କାକଟପୁର ତା ୨୭/୧୦ ( ତୁଷାର ଦୀକ୍ଷିତ ) ସୋମବାର ଅପରାହ୍ଣରେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଏକ ଚକ କାକଟପୁର ଅନ୍ତର୍ଗତ ଜଗନ୍ନାଥଙ୍କ ଏନ୍ତୁଡ଼ିଶାଳ ଦେଉଳିମଠକୁ ପଠାଯାଇଛି l ଶ୍ରୀ ଜଗନ୍ନାଥ ସଂସ୍କୃତି ସହ ଜଡିତ ତଥା ମହାପ୍ରଭୁଙ୍କ ଆଦ୍ୟକ୍ଷେତ୍ର ଭାବେ ପରିଚିତ ପ୍ରାଚୀ ନଦୀ ତଟ ବାସିନୀ ମା ମଙ୍ଗଳାଙ୍କ କ୍ଷେତ୍ରକୁ ନନ୍ଦିଘୋଷ ରଥଚକା ଆସିବା ଘଟଣା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ହୋଇଥିଲେ ମଧ୍ୟ ଏଭଳି ଏକ ପଦକ୍ଷେପରେ ମା ମଙ୍ଗଳା ମନ୍ଦିର ପ୍ରଶାସନ କିମ୍ବା ମା ମଙ୍ଗଳା ମନ୍ଦିରର ସେବକ ମାନଙ୍କୁ ଉପେକ୍ଷା କରାଯିବା ଘଟଣା ପାଇଁ ସେବକ ସଙ୍ଘ ପକ୍ଷରୁ ଗଭୀର ଅସନ୍ତୋଷ ବ୍ୟକ୍ତ କରାଯାଇଛିl ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କ ନବକକେବର ପାଇଁ ଦାରୁ ସଂଗ୍ରହ ନିମନ୍ତେ ଦଇତାପତି ସେବକ ମାନେ ଦେଉଳି ମଠରେ ଅଧିଆ ପଡ଼ିଥାନ୍ତି । ମା ମଙ୍ଗଳାଙ୍କ ସ୍ୱପ୍ନାଦେଶ ହେଲେ ମାଙ୍କ ଅଜ୍ଞ୍ୟାମାଳ ନେଇ ଦଇତାପତି ସେବକ ମାନେ ଦାରୁ ସଂଗ୍ରହ ପାଇଁ ଯାଇଥାନ୍ତି । ଶ୍ରୀମନ୍ଦିର ସେବକ ଓ ମା ମଙ୍ଗଳା ମନ୍ଦିର ସେବକଙ୍କ ମଧ୍ୟରେ ବହୁ ପ୍ରାଚୀନ ସମ୍ପର୍କ ଥିବା ବେଳେ ଏଭଳି ଏକ ମହତ କାର୍ଯ୍ୟରେ ମା ମଙ୍ଗଳା ମନ୍ଦିରକୁ ଉପେକ୍ଷା କରାଯିବା ଘଟଣାକୁ ବୁଦ୍ଧିଜୀବୀ ମାନେ ମଧ୍ୟ ନିନ୍ଦା କରିଛନ୍ତି । ଜୈନିକ ବ୍ୟକ୍ତି ନିଜର ବ୍ୟବସାୟ ଓ ରାଜନୈତିକ ଫାଇଦା ଉଦ୍ଦେଶ୍ୟ ରଖି ନିଜର ପତିଆରା ଜାହିର ପାଇଁ ନିଜେ ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରି ଶାସକ ଦଳର ନିର୍ଦ୍ଧିଷ୍ଟ କିଛି ରାଜନେତାଙ୍କୁ ଏହି ରଥଚକ ଯାତ୍ରାରେ ସାମିଲ କରିଥିଲେ ।କାକଟପୁରର ବରିଷ୍ଠ ନାଗରିକ, ସେବାୟତ ନିଯୋଗ,ସାମ୍ବାଦିକ ସଂଘ ମାନଙ୍କୁ ଉପେକ୍ଷା କରିବା ସହିତ କିଭଳି ଭାବେ ଏବଂ କାହା ପ୍ରରୋଚନାରେ ମା ମଙ୍ଗଳା ଙ୍କ ସେବାୟତ ଙ୍କୁ ଅଣଦେଖା କରାଯାଇ ରଥଚକ ଯାତ୍ରାରେ ସାମିଲ କରାଗଲା ନାହିଁ ଏ ନେଇ ସେବାୟତ ଙ୍କ ମହଲରେ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଛି l ଆଗାମୀ ନବକଳେବର ସମୟରେ ଦଇତାପତି ସେବକ ମାନଙ୍କୁ ମା ମଙ୍ଗଳା ସେବାୟତ ମାନଙ୍କ ପକ୍ଷରୁ କୌଣସି ପ୍ରକାର ସାହାଯ୍ୟ ଏବଂ ସହଯୋଗ କରାଯିବ ନାହିଁ ଏବଂ ଶ୍ରୀ ମନ୍ଦିର ପ୍ରଶାସନର ଏତାଦୃଶ କାର୍ଯ୍ୟକୁ ଘୋର ନିନ୍ଦା କରାଯିବା ସହିତ ଆଗାମୀ ନବକଳେବର ସମୟରେ ସମ୍ପୃକ୍ତ ବ୍ୟକ୍ତି ଦଇତାପତି ମାନଙ୍କୁ ସେବା ଯୋଗାଇବେ ବୋଲି ସେବାୟତ ନିଯୋଗ ସଭାପତି ମନୋରଞ୍ଜନ ପଣ୍ଡା, ସମ୍ପାଦକ ପବିତ୍ର କୁମାର ଦୀକ୍ଷିତ,ଉପସଭାପତି ତଥା କାକଟପୁର ପ୍ରେସ କ୍ଲବର ସଭାପତି କମଳ ଲୋଚନ ଦୀକ୍ଷିତ, ମଙ୍ଗଳା ମନ୍ଦିର ଉପଦେଷ୍ଟା କମିଟି ସଦସ୍ୟ ପ୍ରଦୀପ୍ତ କୁମାର ଦୀକ୍ଷିତ, ତୁଷାର ରଞ୍ଜନ ଦୀକ୍ଷିତ ପ୍ରମୁଖ କ୍ଷୋଭର ସହ ପ୍ରକାଶ କରିଛନ୍ତି
ଦେଉଳି ମଠରେ ପହଁଚିଲା ନନ୍ଦିଘୋଷ ରଥଚକ – ମା ମଙ୍ଗଳା ସେବାୟତ ମହଲରେ ଅସନ୍ତୋଷ











