କାକଟପୁର ତା ୯/୩, ଗୁରୁବାର ଅପରାହ୍ନରେ କାକଟପୁର ଥାନାର ନବ ନିର୍ମିତ ଥାନା ଗୃହକୁ କାକଟପୁରର ଯୁବ ବିଧାୟକ ତଥା ରାଜ୍ୟ କ୍ରୀଡା, ଯୁବବ୍ୟାପାର ଓ ଗୃହ ରାଷ୍ଟ୍ର ମନ୍ତ୍ରୀ ଶ୍ରୀଯୁକ୍ତ ତୁଷାରକାନ୍ତି ବେହେରାଙ୍କ କରକମଳରେ ଉଦଘାଟିତ ହୋଇଯାଇଛି l ପ୍ରାଥମିକ ପର୍ଯ୍ୟାୟରେ ମନ୍ତ୍ରୀ ଶ୍ରୀ ବେହେରା,ପୁରୀ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ପୁରୀ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ, ପୂର୍ବତନ ପୁରୀ ଜିଲ୍ଲାପରିଷଦ ଅଧ୍ୟକ୍ଷ ଜୋତିର୍ମୟ ଦଳାଇ ପ୍ରମୁଖ ଥାନା ସମ୍ମୁଖରେ ପହଞ୍ଚିବା ପରେ ପୋଲିସ କର୍ମଚାରୀମାନେ ଅତିଥି ମାନଙ୍କୁ ପୁଷ୍ପଗୁଛ, ଚନ୍ଦନ ଓ ବନ୍ଦାପନା କରି ଥାନା ମଧ୍ୟକୁ ପାଛୋଟି ନେଇଥିଲେ l ଗୃହ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ବେହେରା ଓ ଅତିଥି ମାନେ ନଡ଼ିଆ ବାଡ଼େଇ ଆନୁଷ୍ଠାନିକ ଭାବେ ଫଳକ ଉନ୍ମୋଚନ କରିଥିଲେ l ପରେ ଗୃହମନ୍ତ୍ରୀ ଥାନାର ନବନିର୍ମିତ ଗୃହର ବିଭିନ୍ନ କକ୍ଷ ବୁଲି ଦେଖିଥିଲେ ଓ ଥାନାର ନୂତନ ରେଜିଷ୍ଟରରେ ଦସ୍ତଖସ୍ତ ଦେଇଥିଲେ l ପରେ ଥାନା ସମ୍ମୁଖରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l ଆୟୋଜିତ ସଭାରେ କାକଟପୁର ଅଞ୍ଚଳର ବହୁ ବୁଦ୍ଧିଜୀବୀ, ବ୍ୟବସାୟୀ ସଙ୍ଘ କର୍ମକର୍ତ୍ତା,ବିଭିନ୍ନ ପଞ୍ଚାୟତର ଲୋକପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗଦାନ କରିଥିଲେ l କାକଟପୁରର ନବନିର୍ମିତ ଥାନା ସାଧାରଣ ଜନତାଙ୍କ ଆସ୍ଥାଭାଜନ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ପ୍ରକାଶ କରିଥିବାବେଳେ କାକଟପୁର ଥାନା ଜନସାଧାରଣଙ୍କ ହିତ ଉଦ୍ଦେଶ୍ୟରେ କାର୍ଯ୍ୟ କରିବ ବୋଲି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ l ଆଜିର କାର୍ଯ୍ୟକ୍ରମକୁ କାକଟପୁର ଥାନାର ଆଇଆଇସି ପ୍ରିୟରଞ୍ଜନ ନାୟକ, ସବଇନସିପେକ୍ଟର ପ୍ରିୟା ପ୍ରଧାନ, ଏ ଏସ ଆଇ ରବୀନ୍ଦ୍ର କୁମାର ନାୟକ, ପ୍ରମୋଦ କୁମାର ସେଠୀ, ସୁବାସ ଚନ୍ଦ୍ର ସାହୁ ପ୍ରମୁଖ ପରିଚାଳନା କରିଥିଲେ l ଏଥିପାଇଁ ଥାନାର ନବନିର୍ମିତ ଗୃହକୁ ସମ୍ପୂର୍ଣ ଆଲୋକମାଳାରେ ସୁସଜ୍ଜିତ କରାଯାଇଥିଲା l ପରିଶେଷରେ ସମସ୍ତଙ୍କୁ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା l











