Home / ମୁଖ୍ୟ ଖବର / ଭକ୍ତଙ୍କ ସୁରକ୍ଷା, ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ, ମନ୍ଦିର ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥାର ସୁସମନ୍ୱୟ

ଭକ୍ତଙ୍କ ସୁରକ୍ଷା, ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ, ମନ୍ଦିର ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥାର ସୁସମନ୍ୱୟ

whatsapp image 2025 12 17 at 5.54.25 pm

ପୁରୀ : ୧୭/୧୨/୨୦୨୫ ଇଂରାଜୀ ନବ ବର୍ଷ ୨୦୨୬ ଉପଲକ୍ଷେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାକୁ ଲକ୍ଷାଧିକ ଭକ୍ତଙ୍କ ପୁରୀକୁ ଆସିବାର ସମ୍ଭାବନା ରହିଛି । ଭକ୍ତଙ୍କ ସୁରକ୍ଷା, ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ, ମନ୍ଦିର ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥାର ସୁସମନ୍ୱୟ ଓ ସୁପରିଚାଳନା ଉପରେ ଆଜି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ସ୍ଥିତ ଡିଜିପିଙ୍କ କ୍ୟାମ୍ପ କାର୍ଯ୍ୟାଳୟଠାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।

image
image

ପୁରୀକୁ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ସହର ମଧ୍ୟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଡିଜିପି ବୈଠକରେ ଗୁରୁତ୍ବାରୋପ କରିଥିଲେ । ଶ୍ରୀ ମନ୍ଦିର ପରିସର ମଧ୍ୟରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଭିଡ଼ ସୁନିୟନ୍ତ୍ରଣ, ଟ୍ରାଫିକ ଓ ପାର୍କିଂ ବ୍ୟବସ୍ଥାର ସୁପରିଚାଳନା, ସମୁଦ୍ର କୂଳରେ ପାଟ୍ରୋଲିଂ, ଗୁରୁତ୍ଵପୂର୍ଣ୍ଣ ଛକମାନଙ୍କରେ ସିସିଟିଭି ସ୍ଥାପନ, ହୋଟେଲ ଓ ଲଜ ଗୁଡିକରେ କଡା କଡ଼ି ଚେକିଂ ଭଳି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଡିଜିପି ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏଥି ସହ ବରିଷ୍ଠ ଅଧିକାରୀଙ୍କ ସହ ଉପଯୁକ୍ତ ସମନ୍ୱୟ ରଖି କାର୍ଯ୍ୟ କରିବା, ଭକ୍ତମାନଙ୍କ ପ୍ରତି ଉତ୍ତମ ବ୍ୟବହାର ପ୍ରଦର୍ଶନ ଏବଂ ଯେକୌଣସି ଅପ୍ରତ୍ୟାଶିତ ପରିସ୍ଥିତିର ମୁକାବିଲା କରିବାକୁ ସର୍ବଦା ପ୍ରସ୍ତୁତ ରହିବାକୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ।

ନବବର୍ଷ ପାଳନ ଅବସରରେ ପୁରୀରେ ସୁରକ୍ଷିତ, ଶୃଙ୍ଖଳିତ ଓ ଶାନ୍ତିପୂର୍ଣ୍ଣ ପରିବେଶ ସୃଷ୍ଟି କରିବା ପାଇଁ ପୁଲିସ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଡିଜିପି ପୁରୀ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ବୈଠକରେ ନିର୍ଦ୍ଦେଶକ (ଗୁଇନ୍ଦା) ଶ୍ରୀ ଆର. ପି. କୋଚେ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ( ନକ୍ସଲ ବିରୋଧୀ ଅଭିଯାନ) ଶ୍ରୀ ସଂଜୀବ ପଣ୍ଡା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ( ରେଳବାଇ ଓ ଉପକୂଳ ସୁରକ୍ଷା) ଶ୍ରୀ ଅରୁଣ ବୋଥ୍ରା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ଶ୍ରୀ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାର, ଭୁବନେଶ୍ବର-କଟକ ପୋଲିସ କମିଶନର, ଶ୍ରୀ ଏସ.ଦେବଦତ୍ତ ସିଂ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ସଶସ୍ତ୍ର ) ଶ୍ରୀ ରାଜେଶ କୁମାର, ଡିଆଇଜି(କେନ୍ଦ୍ରାଞ୍ଚଳ) ଶ୍ରୀ ସତ୍ୟଜିତ ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ଆଭାସୀ ମାଧ୍ୟମରେ ଡିଆଇଜି(ପୂର୍ବାଞ୍ଚଳ) ଶ୍ରୀ ପିନାକ ମିଶ୍ର, ପୁରୀ ଏସପି ଶ୍ରୀ ପ୍ରତୀକ ସିଂ, କଟକ ଏସପି(ଗ୍ରାମାଞ୍ଚଳ) ଶ୍ରୀ ବିନିଥ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply