Home / ମୁଖ୍ୟ ଖବର / ପାଉଡରରେ ତିଆରି ହେଉଛି କ୍ଷୀର ଓ ପନିର, ଗୋପାଳକ ନହୋଇ ମଧ୍ୟ ବିକ୍ରି କରୁଛନ୍ତି ଦୁଗ୍ଧ ଜାତୀୟ ପଦାର୍ଥ

ପାଉଡରରେ ତିଆରି ହେଉଛି କ୍ଷୀର ଓ ପନିର, ଗୋପାଳକ ନହୋଇ ମଧ୍ୟ ବିକ୍ରି କରୁଛନ୍ତି ଦୁଗ୍ଧ ଜାତୀୟ ପଦାର୍ଥ

psx 20241101 204940

କାକଟପୁର ତା ୩୧/୧୦/୨୪

( ତୁଷାର ଦୀକ୍ଷିତ )

ଘରେ ଗାଈ ନାହିଁ, କିନ୍ତୁ ଘରକୁ ଘର ବୁଲି ଯୋଗାଇ ଦେଉଛନ୍ତି କ୍ଷୀର, ଦହି, ଘିଅ, ପନିର। କେତେକ ଦୋକାନରେ ବି ଦେଶୀ ନାଁରେ ବେଧଡକ ବେପାର ଚାଲିଛି। ଏସବୁ ଅସଲି କି ନକଲି ଜାଣିବା ସାଧାରଣଲୋକଙ୍କ ପାଇଁ ସହଜ ନୁହେଁ। ତେଣୁ ଲୋକେ ଦେଶୀ ନାଁରେ ବିଷ ହିଁ ଖାଉଛନ୍ତି। କାକଟପୁର ଓ କୁଣ୍ଢେଇ ଅଞ୍ଚଳରେ ଅସାଧୁ ଉପାୟରେ କେମିକାଲ ଓ ପାଉଡର ବ୍ୟବହାର କରି ମାଳ ମାଳ ବେପାରୀ ଲୋକଙ୍କ ଜୀବନ ସହ ଖେଳ ଖେଳୁଛନ୍ତି। ବଡ଼ କଥା ହେଲା ଏହି ନକଲି ବେପାରରେ ସ୍ଥାନୀୟ ଲୋକଙ୍କ ଦବଦବା ବେଶି। ସେମାନେ ଏହାର ଅସଦ ବ୍ୟବହାର କରି ବିନା ଗାଈରେ ଦୁଗ୍ଧଜାତ ଦ୍ରବ୍ୟ ପ୍ରସ୍ତୁତ କରି ବେପାରରେ ସକ୍ରିୟ ରହିଛନ୍ତି। ପ୍ରକୃତ ଦାମଠାରୁ ଏହି ନକଲି ସାମ୍ରଗୀର ଦାମ କମ୍‌ ରହିଥିବାବେଳେ ଲୋକଙ୍କ ପାଖରେ ଏସବୁ ସହଜରେ ଉପଲବ୍ଧ ହେଉଛି। ମିଳିଥିବା ସୂଚନା ଅନୁସାରେ ଉଭୟ ଅଞ୍ଚଳରେ ଏହି ଅସାଧୁ ବେପାରୀମାନେ ସକ୍ରିୟ ରହିଛନ୍ତି। କେବଳ ଖୋଲାରେ ନୁହେଁ, ପ୍ୟାକେଟ କରି ମଧ୍ୟ ଏହାକୁ ବିକ୍ରି କରୁଛନ୍ତି। ବିଶେଷକରି ଏହା କାକଟପୁର ବ୍ଲକର ବିଭିନ୍ନ ଗ୍ରାମ କାକଟପୁର ବଜାର,ମେଡିକାଲ ଛକ,କୁଣ୍ଢେଇ ହାଟଛକ, ଆନନ୍ଦ ବଜାର , ବାଙ୍ଗୁରୀଗାଁ, ଓଥକା ହାଟ ସମେତ ଅନେକ ଅଞ୍ଚଳରେ ସକ୍ରିୟ ବେପାରୀମାନେ କେମିକାଲ, ପାଉଡର ବ୍ୟବହାର କରି ନକଲି କ୍ଷୀର, ଦହି, ଘିଅ, ପନିର, ଛେନା ପ୍ରସ୍ତୁତ କରୁଛନ୍ତି। ଏପରିକି କେତେକ ନିର୍ଦ୍ଦିଷ୍ଟ ଦୋକାନକୁ ଦୁଗ୍ଧଜାତୀୟ ସାମଗ୍ରୀ ଯୋଗାଇ ଦେଉଛନ୍ତି। ବସାଦହି କେଜି ୫୦ ଟଙ୍କାରେ ମିଳୁଥିବାବେଳେ ଗୁଆ ଘିଅ ୨ ଶହରୁ ୩ ଶହ ଟଙ୍କାରେ ମିଳୁଛି, ଯାହାର ପ୍ରକୃତ ବଜାର ଦର ଢେର୍‌ ଅଧିକ ରହିଛି। ଏହାଛଡ଼ା ଭୁବନେଶ୍ୱରରୁ ବସ୍‌ ଯୋଗେ ପ୍ରତିଦିନ କୁଇଣ୍ଟାଲ କୁଇଣ୍ଟାଲ ସିନ୍ଥେଟିକ ପନିର ମଧ୍ୟ କାକଟପୁର ଅଞ୍ଚଳକୁ ଆସୁଛି। ଯାହାର ଯଥେଷ୍ଟ ଚାହିଦା ରହୁଛି। ମାତ୍ର ଶହେ ଟଙ୍କା କେଜିରେ ବେପାରୀ ଏହି ପନିର କିଣି ଏହାକୁ କିଲୋ ପିଛା ୨ ଶହରୁ ଅଢ଼େଇ ଶହ ଟଙ୍କା ବିକ୍ରି କରୁଛନ୍ତି। ଏଭଳି ନକଲି ଓ ବିଷାକ୍ତ ଖାଦ୍ୟ ସାମଗ୍ରୀ ଯୋଗାଇ ଏହି ବେପାରୀମାନେ ଲୋକଙ୍କ ଜୀବନ ସହ ଖେଳୁଥିବାବେଳେ ପୋଲିସ ଓ ସ୍ବାସ୍ଥ୍ୟ ବିଭାଗ ଏବଂ ଯୋଗାଣ ବିଭାଗ ନିଘୋଡ଼ ନିଦରେ ଶୋଇଛି। ନକଲି ସାମଗ୍ରୀ ଧରପଗଡ଼ କଥା ସତେ ଯେମିତି ଭୁଲିଯାଇଛନ୍ତି କର୍ତ୍ତୃପକ୍ଷ। ଚଢ଼ାଉ ନ ହେବାରୁ ଦିନକୁ ଦିନ ଏଭଳି ନକଲି କାରବାର କାୟା ମେଲାଇବାରେ ଲାଗିଛି। ଖୁବ୍‌ଶୀଘ୍ର ଏହାର ଉଚ୍ଚସ୍ତରୀୟ ଚଢ଼ାଉ ସହ ଯାଞ୍ଚ ହେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY