ନୟାଗଡ଼, ତା- ୨୫.୬.୨୫ରିଖ-ଭାସ୍କର ଚନ୍ଦ୍ର ସ୍ବାଇଁ- ନୟାଗଡ଼: ରାସ୍ତା ପାଇଁ ୧୭ ଖଣ୍ଡ ଗାଁ ଲୋକଙ୍କ ଆନ୍ଦୋଳନ ମେଳି। ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ହଜାର ହଜାର ଲୋକ। ଖବର ପାଇ ଘଟଣା ସ୍ଥଳକୁ ଉପଜିଲ୍ଲାପାଳ , ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତହସିଲଦାର , ଏବଂ ପୋଲିସ୍ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ ମାନଙ୍କୁ ବୁଝା ସୁଝା କରିବା ପରେ ମଧ୍ୟ ଆନ୍ଦୋଳନ ଜାରି ରହିଛି।ଅଭିଯୋଗ ଅନୁଯାୟୀ ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନୂଆଗାଁ ବ୍ଲକର ଆଦିବାସୀ ଅଧ୍ୟୁଷିତ ଢିପାମାଳ ଅଞ୍ଚଳର ୧୭ ଖଣ୍ଡ ମୌଜାର ଲୋକମାନେ ରାସ୍ତା ନିର୍ମାଣ ଦାବିରେ ଜାତୀୟ ରାଜପଥ- ୫୭ କୁ ସିମିଳିସାହି ଗାଁ ନିକଟରେ ମେଳି ହୋଇ ଆନ୍ଦୋଳନ କରିଛନ୍ତି।

ଆନ୍ଦୋଳନରେ ସାମିଲ ହୋଇଛନ୍ତି ମାଳିସାହି , ଢେଙ୍କେଣା , ଖଣ୍ଡୁଗାଁ, ଚାହାଳୀ ପଞ୍ଚାୟତର ୧୭ ଖଣ୍ଡ ମୌଜାର ଲୋକ । ସ୍ଥାନୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୦ ବର୍ଷ ଧରି ୧୭ ଖଣ୍ଡ ମୌଜା ଓ ଗୁଡୁପାଙ୍ଗୀ ମଧ୍ୟରେ ରାସ୍ତା ପାଇଁ ବିବାଦ ଲାଗି ରହିଛି।ଫଳରେ ଢିପାମାଳ ଅଞ୍ଚଳକୁ ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ ଅଧପନ୍ତରିଆ ଅବସ୍ଥାରେ ପଡ଼ି ରହିଛି । ୧୭ ଖଣ୍ଡ ମୌଜାବାସୀ ବଳଭଦ୍ରପୁର ଢିପାମାଳ ରାସ୍ତାକୁ ସଦାବନ୍ଧ ଛକ ଦେଇ ନିର୍ମାଣ କରିବାକୁ ଦାବି କରୁଥିବାବେଳେ ଗୁଡୁପାଙ୍ଗୀ ଗାଁର ଲୋକମାନେ ଏହାକୁ ବିରୋଧ କରୁଛନ୍ତି । ଗୁଡୁପାଙ୍ଗୀ ଗାଁ ଦେଇ ରାସ୍ତା ନିର୍ମାଣ କରିବା ପାଇଁ ସେମାନେ ଦାବି କରିଛନ୍ତି । ଏହି ବିବାଦକୁ ନେଇ ବିଗତ ଦିନରେ ଅନେକ ରାସ୍ତାରୋକ, ପ୍ରଜାମେଳି ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଅନେକ ପ୍ରୟାସ ପରେ ବି ରାସ୍ତା ନିର୍ମାଣ ହୋଇପାରୁନାହିଁ । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ରାସ୍ତା ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ ଭାବେ ରହିଥିବା ବେଳେ ୧୭ ଖଣ୍ଡ ମୌଜାବାସୀ ବଳଭଦ୍ରପୁର ଦେଇ ରାସ୍ତା ନିର୍ମାଣ ପାଇଁ ଦାବି କରି ଆସୁଛନ୍ତି। ଏହାକୁ ନେଇପୂର୍ବରୁ ପ୍ରଜା ଆନ୍ଦୋଳନଠାରୁ ଆରମ୍ଭକରି ଅନେକ ଘଟଣା ଘଟିଯାଇଛି | ବିବାଦ ସମାଧାନ କରିବା ପାଇଁ ବହୁ ଜିଲ୍ଲାପାଳ ମାନେ ସବୁ ଚେଷ୍ଟା କରିଛନ୍ତି I ଶାନ୍ତିକମିଟିଠାରୁ ଆରମ୍ଭକରି ଅନେକ ପ୍ରୟାସ କରାଯାଇଥିବା ବେଳେ ଗୁଡୁପାଙ୍ଗୀ ଗ୍ରାମବାସୀଙ୍କ ଅସହଯୋଗ ପାଇଁ ସମାଧାନର ବାଟ ଆଗେଇପାରି ନାହିଁ। ବଳଭଦ୍ରପୁର ଦେଇ ରାସ୍ତା ନିର୍ମାଣକୁ ଗୁଡୁପାଙ୍ଗୀ ଗ୍ରାମବାସୀ ବିରୋଧ କରୁଛନ୍ତି | ଫଳରେ ୫ ଖଣ୍ଡ ଆଦିବାସୀ ଗାଁ ବାସିନ୍ଦା ଜଙ୍ଗଲ ପରିସରରୁ ବାହାରକୁ ବାହାରିବା ପାଇଁ ଯନ୍ତ୍ରଣା ଭୋଗୁଛନ୍ତି। ତୁରନ୍ତ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ସମସ୍ତ ବାସିନ୍ଦା।











