଳିକ ସୁବିଧା ଯୋଗାଣ ଉପରେ ବୈଠକରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଥିଲା। ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ, ସ୍ୱାସ୍ଥ୍ୟସେବା, ପରିମଳ ଓ ଆଇନଶୃଙ୍ଖଳା ରକ୍ଷା ପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକର ସହଯୋଗ ନେବାକୁ ଆଲୋଚନା ହୋଇଥିଲା। ବିଶେଷକରି ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ମନ୍ଦିର ପରିସର ଓ ନିକଟବର୍ତ୍ତୀ ଅଞ୍ଚଳରେ ସଫେଇ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ମତ ପ୍ରକାଶ ପାଇଥିଲା।ଏହି ଧାର୍ମିକ ଓ ସାଂସ୍କୃତିକ ଉତ୍ସବରେ ବିଭିନ୍ନ କ୍ଷେତ୍ରର ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଯୋଗଦେବାର ଯୋଜନା ରହିଛି। ମେଳାର ସଫଳ ଆୟୋଜନ ପାଇଁ ପରିଷଦର ସଦସ୍ୟ ଓ ସ୍ଥାନୀୟ ଲୋକଙ୍କ ସହଯୋଗ ଲୋଡ଼ାଯାଇଛି। ଧାର୍ମିକ ଆସ୍ଥା ସହ ଆଞ୍ଚଳିକ କଳା, ସଂସ୍କୃତି ଓ ସାମାଜିକ ଭାଇଚାରାର ପ୍ରସାରରେ ଏହି ମେଳା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଆୟୋଜକମାନେ ଆଶା ରଖିଛନ୍ତି।ବୈଠକରେ ପରିଷଦର ସମ୍ପାଦକ ଉପେନ୍ଦ୍ର ପଣ୍ଡା, ମନ୍ଦିର ଅଧ୍ୟକ୍ଷ ମହେନ୍ଦ୍ର ପଣ୍ଡା, ସେବାୟତ ପରେଶ ପଣ୍ଡା, ଡ. ଯୋଗେନ୍ଦ୍ର ନାୟକ, ପାଣ୍ଡବ ମହାରଣା, ଅନନ୍ତ ନାରାୟଣ ମହାପାତ୍ର, ବନମାଳୀ ପ୍ରଧାନ, କୁବେର ପ୍ରଧାନ, କାମଦେବ ଜେନା, ରବୀନ୍ଦ୍ର କୁମାର ସାହୁ, ସୁକାନ୍ତ ଜେନା, ସଚ୍ଚିକାନ୍ତ ଜେନା, ଗଙ୍ଗାଧର ବରାଳ ଓ ସଞ୍ଜୟ ବରାଳଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ଶେଷରେ ପ୍ରଶାନ୍ତ କୁମାର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ।
ଅଳଗୁମ କାର୍ତ୍ତିକ ମେଳା ପାଇଁ ପ୍ରସ୍ତୁତି ଜୋରଦାର











