ସନ୍ଥକବି ଭୀମଭୋଇଙ୍କ ଜନ୍ମସ୍ଥାନରୁ ପ୍ରକାଶିତ ସାହିତ୍ୟ ପତ୍ରିକା “ସୁଚିତ୍ରା”ର ପଞ୍ଚମ ସ୍ଵନକ୍ଷତ୍ର ଅବସରରେ ବିଶିଷ୍ଟ ଶିଶୁ ସାହିତିକ ତଥା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମଙ୍ଗରାଜ “ସୁଚିତ୍ରା ଶିଶୁ ସାହିତ୍ୟ ସମ୍ମାନ”ରେ ସମ୍ମାନିତ ହୋଇଛନ୍ତି। ୧୧ ଫେବୃଆରି ଦିନ ଆୟୋଜିତ ଏହି ଉତ୍ସବରେ ଡଃ ଦୀପ୍ତି କୁମାର ପଟ୍ଟନାୟକ ସଭାପତି, ଚଳଚ୍ଚିତ୍ର ଅଭିନେତ୍ରୀ ତଥା ପ୍ରଖ୍ୟାତ ନୃତ୍ୟ ନିର୍ଦ୍ଦେଶିକା ତପସ୍ଵିନୀ ଗୁରୁ ମୁଖ୍ୟ ଅତିଥି, କେନ୍ଦ୍ର ସାହିତ୍ୟ ଏକାଡେମୀ ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଅଧ୍ୟାପକ ମନୋଜ କୁମାର ପଣ୍ଡା ମୁଖ୍ୟବକ୍ତା, ସମ୍ପାଦନା ମୁଖ୍ୟ ସମ୍ବାଦ ସମ୍ବଲପୁର ସଂସ୍କରଣ କବି ଲକ୍ଷ୍ମୀନାରାୟଣ ହୋତା ଓ ଚଳଚ୍ଚିତ୍ର କଳା ନିର୍ଦ୍ଦେଶକ କଳିଙ୍ଗ କେଶରୀ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମଙ୍ଗରାଜ ଓଡ଼ିଆ ଶିଶୁ ସାହିତ୍ୟରେ ଅଠର ଖଣ୍ଡରୁ ଉର୍ଦ୍ଧ ପୁସ୍ତକ ରଚନା କରିଛନ୍ତି। ବିଶେଷକରି ଓଡ଼ିଆ ଶିଶୁ ଉପନ୍ୟାସ ରଚନା କ୍ଷେତ୍ରରେ ସେ ସିଦ୍ଧହସ୍ତ । ତାଙ୍କ ରଚିତ “ବଣରେ ଲାଗିଛି ନିଆଁ”, “ଆଖି ଖୋଲିଦେଲେ ଆଚାର୍ଯ୍ୟ ବାବୁ”, “ନରକପୁରରେ ନବେଦିନ”, “ବିଷ ମଣିଷ”, “କୁନି ବଣି”, ଅନୁବାଦ ପୁସ୍ତକ “ମୁଁ ବି ଆମ୍ବେଦକର”, ଖୁବ୍ ପାଠକୀୟ ଆଦୃତି ଲାଭ କରିଛି। ଶିଶୁ ସାହିତ୍ୟ ସହିତ ଶିକ୍ଷକତା କ୍ଷେତ୍ରରେ ମଧ୍ୟ ତାଙ୍କର ବେଶ ସୁନାମ ରହିଛି। ନିକଟରେ ତାଙ୍କ ବିଦ୍ୟାଳୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଲାଭ କରିଅଛି। ଶ୍ରୀଯୁକ୍ତ ମଙ୍ଗରାଜଙ୍କ କୃତିତ୍ୱ ନିମନ୍ତେ ଆଜି ସାହୁପଡ଼ା ଗ୍ରାମପଞ୍ଚାୟତ ତରଫରୁ କଣାସ ବି.ଡି.ଓ ନିରଞ୍ଜନ ସାହୁଙ୍କ ଦ୍ବାରା ମଧ୍ୟ ସମ୍ମାନୀତ କରାଯାଇଛି।
Social Icons
Featured Posts











