କାକଟପୁର ତା 14/9,(ତୁଷାର ଦୀକ୍ଷିତ ) ଆଜି ପବିତ୍ର ମୂଳାଷ୍ଟମୀ ଆଜିର ଦିନରୁ ମା ଙ୍କର ଷୋଡଶ ଉପଚାର ପୂଜନୀତି ଆରମ୍ଭ ହୋଇଥିବାବେଳେ ମା ମଙ୍ଗଳା ଙ୍କୁ 12.57 ମିନିଟ ରୁ ସହସ୍ରା କୁମ୍ଭାଭିଷେକ ନୀତି ଅନୁଷ୍ଠିତ ହୋଇଥିଲା l ପାଳିଆ ସେବକ ଓ ପୂଜାପଣ୍ଡା ସେବକ ମାନଙ୍କ ଦ୍ୱାରା 108 ଗରା ଜଳରେ ଅଗରୁ, ଚନ୍ଦନ, କର୍ପୁର, ମହୁ, କ୍ଷୀର, ଲହୁଣୀ ଓ ଘିଅ ଆଦି ମିଶ୍ରଣ କରାଯାଇ ସୁବାସିତ ଜଳ ପ୍ରସ୍ତୁତ କରାଯାଇ ବେଦମନ୍ତ୍ର ଧ୍ଵନୀରେ ମା ମଙ୍ଗଳା ଙ୍କୁ ସ୍ନାନ କରାଯାଇଥିଲା l ବର୍ଷକରେ ଏହି ଦିନରେ ମା ଙ୍କର ସ୍ନାନ ନୀତି ଦର୍ଶନ କରିବା ପାଇଁ ଅନୁମତି ଥାଏ l ଦେବୀ ଉତ୍ଥାପନ, ଘଟସ୍ଥାପନ, ଅଖଣ୍ଡଳ ସ୍ଥାପନ ପରେ ମା ଙ୍କ ନୀତି ଆରମ୍ଭ କରାଯାଇଥିଲା l ଆଜି ଠାରୁ ପ୍ରତ୍ୟେହ ଚଣ୍ଡୀପୂଜା, ହୋମଯଜ୍ଞ, ଦ୍ୱାରପାଳ ପୂଜା, ସିଂହପୂଜା ନିଷ୍ଠାର ସହ ଆରମ୍ଭ କରାଯାଇଛି l ନବପତ୍ରିକା ଦିନ ଠାରୁ ସମସ୍ତ ନୀତି ସମାପନ ପରେ ମା ଙ୍କ ଚଳନ୍ତି ପ୍ରତିମା ବନଦୁର୍ଗା ଙ୍କୁ ଏକ ସୁସଜ୍ଜିତ ମଣି ବିମନରେ ମହିଷାସୁର ଙ୍କୁ ଠାବ କରିବା ପାଇଁ ମନ୍ଦରଗିରି ବିଜେ କରିଥାନ୍ତି ଏବଂ ସେଠାରେ ଜଗତିପୂଜା ଅନୁଷ୍ଠିତ ହୋଇଥାଏ l ଆଜିର ଷୋଡଶ ଉପଚାର ପୂଜାପଣ୍ଡା ଭାବେ ତପନ କୁମାର ଦୀକ୍ଷିତ ଓ ପାଳିଆ ସେବକ ଭାବେ ଅଭିରାମ ଦୀକ୍ଷିତ ଦାୟିତ୍ୱ ନିର୍ବାହ କରିଥିଲେ l ଏହି ପାର୍ବଣ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ମନ୍ଦିର ଭିତରେ ଓ ବାହାର କୁ ଫୁଲ ସଜାଇବା ସହିତ ଆଲୋକ ମାଳା ରେ ସଜ୍ଜିତ କରାଯାଇଛି, ଆଜି ଦିନ ଠାରୁ 16 ଦିନ ପର୍ଯ୍ୟନ୍ତ ମାତୃ ଭକ୍ତ ମାନେ ଅଖଣ୍ଡ ଦୀପ ଜାଳିଲେ ପାରିବାର ସୁଖ, ଶାନ୍ତି ରେ ରହିବା ସହିତ ସୁସ୍ଥ ଓ ନିରାମୟ ଜୀବନ ଯାପନ କରନ୍ତି ବୋଲି ବିଶ୍ୱାସ ରହିଛି, ମନ୍ଦିର ବେଢାରେ ଏକ ଦୀପ ମଣ୍ଡପ କରାଯାଇ ଭକ୍ତ ମାନଙ୍କ ନାମ ଓ ଗୋତ୍ର ଉଚ୍ଚାରଣ କରି ମନ୍ତ୍ର ପାଠ କରି ସେବାୟତ ମାନେ ଭକ୍ତ ମାନଙ୍କ ମନସ୍କାମନା ପୂର୍ଣ୍ଣ ନିମନ୍ତେ ଏହି ଅଖଣ୍ଡ ଦୀପ ଜଳାଇ ଥାନ୍ତି l









