ପୁରୀ: ତା ୧୪/୦//୨୦୨୫ -(ନି.ପ୍ର.) ଶ୍ରୀ ଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ଅନନ୍ତ କୋଟି ବ୍ରହ୍ମାଣ୍ଡ ନାୟକ । ଓଡ଼ିଶାର ଆରାଧ୍ୟ ଦେବତା ଏବଂ ସବୁ ଓଡ଼ିଆଙ୍କ ମଉଡମଣି ଜଗନ୍ନାଥଙ୍କ ଚିନ୍ତା ଓ ଚେତନା ଆନ୍ତର୍ଜାତୀୟ ସ୍ତରରେ ସମସ୍ତଙ୍କୁ ଅନୁପ୍ରାଣିତ କରିଆସୁଛି। ପ୍ରଭୁ ଜଗନ୍ନାଥଙ୍କ ଆଜ୍ଞାରେ, ମୁଖ୍ୟ ମାର୍ଗଦର୍ଶକ ଛତିଶା ନିଯୋଗ ନାୟକ ଶ୍ରୀଜନାର୍ଦନ ପାଟ୍ଟଯୋଶୀ ମହାପାତ୍ର, ଶ୍ରୀ ମଧୁସୂଦନ ସିଂହାରୀ, ଶ୍ରୀ ନୀଳମଣି ଗୁରୁ ଓ ଶ୍ରୀଜଗନ୍ନାଥ ସେବା ଓ ସମ୍ମାନ ଟ୍ରଷ୍ଟର ମୁଖ୍ୟ ସଚିବ ଶ୍ରୀ ଦିଗନ୍ତ ଦେଙ୍କ ଦିଗଦର୍ଶନରେ ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତି, ଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତି ଅବସରରେ ତୃତୀୟ ଅନ୍ତର୍ଜାତୀୟ ଜୟ ଶ୍ରୀଜଗନ୍ନାଥ ଦିବସ ଖୁବ ସୁନ୍ଦର ଏବଂ ଜାକଜମକରେ ପୁରୀସ୍ଥିତ ଟାଉନହଲରେ ପାଳିତ ହୋଇ ଯାଇଛି ।

ଏହା ଦୃଢ଼ ସତ୍ୟ ଯେ ମହାପ୍ରଭୁ ଜଗନ୍ନାଥ ମା ମହାଲକ୍ଷ୍ମୀଙ୍କର ବିନା ଅସମ୍ପୂର୍ଣ୍ଣ ଏବଂ ଆମେମାନେ ଶ୍ରୀଜଗନ୍ନାଥଙ୍କ ବିନା ଅସମ୍ପୂର୍ଣ୍ଣ । ପ୍ରଭୁ ଜଗନ୍ନାଥଙ୍କୁ ସାଧାରଣ ଭାବେ ଆମ୍ଭେମାନେ “ଜୟ ଜଗନ୍ନାଥ” ବୋଲି କହିଥାଉ ମାତ୍ର “ଜୟ ଜଗନ୍ନାଥ” ବଦଳରେ “ଜୟ ଶ୍ରୀଜଗନ୍ନାଥ” କହିବା ପାଇଁ ସମସ୍ତଙ୍କୁ ପ୍ରବର୍ତ୍ତାଇବା ଉଦେଶ୍ୟରେ ଏହି “ଜୟ ଶ୍ରୀଜଗନ୍ନାଥ” ଦିବସର ଆୟୋଜନ କରାଯାଇଥିଲା । ମଣିଷର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ କେବଳ ଦୁଇଟି ନାମ ଧରିବାର ଆବଶ୍ୟକତା ଆଛି, ଆଉ ସେଇଟା ହେଉଛି ଶ୍ରୀ (ଲକ୍ଷ୍ମୀ) + ଜଗନ୍ନାଥ = ଶ୍ରୀଜଗନ୍ନାଥ । ଏହି କାର୍ଯ୍ୟକ୍ରମରେ ଅନେକ ଜଗନ୍ନାଥ ପ୍ରେମୀ ତଥା ଭକ୍ତ ବୃନ୍ଦ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମ କୁ ଡ଼କ୍ଟର ସ୍ୱାଗତିକା ମହାନ୍ତି ଓଡ଼ିଆ ବିଭାଗର ମୁଖ୍ୟ, ଶ୍ରୀ ସଦାଶିବ ବିଶ୍ୱବିଦ୍ୟାଳୟ ପରିଚାଳନା କରିଥିଲେ ।

କାର୍ଯ୍ୟକ୍ରମର ପ୍ରାରମ୍ଭିକ ପର୍ଯ୍ୟାୟରେ ଶ୍ରୀ ସଦାଶିବ ବିଶ୍ୱବିଦ୍ୟାଳୟର ଡ଼କ୍ଟର ଚକ୍ରଧର କର ବେଦପାଠ କରିଥିଲେ ଏବଂ ଶ୍ରୀଯୁକ୍ତ ସୌମେନ୍ଦ୍ର ମୁଦଲି, ପଣ୍ଡିତ ଶ୍ରୀଯୁକ୍ତ ପ୍ରଭାତ ରଞ୍ଜନ ମହାପାତ୍ର , ଶ୍ରୀଯୁକ୍ତ ନୀଳମଣି ଗୁରୁ, ଶ୍ରୀଯୁକ୍ତ ପ୍ରଦୀପ ତ୍ରିପାଠୀ, ଶ୍ରୀଯୁକ୍ତ ସମରେନ୍ଦ୍ର ରାଉତରାୟ ଓ ଶ୍ରୀଯୁକ୍ତ ଗୌର ମହାପାତ୍ର ପ୍ରମୂଖ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ମୁଦଲିସେବାୟତର ଉପଦେଷ୍ଟା ଶ୍ରୀଯୁକ୍ତ ସୌମେନ୍ଦ୍ର ମୁଦଲି, ପାଇକ ନିଯୋଗର ସମ୍ପାଦକ ନୀଳମଣି ଗୁରୁ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱ ବିଦ୍ୟାଳୟର ପୂର୍ବତନ କୁଳପତି ହରିହର ହୋତା, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱ ବିଦ୍ୟାଳୟର ବେଦାନ୍ତ ବିଭାଗର ପୂର୍ବତନ ମୁଖ୍ୟ ଶ୍ରୀଯୁକ୍ତ ପ୍ରଭାତ ରଞ୍ଜନ ମହାପାତ୍ର, ଏହିଭଳି ଅନେକ ବିଦ୍ୱାନ ପଣ୍ଡିତ ଏବଂ ଜଗନ୍ନାଥ ସଂସ୍କୃତି ପ୍ରେମୀ ବୃନ୍ଦ ଯୋଗଦାନ କରିଥିଲେ । ଶ୍ରୀଜଗନ୍ନାଥଙ୍କୁ ନେଇ ନିଜର ଅନୁଭୂତିର କଥା କହିଥିଲେ । ଜଗନ୍ନାଥ ସଂସ୍କୃତି କିଭଳି ଭାବେ ବିଶ୍ୱକୁ ପ୍ରଭାବିତ କରିଛି, ବିଶ୍ୱ ଯେତେ ଜଟିଳ ସମସ୍ୟାରେ ପଡ଼ିଲେ ମଧ୍ୟ ସମାଧାନ ନିମନ୍ତେ ଜଗନ୍ନାଥ ତତ୍ୱରେ ତାର ସମସ୍ତ ସମାଧାନ ନିହିତ ରହିଛି, ଯାହାକୁ ଆଧାର କରି ସମସ୍ତ ଜଟିଳ ସମସ୍ୟା ସମାଧାନ ହେଇ ପାରିବ ବୋଲି ସମସ୍ତ ବିଦ୍ୱାନ ପଣ୍ଡିତ ମତ ବ୍ୟକ୍ତ କରିଥିଲେ । ତତ୍ପରେ ପଣା ସଂକ୍ରାନ୍ତି ଉପଲକ୍ଷେ ସମସ୍ତଙ୍କୁ ପଣା ବଣ୍ଟନ କରାଯାଇଥିଲା ।

ମଧ୍ୟାହ୍ନରେ ପ୍ରସାଦ ସେବନ ପରେ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ପିଲାମାନଙ୍କ ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିଲା “ଶ୍ରୀଜଗନ୍ନାଥଙ୍କ ଜଣା ଅଜଣା” କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଶ୍ରୀଯୁକ୍ତ ଚନ୍ଦ୍ରବିଜୟୀ ମିଶ୍ର । ସମସ୍ତ ଦର୍ଶକ ଏଥିରେ ଭାଗ ନେଇଥିଲେ ଏବଂ ପୁରସ୍କାର ପ୍ରାପ୍ତ କରିଥିଲେ । କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟରେ ଏଲି ଆନିମେସନ, ଭୁବନେଶ୍ଵରଙ୍କ ଦ୍ୱାରା ପ୍ରସ୍ତୁତ “ଜୟ ଜଗନ୍ନାଥ“ ଆନିମେଟେଡ଼୍ ଚଳଚିତ୍ର ପ୍ରଦର୍ଶିତ ହୋଇଥିଲା ।
ଏହି ଶୁଭ ଅବସରରେ ଟ୍ରଷ୍ଟର କର୍ମକର୍ତ୍ତା ଶ୍ରୀମାନ ଅଧ୍ୟୟନ ମହାପାତ୍ର ଉପସ୍ଥିତ ରହି ସମସ୍ତ ଭକ୍ତ ମଣ୍ଡଳୀ ପାଇଁ ଅନ୍ନ ପ୍ରସାଦ ସେବନ ର ବ୍ୟବସ୍ଥା କରାଇଥିଲେ । ଶ୍ରୀ ପଦ୍ମଲୋଚନ ମହାପାତ୍ର ଉପସ୍ଥିତ ରହି ରକ୍ତଦାନ ଶିବିରକୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ । ଟ୍ରଷ୍ଟର ଅନ୍ୟ ଦୁଇ କର୍ମକର୍ତ୍ତା ଶ୍ରୀମତୀ ଜୟଶ୍ରୀ ତ୍ରିପାଠୀ ଏବଂ ଶ୍ରୀମତୀ ପଲ୍ଲବୀ ମହାପାତ୍ରଙ୍କ ଉପସ୍ଥିତିରେ ସମ୍ ହସ୍ପିଟାଲ୍ ଙ୍କ ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ୱାରା ରୋଗୀ ମାନଙ୍କପାଇଁ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଥିଲା । ରୋଗିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ବଣ୍ଟନ କରାଯାଇଥିଲା ।

କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ, ସନ୍ଧ୍ୟା ସମୟରେ ଶ୍ରୀଜଗନ୍ନାଥଙ୍କ ୧୦୮ ନାମ ଜପ, ଏବଂ ତତ୍ପରେ ପ୍ରଥମ ଥର ପାଇଁ “ଶ୍ରୀ ଖଣ୍ଡୁଆ ଭକ୍ତ” ସମ୍ମାନରେ ବିଶିଷ୍ଟ ଆନ୍ତର୍ଜାତିକ ନୃତ୍ୟ ଗୁରୁ ପଦ୍ମଶ୍ରୀ ଦୁର୍ଗାଚରଣ ରଣବୀରଙ୍କୁ ସମ୍ମାନିତ କରାଯାଇଥିଲା । ପରେ ସେବକ ଶ୍ରୀ ସମ୍ମାନରେ ମହାପ୍ରଭୁ ଙ୍କର ପୂଜାପଣ୍ଡା ସେବକ ସୂର୍ଯ୍ୟ ନାରାୟଣ ପୂଜାପଣ୍ଡା, ବିଶିଷ୍ଟ ସମାଜ ସଂସ୍କାରକ ତଥା ଯୋଗ ଗୁରୁ ସେବକ ଗୋପାଳ ଦାସ, ଓଟିଭିର ବରିଷ୍ଠ ସାମ୍ବାଦିକ ଶ୍ରୀ ମଧୁସୂଦନ ମିଶ୍ର , ପୋଲିସ ପ୍ରଶାସକ ଯୋଗେସ୍ ସ୍ୱାଇଁଙ୍କୁ ସମ୍ମାନିତ କରାଯାଇଥିଲା । ଶେଷ ଅଧିବେଶନ ର ଅତିଥି ଭାବେ ବରିଷ୍ଠ ସେବକ ନୀଳମଣି ଗୁରୁ, ବିଶିଷ୍ଟ ଶିକ୍ଷାବିତ୍ ସୁରେନ୍ଦ୍ର ନାଥ ଦାସ , ବିଶିଷ୍ଟ ଶିକ୍ଷାବିତ୍ ହରିହର ହୋତା, ବରିଷ୍ଠ ପ୍ରଶାସକ ମଧୁସୂଦନ ମିଶ୍ର ଓ ମହନ୍ତ ପର୍ଶୁରାମ ଦାସ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଅଭିନନ୍ଦନ ଦାସ ପରିଶେଷରେ ଶ୍ରୀଜଗନ୍ନାଥ ସେବା ଓ ସମ୍ମାନ ଟ୍ରଷ୍ଟର ପ୍ରଧାନ ସେବକ ଶ୍ରୀ ପ୍ରଦିପ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।











