ଦୁର୍ନୀତି ନିବାରଣ ସପ୍ତାହ ଅବସରରେ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ସାଧୁତାର ଶପଥପାଠ

ସାକ୍ଷୀଗୋପାଳ, ୨୬/୧୦: ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଆଜି ଅପରାହ୍ଣରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପରିସରରେ ସାଧୁତାର ଶପଥପାଠ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଓଡ଼ିଶା ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପତ୍ର ସଂଖ୍ୟା ୬୬୩୩ରେ ନିର୍ଦ୍ଦେଶିତ ମାର୍ଗଦର୍ଶିକା ଅନୁଯାୟୀ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ସମସ୍ତ ପଦାଧିକାରୀ ଓ କର୍ମଚାରୀ ସାଧୁତାର ଶପଥ ଗ୍ରହଣ କରିଥିଲେ।

‘ସାଧୁତାରୁ ସମୃଦ୍ଧି’ ବିଷୟବସ୍ତୁକୁ ଆଧାର କରି ଅକ୍ଟୋବର ୨୭ରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ନୀତି ଦେଶର ଆର୍ଥିକ, ରାଜନୈତିକ ଓ ସାମାଜିକ ପ୍ରଗତିରେ ଏକ ପ୍ରମୁଖ ପ୍ରତିବନ୍ଧକ। ଏହାର ମୂଳୋତ୍ପାଟନ ବିନା ଜାତୀୟ ବିକାଶ ସମ୍ଭବ ନୁହେଁ। ତେଣୁ ପ୍ରତ୍ୟେକ ନାଗରିକ ସାଧୁତା ଓ ସତ୍ୟନିଷ୍ଠା ପ୍ରତି ପ୍ରତିବଦ୍ଧ ରହି ଦୁର୍ନୀତି ବିରୋଧରେ ସଚେତନ ଓ ସକ୍ରିୟ ହେବା ଆବଶ୍ୟକ।

ଏହି ଅବସରରେ କୁଳପତି ପ୍ରଫେସର ଡ. ସତ୍ୟନାରାୟଣ ଆଚାର୍ଯ୍ୟ ନିଜ ବକ୍ତବ୍ୟରେ ବ୍ୟକ୍ତିଗତ ଜୀବନ ତଥା କର୍ମକ୍ଷେତ୍ରରେ ସାଧୁତା ଓ ସ୍ୱଚ୍ଛତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ବିଶ୍ୱବିଦ୍ୟାଳୟରେ ସପ୍ତାହବ୍ୟାପୀ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ ଚାଲିବ ବୋଲି ସେ ସୂଚନା ଦେଇଥିଲେ।

ବିଶ୍ୱବିଦ୍ୟାଳୟର ସମସ୍ତ ପଦାଧିକାରୀ, ଅଧ୍ୟାପକ, ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀ ସତ୍ୟନିଷ୍ଠା ଓ ସାଧୁତାର ସହ ନିଜ ନିଜର ଦାୟିତ୍ୱ ସମ୍ପାଦନ କରିବାକୁ କୁଳପତି ପରାମର୍ଶ ଦେଇଥିଲେ। ଏହାପରେ କୁଳସଚିବ ସୁଶ୍ରୀ ରଶ୍ମିରେଖା ଦାସ ଉପସ୍ଥିତ ସମସ୍ତଙ୍କୁ ସାଧୁତାର ଶପଥପାଠ କରାଇଥିଲେ।

କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ଡ. ସତ୍ୟନାରାୟଣ ଆଚାର୍ଯ୍ୟ, କୁଳସଚିବ ସୁଶ୍ରୀ ରଶ୍ମିରେଖା ଦାସ, ପରୀକ୍ଷା ନିୟନ୍ତ୍ରକ ଡ. ସନ୍ଦୀପ କୁମାର ଚାନ୍ଦ, ବିତ୍ତ ନିୟନ୍ତ୍ରକ ସଂଜୀବ କୁମାର ଜେନା, ଆଞ୍ଚଳିକ ଜନଜାତି ଭାଷା ଓ ଐତିହ୍ୟ ଅଧ୍ୟୟନ ବିଭାଗର ପରିଦର୍ଶୀ ପ୍ରଫେସର ଡ. ବବ୍ରୁବାହନ ମହାପାତ୍ର, ଭାଷା ଓ ସାହିତ୍ୟ ବିଭାଗର ସହକାରୀ ପ୍ରଫେସର ଡ. ଶୁଭ୍ରାଂଶୁ ଶେଖର ବେହେରାଙ୍କ ସମେତ ରୋଜାଲିନ୍ ରଥ, ସିମ୍ରନ୍ ମିଶ୍ର, ଲୋକନାଥ ମହାପାତ୍ର ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ରହି ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ସାଧୁତା ବଜାୟ ରଖିବା ସହ ଦୁର୍ନୀତିମୁକ୍ତ ସମାଜ ଗଠନ ପାଇଁ ସଂକଳ୍ପ ନେଇଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply