ନୟାଗଡ଼, ତା-୨୯.୧୦.୨୬ରିଖ- ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ – ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଏକ ସାଧାରଣ ସଭା ଓ ଆଲୋଚନା ଚକ୍ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ସ୍ଥିତ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଥିଲା l
ଏହି ଅବସରରେ ମାନନୀୟା ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ ) ଶ୍ରୀମତୀ ରୋଜିନା ଦାସ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ ) ଶ୍ରୀ ବିଜୟାନନ୍ଦ ନାୟକ, ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ଶ୍ରୀ ଜିତେନ୍ଦ୍ର କୁମାର ସାହୁ, ଉପ ଆରକ୍ଷୀ ଅଧିକ୍ଷକ (ଦୁର୍ନୀତି ନିବାରଣ ଶାଖା ) ଶ୍ରୀ ଅଶୋକ କୁମାର ବିରୁଆ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପ୍ରଦୀପ୍ତ କୁମାର ସେନାପତି ପ୍ରମୁଖ ଯୋଗ ଦେଇଥିଲେ l ସଭାକାର୍ଯ୍ୟ ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସେନାପତି ଉପସ୍ଥିତ ଥିବା ସମସ୍ତ ଅତିଥିଙ୍କୁ ସ୍ୱାଗତ କରିବା ସହ ଦୁର୍ନୀତି ନିବାରଣ ଉପରେ ନିଜର ଅଭିଭାଷଣ ରଖିଥିଲେ l ଏହା ପରେ ମାନନୀୟା ଜିଲ୍ଲାପାଳ ଗୃହରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟଙ୍କୁ ଦୁର୍ନୀତି ନିବାରଣର ଶପଥ ପାଠ କରାଇଥିଲେ ।

ଏହା ପରେ ଉପସ୍ଥିତ ଥିବା ସମସ୍ତ ଅତିଥିମାନେ ନିଜର ବକ୍ତବ୍ୟରେ ଦୁର୍ନୀତିମୁକ୍ତ ସମାଜ ଗଠନ ତଥା ସରକାରୀ କାର୍ଯ୍ୟରେ ସ୍ବଚ୍ଛତା, ସଚ୍ଚୋଟତା ଓ ତ୍ତରଦାୟିତ୍ବବୋଧକୁ ସୁଦୃଢ଼ କରିବା ଦିଗରେ ନିଜ ନିଜର ଅଭିବ୍ୟକ୍ତି ପ୍ରକାଶ କରିଥିଲେ l ବରିଷ୍ଠ ସାମ୍ବାଦିକ ଶ୍ରୀ ରାମକୃଷ୍ଣ ରଥ ଦୁର୍ନୀତି ନିବାରଣ ଉପରେ ନିଜର ମନ୍ତବ୍ୟ ରଖିବା ସହ ଦୁର୍ନୀତି ହଟାଅ ସ୍ଲୋଗାନ ଦେଇଥିଲେ l ମାନନୀୟା ଜିଲ୍ଲାପାଳ ଶ୍ରୀମତୀ ରଥ ନିଜର ଅଭିଭାଷଣରେ କହିଥିଲେ ଯେ, ଦୁର୍ନୀତିରୁ ଦୂରେଇ ରହିବା ଓ ସାଧୁତା ବଜାୟ ରଖିବା ପ୍ରତ୍ୟେକ ବ୍ୟକ୍ତିର ଆତ୍ମବିଶ୍ୱାସ ଓ ମାନସିକତା ଉପରେ ନିର୍ଭର କରେ। କେବଳ ସଭାସମିତିରେ ଆହ୍ୱାନ ଦେଲେ ହେବ ନାହିଁ, ନିଜ ଭିତରେ ଆତ୍ମ-ଅନୁଶୀଳନ ଆବଶ୍ୟକ ।ପ୍ରତ୍ୟେକ କାର୍ଯ୍ୟକୁ ସ୍ୱଚ୍ଛ ଓ ସମୟସୀମା ମଧ୍ୟରେ ସମ୍ପାଦନ କରିବାକୁ ସେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ ଅଧିକାରୀ, ଡେପୁଟି କଲେକ୍ଟର, କର୍ମଚାରୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଓ କିଛି ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗ ଦେଇଥିଲେ l
ପରିଶେଷରେ ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଶୋକ କୁମାର ବିରୁଆ ଧନ୍ୟବାଦ ଅର୍ପଣ କରିଥିଲେ ଓ ସଭା ସାଙ୍ଗ କରାଯାଇଥିଲା l










