Home / ମୁଖ୍ୟ ଖବର / ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହିତ ଭଲ ଆଲୋଚନା ହେଲା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହିତ ଭଲ ଆଲୋଚନା ହେଲା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ସବୁ କ୍ଷେତ୍ରରେ ଭାରତ ଓ ଆମେରିକାର ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନିମନ୍ତେ ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହିତ ଭଲ ଆଲୋଚନା ହୋଇଥିବା କଥା ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

ଭାରତ ଓ ଆମେରିକାର ସାମଗ୍ରିକ ତଥା ବୈଶ୍ବିକ ଭାଗୀଦାରିତା ନିମନ୍ତେ ସାମ୍ପ୍ରତିକ ଏବଂ ନୂତନ ଉପକ୍ରମ ବିଷୟରେ ଦୁଇ ନେତା ଗତକାଲି ଫୋନ୍‌ ଯୋଗେ ଆଲୋଚନା କରିବା ସହିତ ଏୟାର୍‌ ଇଣ୍ଡିଆ ଏବଂ ବୋଇଙ୍ଗ୍‌ ମଧ୍ୟରେ ସମ୍ପନ୍ନ ବୃହତ୍‌ ରାଜିନାମା ବିଷୟରେ ମଧ୍ୟ ଆଲୋଚନା କରିଥିଲେ।

ଏ ସଂକ୍ରାନ୍ତରେ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି: ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହିତ ଆଳାପ କରି ଆନନ୍ଦିତ। ଭାରତ-ଆମେରିକାର ସାମଗ୍ରିକ ଓ ବୈଶ୍ବିକ ଭାଗୀଦାରିତାକୁ ଅଧିକ ନିବିଡ଼ କରିବା ପାଇଁ ସାମ୍ପ୍ରତିକ ଓ ନୂଆ ଉପକ୍ରମ ସବୁକୁ ସମୀକ୍ଷା କରିବା ନିମନ୍ତେ ତାଙ୍କ ସହିତ କରିଥିବା ଆଲୋଚନା ଖୁବ୍‌ ଚମତ୍କାର ହେଲା। ଉଭୟ ଦେଶ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବାରେ ସହାୟକ ହେବାକୁ ଥିବା ଏୟାର୍‌ ଇଣ୍ଡିଆ-ବୋଇଙ୍ଗ୍‌ ରାଜିନାମାକୁ ବି ଆମେ ପ୍ରଶଂସା କଲୁ।

ଉଲ୍ଲେଖଯୋଗ୍ୟ, ‘ଟାଟା ଗ୍ରୁପ୍‌’ ମାଲିକାନାରେ ଥିବା ‘ଏୟାର୍‌ ଇଣ୍ଡିଆ’ ଆମେରିକୀୟ କମ୍ପାନି ‘ବୋଇଙ୍ଗ୍‌’ଠାରୁ ୨୨୦ଟି ବିମାନ କିଣିବାକୁ ରାଜିନାମା କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଆମେରିକୀୟ ରାଷ୍ଟ୍ରପତି ବାଇଡେନ୍‌ଙ୍କ ମଧ୍ୟରେ ଟେଲିଫୋନ୍‌ ଜରିଆରେ କଥାବାର୍ତ୍ତା ହୋଇଥିଲା।

ରାଷ୍ଟ୍ରପତି ଜୋ ବାଇଡେନ୍‌ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କହିଛନ୍ତି ଯେ, ଏହି ବୃହତ୍‌ ରାଜିନାମା ଆମେରିକାର ୪୪ଟି ପ୍ରଦେଶରେ ୧ ନିୟୁତ ପର୍ଯ୍ୟନ୍ତ ଚାକିରି ସୃଷ୍ଟି କରିବ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply