ପୁରୀ: ୨୯/୧୦/୨୦୨୫ -ନି:ପ୍ର – ଓଡ଼ିଶାର ବିଶିଷ୍ଟ ଲୋକପ୍ରିୟ ରାଜନେତା,ପୁରୀ ସଦର ବ୍ଳକର ପୂର୍ବତନ ଅଧ୍ୟକ୍ଷ , ପୁରୀ ଜିଲ୍ଲା ପରିଷଦର ପୂର୍ବତନ ଅଧ୍ୟକ୍ଷ ତଥା ରାଜ୍ୟ କତାଶିଳ୍ପ ନିଗମର ପୂର୍ବତନ ଅଧ୍ୟକ୍ଷ ଏବଂ ଓଡ଼ିଶା ରାଜ୍ୟ ପଞ୍ଚାୟତ ପରିଷଦର ସଭାପତି ବିଶିଷ୍ଟ କବି ଶଙ୍କର ପରିଡ଼ାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଗୁରୁତର ଓ ଶଙ୍କଟାପନ୍ନ। ଫୁସ୍ ଫୁସ୍ କ୍ୟାନ୍ସରରେ ସେ ଗୁରୁତର ଭାବେ ପୀଡ଼ିତ ହୋଇ ଦୀର୍ଘଦିନ ଧରି ଚିକିତ୍ସିତ ହେଉଛନ୍ତି।ଟାଟା ମେମୋରିଆଲ ହସପିଟାଲରେ ଚିକିତ୍ସିତ ହେବା ପରେ ଏବେ ସେ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଖବର ସାମାଜିକ ଗଣମାଧ୍ୟମ ରେ ପ୍ରକାଶିତ ହେବା ପରେ ବିଭିନ୍ନ ମହଲରେ ଖୁବ୍ ଦୁଖ ଓ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ମୂଲ୍ୟବୋଧ ରାଜନୀତିରେ ବିଶ୍ୱାସୀ ଓ ସଚ୍ଚୋଟ ରାଜନେତା ଶଙ୍କର ପରିଡ଼ା ଚିକିତ୍ସାରେ ସଞ୍ଚିତ ଅର୍ଥ ଖର୍ଚ୍ଚ କରି ସର୍ବସ୍ବାନ୍ତ ଅବସ୍ଥାରେ।ଅଧ୍ୟାପିକା ପତ୍ନୀ ଓ ଦୁଇ ଝିଅଙ୍କ ସମସ୍ତ ଉଦ୍ୟମ ସହିତ ଶଙ୍କର ବାବୁ ଦୁଃସାଧ୍ୟ ରୋଗ ସହିତ ଲଢ଼ୁଛନ୍ତି। ଘରଦ୍ୱାର ବନ୍ଧା ପକାଇ,ଜମି ବିକ୍ରୀକରି ତାଙ୍କ ନିରୀହ କନ୍ୟାଦ୍ୱୟ ଓ ପତ୍ନୀ ଶଙ୍କର ଙ୍କୁ ଚିକିତ୍ସା କରିବାରେ ଲାଗି ପଡିଛନ୍ତି।ସତେ ଯେମିତି ତାଙ୍କର କେହି ସାହା ଭରସା ନାହିଁ କେବଳ ଭଗବାନଙ୍କ ବ୍ୟତୀତ।ମାତ୍ର ଦୁଖ ଓ ପରିତାପର ବିଷୟ ଏହା ଯେ ଓଡ଼ିଶା ସରକାରଙ୍କ ତରଫରୁ ଏହି ମହାନ ବ୍ୟକ୍ତିବିଶେଷ ଙ୍କ ଚିକିତ୍ସା ପାଇଁ ସେଭଳି କୌଣସି ବ୍ୟବସ୍ଥା ହୋଇ ନଥିବାରୁ ଲେଖକ, ବୁଦ୍ଧିଜୀବୀ ଓ ଜାଣିବା ଶୁଣିବା ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଗତକାଲି ସାମ୍ବାଦିକ ମଧୁସୂଦନ ମିଶ୍ର, ସାହିତ୍ୟିକ ଶ୍ୟାମ ପ୍ରକାଶ ସେନାପତି ଓ ସମାଜସେବୀ ରାଜେଶ ମହାନ୍ତି ପ୍ରମୁଖ ଡାକ୍ତରଖାନା ଯାଇ ତାଙ୍କୁ ସାକ୍ଷାତ କରିଥିଲେ।ଏହା ପୂର୍ବରୁ ସାଂସଦ ଡାକ୍ତର ସମ୍ୱିତ ପାତ୍ର ମଧ୍ୟ ଦେଖା କରିଛନ୍ତି। ମାତ୍ର ଶଙ୍କର ପରିଡ଼ାଙ୍କ ସ୍ୱାସ୍ଥ୍ୟାବସ୍ଥା ରେ ସୁଧାର ପାଇଁ ସରକାର ସାହାଯ୍ୟ ନକରିବା ସବୁ ମହଲରେ ଭ୍ରୁକୁଞ୍ଚନ ସୃଷ୍ଟି କରିଛି।ସମାଜକୁ ବହୁଳ ଭାବେ ଉପକୃତ କରିଥିବା ଶଙ୍କର ପରିଡ଼ାଙ୍କ ସମସ୍ତ ଚିକିତ୍ସାଭାର ଓଡ଼ିଶା ସରକାର ଗ୍ରହଣ କରିବାକୁ ମିଶନ ଓଡ଼ିଶା,ଅଭିନନ୍ଦନିକା, କୁମାର କବି ଫାଉଣ୍ଡେସନ, ଶ୍ରୀକ୍ଷେତ୍ର ସୂଚନା,ପ୍ରିୟପତ୍ର, ଶ୍ରୀକ୍ଷେତ୍ର ପୁସ୍ତକ ମେଳା କମିଟି, ଦି ମିରର୍,ପ୍ରୟାସ,ଶ୍ରୀକ୍ଷେତ୍ର ଲେଖକ ସାମ୍ମୁଖ୍ୟ,ସାହି ଭାଇ, ସଚେତନ ନାଗରିକ ସମାଜ, ସମ୍ଭାବନା ,ବନ୍ଦେ ମାତରଂ ଫାଉଣ୍ଡେସନ ପ୍ରମୁଖ ବିଭିନ୍ନ ଅନୁଷ୍ଠାନ ତରଫରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସବିଶେଷ ଅନୁରୋଧ କରାଯାଇଛି










